ଭୁବନେଶ୍ବର : ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇ ଜଙ୍ଗଲ ନିଆଁରେ ପାଣି ପକାଉଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ଗାଁକୁ ଗାଁ ବୁଲି ବନାଗ୍ନି ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି। ଲୋକ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ବୁଝାଯାଉଛି। ତା’ସତ୍ତ୍ବେ ବି ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରୁ ନାହିଁ। ନିଆଁ କମିବା ବଦଳରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ୧୦୨୩ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୧୨୩୭ରେ ପହଞ୍ଚିଛି। କୋରାପୁଟ, ଭବାନୀପାଟଣା, ରାଉରକେଲା, ବ୍ରହ୍ମପୁର ସର୍କଲର ଅଧିକାଂଶ ଜଙ୍ଗଲରେ ନିଆଁ ଭୟଙ୍କର ରୂପ ନେଇଛି। ଅନୁଗୁଳ, ସମ୍ବଲପୁର, ରାଉରକେଲା, ବାରିପଦା, ଭୁବନେଶ୍ବର ସର୍କଲରେ ନିଆଁର ପ୍ରକୋପ ରହିଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ଦିଆଯାଇଛି।
ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରେ ଓଡ଼ିଶା ଶୀର୍ଷ ସ୍ଥାନ ବଜାୟ ରଖିଛି। ଦେଶରେ ଚିହ୍ନଟ ହୋଇଥିବା ୧ ଲକ୍ଷ ୭୮ ହଜାର ବନାଗ୍ନି ମଧ୍ୟରୁ ଓଡ଼ିଶାରେ କେବଳ ୨୦%ରୁ ଅଧିକ ଅଧିକ ରହିଛି। ବିଗତବର୍ଷ ତୁଳନାରେ ଚଳିତ ବର୍ଷ ଏବେ ସୁଦ୍ଧା ଦେଶରେ ଅଧିକ ସଂଖ୍ୟକ ବନାଗ୍ନି ସଙ୍ଗଠିତ ହୋଇଛି। ଯଦି ଏଭଳି ଧାରା ଜାରି ରୁହେ ତେବେ ବନାଗ୍ନିରେ ହେକ୍ଟର ହେକ୍ଟର ଜଙ୍ଗଲ ଜଳି ପୋଡ଼ି ପାଉଁଶ ହୋଇଯିବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶର ୫ଟି ପ୍ରମୁଖ ବନାଗ୍ନି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି। ଏହା ତଳକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର ଅଛନ୍ତି। ତେବେ ଗତ ୭ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ବନାଗ୍ନି ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼ ଶୀର୍ଷରେ ପହଞ୍ଚିଛି। ଏଠାରେ ୫୯୨୫ ବନାଗ୍ନି ହୋଇଥିବା ବେଳେ ଓଡ଼ିଶାରେ ୫୬୪୨ଟି ଚିହ୍ନଟ ହୋଇଛି।
/sambad/media/post_attachments/wp-content/uploads/2023/03/forest-fire-n-750x430.jpg)
ଚିନ୍ତାର କାରଣ ହେଉଛି ଯେ ଓଡ଼ିଶାରେ ବଡ଼ଧରଣର ବନାଗ୍ନି ଏବେ ଉପରମୁହାଁ ହୋଇଛି। ଦେଶରେ ଚିହ୍ନଟ ହୋଇଥିବା ୬୬୯ଟି ବନାଗ୍ନି ମଧ୍ୟରୁ ଓଡ଼ିଶାର ୧୪୦ଟି ସ୍ଥାନରେ ନିଆଁ ଲାଗିଛି। ଛତିଶଗଡ଼ରେ ସର୍ବାଧିକ ୨୧୦ଟି ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୯୮, ଝାଡ଼ଖଣ୍ଡରେ ୬୨, ମହାରାଷ୍ଟ୍ରରେ ୩୫, ଆନ୍ଧ୍ରପ୍ରଦେଶରେ ୩୭ଟି ବଡ଼ଧରଣ ନିଆଁ ଦେଖିବାକୁ ମିଳିଛି। ନଭେମ୍ବର ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ସର୍ବାଧିକ ବଡ଼ ବନାଗ୍ନି ସାମ୍ନାକୁ ଆସିଛି। ତେବେ ଗତ ୭ ଦିନ ମଧ୍ୟରେ ଛତିଶଗଡ଼ ଓ ଓଡ଼ିଶା ପଛକୁ ପଛ ରହିଛନ୍ତି। ୭ ଦିନରେ ଛତିଶଗଡ଼ରେ ୪୦୯ଟି ଓ ଓଡ଼ିଶାରେ ୪୦୩ଟି ବଡ଼ ଜଙ୍ଗଲ ନିଆଁ ଦେଖିବାକୁ ମିଳିଥିବା ନେଇ ଏଫ୍ଏସ୍ଆଇ ପକ୍ଷରୁ କୁହାଯାଇଛି।
ନିଆଁ ଲିଭାଇବା ଦିଗରେ ପଦକ୍ଷେପ ନେଇ ବନ ବିଭାଗ ପକ୍ଷରୁ ସେହି ଚିରାଚରିତ ଉତ୍ତର ଦିଆଯାଇଛି। ପିସିସିଏଫ୍ଙ୍କ ପକ୍ଷରୁ କୁହାଯାଇଛି ଯେ ବନାଗ୍ନି ରୋକିବା ଦିଗରେ ସମସ୍ତ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ୧୦୨୩ ବନାଗ୍ନି ମଧ୍ୟରୁ ୯୩% ନିଆଁ ଲିଭାଇବାରେ ସଫଳତା ମିଳିଛି। ବନାଗ୍ନି ଉପରେ ବନଖଣ୍ଡ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/forest-fire.jpg)