ଜଙ୍ଗଲ ନିଆଁ ନେଇ ଗୃହରେ ହୋଇପାରିଲାନି ମୁଲତବୀ ଆଲୋଚନା

ଭୁବନେଶ୍ବର : ଧାନ କିଣା ଅବ୍ୟବସ୍ଥା ନେଇ ଆଜି ଦିନତମାମ ବିରୋଧୀ ଗୃହକୁ ଅଚଳ କଲେ। ଫଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ ଶିମିଳିପାଳ ସମେତ ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ଲାଗିବା ନେଇ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଲାନି। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ଶନିବାର ଥିବାରୁ ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ଦଳର ପ୍ରସ୍ତାବ ନିଆଯିବ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀ ଶୁଖିଲା ପଡ଼ିଛି ଅଥଚ ରାଜ୍ୟ ସରକାର ବେଫିକର ନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ଆସନ୍ତାକାଲି ଜଣାପଡ଼ିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ବିରୋଧୀ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଛନ୍ତି। ଏ ନେଇ ଶନିବାର ବି ଗୃହରେ ବିରୋଧୀ ହଙ୍ଗାମା କରିବେ। ଏଭଳି ସ୍ଥିତିରେ ମୁଲତବୀ ଆଲୋଚନା ହେବ କି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର