ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ୩ଟି ପଞ୍ଚାୟତର ୨୦ ଟି ଗ୍ରାମରେ ଚଳିତ ବର୍ଷ ଆରମ୍ଭରୁ ବାଘ ଆତଙ୍କ ଲାଗି ରହିଛି। ଆତଙ୍କ ମଧ୍ୟରେ ରହିଛନ୍ତି ଲୋକେ। ଉକ୍ତ ଜଙ୍ଗଲ ତଳି ଅଞ୍ଚଳର ଲୋକ ଘରୁ ବାହାରୁ ନାହନ୍ତି। ଫଳରେ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇପଡ଼ିଛି। ନୂଆପଡ଼ା ସଦର ବ୍ଲକ୍ ଭରୁଆମୁଣ୍ଡା, ଧରମବନ୍ଧା ଓ ଆମାନେରା ପଞ୍ଚାୟତରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ବାଘ ଆତଙ୍କ ଆରମ୍ଭ ହୋଇଛି। ସୁନାବେଡ଼ା ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରୁ କଲରାପତରିଆ ବାଘ ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି। ମାର୍ଚ୍ଚ ମାସ ୬ ତାରିଖରୁ ଅଦ୍ୟାବଧି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରରେ ରହୁଥିବା ଗାଁରେ ପଶି ଗୁହାଳରୁ ଗାଈ, ବାଛୁରି ଟାଣିଆଣି ମାରିଖାଇଛି। ହେଲେ ଅକ୍ଟୋବର ମାସରୁ ଜିଲ୍ଲାର ଜଙ୍ଗଲ ତଳି ଅଞ୍ଚଳ ବାଘ ଆତଙ୍କରେ ଥରହର ହୋଇପଡ଼ିଛି। ଗତ ୩୦ ତାରିଖରେ ଗୋଧସପଡ଼ାରେ ୬ ବର୍ଷର ବାଳକକୁ ମାରିଥିବା ବେଳେ ୫ ଦିନ ପରେ ଅର୍ଥାତ ଗତ ୪ ତାରିଖରେ ସିଲିଆରିବାହାର ଗ୍ରାମର ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିଥିଲା। ପୁଣି ଜଣେ ବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ବନ ବିଭାଗ ଓ ଗ୍ରାମବାସୀଙ୍କ ଉଦ୍ୟମରେ ରକ୍ତମୁଖା ବାଘଟି ଯନ୍ତାରେ ପଡ଼ିଥିଲ। ପୁଣି ଆଉ ଏକ ବାଘ ଆଜିକୁ ୩ ହେବ ଏହି ଗ୍ରାମରେ ଆତଙ୍କ ଖେଳାଉଛି। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିବା ଲୋକେ ଘର ଭିତରେ କବାଟ ବନ୍ଦ କରି ରହୁଛନ୍ତି।
ବିଶେଷ କରି ସଦର ବ୍ଲକ୍ ଭରୁଆମୁଣ୍ଡା ପଞ୍ଚାୟତର ଭରୁଆମୁଣ୍ଡା, ଲୋଡ୍ରା, ଛୋଟ ଲୋଡ୍ରା, କଟିଙ୍ଗପାଣି, ଧରମବନ୍ଧା ପଞ୍ଚାୟତରେ ଧରମବନ୍ଧା, ସିଲିଆରିବାହାର, କୋଦୋପାଲି, ଭୋଥା, ସେପରି ଆମାନେରା ପଞ୍ଚାୟତ କୁକୁଡ଼ାତାଲ, ତରିଆ ମହୁହାଭଟା, ପାୱାରତୋଲ, ହରାଡ଼ିହି, ଜରିଡିହି, ଆମାନେରା ପୁଷରଙ୍ଗୀ, ଖଳନା, ପାତାଲଘୁଟୁକୁରୀ, ଡାଲିପଖନା, ଦଲଦଲୀ ଗାଁରେ ବାଘ ଆତଙ୍କ ଲାଗି ରହିଛି। ଚାଷୀମାନେ ଧାରକରଜ କରି ଧାନ ଚାଷ କରିଥିଲେ। ଏବେ ଅମଳ ସମୟ। କିନ୍ତୁ ହେଲେ ୧୦ ଦିନ ହେବ ଏହି ୩ଟି ପଞ୍ଚାୟତ ଲୋକ ବାଘ ଭୟରେ ଜମିକୁ ମଧ୍ୟ ଯାଉନାହନ୍ତି। ବାଘ ଭୟରେ ସେମାନଙ୍କୁ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲକୁ ଛାଡ଼ିବାକୁ ଭୟ କରୁଛନ୍ତି। ତେବେ ବନ ବିଭାଗ ପକ୍ଷରୁ ବାଘ ଆତଙ୍କ ଥିବା ଗ୍ରାମରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ପୃକ୍ତ ଗାଁ ମାନଙ୍କରେ ବୈଠକ କରି ଲୋକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।