୬୯୭ ସ୍ଥାନରେ ଜଙ୍ଗଲ ଜଳୁଛି, ନିଆଁ ଆଁ’ରେ ୨୬ ଜିଲ୍ଲା

ବାରିପଦା ସର୍କଲରେ ନିଆଁ କମିଲା
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିଲା
ଜିଲ୍ଲାପାଳମାନଙ୍କ ସହ ବୈଠକ ଆଜି
ଗ୍ରାଉଣ୍ଡ ଫାୟାର ହେଉଛି: ପିସିସିଏଫ୍‌
ଲୋକେ ନିଆଁ ଲଗାଇ ଦେଉଛନ୍ତି

ଭୁବନେଶ୍ବର : ଜଙ୍ଗଲ ନିଆଁ ରୋକିବାକୁ ରାଜ୍ୟ ସରକାର ଟାସ୍କଫୋର୍ସ ଗଢ଼ିଲେ। ବ୍ୟାପକ କର୍ମଚାରୀଙ୍କୁ ନିୟୋଜିତ କଲେଣି। ଜଙ୍ଗଲ ନିକଟ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି। ତା’ପରେ ବି ନିୟନ୍ତ୍ରଣକୁ ଆସିପାରିନି ଜଙ୍ଗଲ ନିଆଁ। ଆଜି ବି ରାଜ୍ୟର ୬୯୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। ବନ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ କିଛି ମାତ୍ରାରେ ହ୍ରାସ ପାଇଛି ସତ। ହେଲେ ଦକ୍ଷିଣ ଓଡ଼ିଶାରେ ନିଆଁ ଏବେ ବି ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାର ଜଙ୍ଗଲକୁ ଡେଉଁଛି। ଆଜି ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାର ଜଙ୍ଗଲ ନିଆଁର ଆଁ ଭିତରକୁ ଆସିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି।

ଏଫ୍‌ଏସ୍‌ଆଇ ତଥ୍ୟ କହୁଛି ଯେ ରବିବାର ୯୧୮ଟି ସ୍ଥାନରେ ଜଙ୍ଗଲ ଜଳୁଥିଲା। ଆଉ ଆଜି ଅପରାହ୍‌ଣ ସୁଦ୍ଧା‌ ଏହି ସଂଖ୍ୟା ୬୯୭କୁ ହ୍ରାସ ପାଇଛି। ବାରିପଦା ସର୍କଲରେ ଜଙ୍ଗଲ ନିଆଁ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି। ଏହି ସର୍କଲରେ ଗତକାଲି ୧୪୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଥିବା ଚିହ୍ନଟ ହୋଇଥିଲା। ଯେତେବେଳେ କି ଆଜି ସେହି ସଂଖ୍ୟା ୯୦ ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୨ଟି ସ୍ଥାନରେ ନୂଆ କରି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ରେଞ୍ଜ, ରାୟଗଡ଼ା ରେଞ୍ଜ, କେ.ସିଂହପୁର ରେଞ୍ଜ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ଡିଭିଜନ୍‌ର ନୂଆପଡ଼ା ରେଞ୍ଜ, ସୁନାବେଡ଼ା ରେଞ୍ଜ, ଖଡ଼ିଆଳ ରେଞ୍ଜ, କଳାହାଣ୍ଡି ଜିଲ୍ଲାର ଜାଇପାଟଣା ରେଞ୍ଜ, ବେନଖମାର ବିଟ୍‌, କେଶିଗାଁ ରେଞ୍ଜ, ବିଶ୍ବନାଥପୁର ରେଞ୍ଜ, କେଗାଁଓ ରେଞ୍ଜ, ଡୋହେଲିପଡ଼ା ବିଟ୍‌, ବରଗଡ଼ ଜିଲ୍ଲାର ପଦ୍ମପୁର ରେଞ୍ଜର ଜଇପୁର ବିଟ୍‌, ଲୁହୁରାକୋଟ ବିଟ୍‌, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ, ବଲାଙ୍ଗୀର ରେଞ୍ଜ, ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜର ଗାଇସିଲଟ ବ୍ଲକ ବିଟ୍‌, ରାୟଗଡ଼ା ଜିଲ୍ଲାର ଗୁମ୍ମା ବିଟ୍‌, ପାତ୍ରଗୁଡ଼ା ବିଟ୍‌, ଆମ୍ବାଦଳ ବ୍ଲକ ବିଟ୍‌, ଲୋହରପଦର ବିଟ୍‌, ଡାଙ୍ଗସୋରଡ଼ା ବିଟ୍‌ରେ ୨୪ ଘଣ୍ଟା ମଧ୍ୟରେ ନିଆଁ ଲାଗିଛି।

ବୌଦ୍ଧର ସିମିଳିଜୋର ବିଟ୍‌, ବାଲାମ୍‌ଟୁମ୍ବା ବିଟ୍‌, କନ୍ଧମାଳ ଜିଲ୍ଲାର ସୋନପୁର ବିଟ୍‌, କାଟରାମାଲ ବିଟ୍‌, ମାଳତିଗୋଚ୍ଛପଡ଼ା ବିଟ୍‌, ଗୁଣ୍ଡୁଲିଆ ବିଟ୍‌, ମହାଗୁଡ଼ି ବିଟ୍‌, ଦୁବଗଡ଼ ବ୍ଲକ ବିଟ୍‌, ଦସିଂଙ୍ଗାବାଡ଼ି ବିଟ୍‌, ବ୍ରହ୍ମଣୀଗାଁ ବିଟ୍‌, ସମ୍ବଲପୁର ଜିଲ୍ଲାର ଭୋଇପାଲ୍ଲୀ ବିଟ୍‌, ଜୁଜୁମରା ବ୍ଲକ ବିଟ୍‌, ପଣ୍ଡିଆପାଲ୍ଲି ବିଟ୍‌ ଆଦି ସ୍ଥାନରେ ଗତ ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯଦି ଦେଖାଯାଏ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୩୬୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି। ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଅଞ୍ଚଳରେ ନିଆଁ ଲାଗିଛି। ଅନୁଗୁଳ ଓ ରାଉରକେଲା ସର୍କଲର ସ୍ଥିତି ସାଂଘାତିକ ରହିଥିବା ବେଳେ ବ୍ରହ୍ମପୁର ସର୍କଲର ଶତାଧିକ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାର ଶିବନାରାୟଣପୁର ଓ ସୁନାବେଡ଼ା ବିଟ୍‌ରେ ଫେବ୍ରୁଆରି ୨୮ରୁ ନିଆଁ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରି ନାହିଁ।

ପିସିସିଏଫ୍‌(ସାଧାରଣ) ଜିତେନ୍ଦ୍ର କୁମାର କହିଛନ୍ତି ଯେ ଶିମିଳିପାଳ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଚଳିତବର୍ଷ ଆଗୁଆ ଖରା ହେବାରୁ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି। ବଡ଼ ଗଛ ଜଳି ନାହିଁ। ବରଂ ଗ୍ରାଉଣ୍ଡ ଫାୟାର ହେଉଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ତରଫରୁ ନୂଆ ପଦକ୍ଷେପ ନିଆଯିବ। ବର୍ତମାନ ପର୍ଯ୍ୟନ୍ତ ଜୀବଜନ୍ତୁଙ୍କର କୌଣସି ପ୍ରକାର କ୍ଷତି ହୋଇନାହିଁ। କେତେକ ସ୍ଥାନରେ ଖଳ ପ୍ରକୃତିର ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲରେ ନିଆଁ ଲଗାଉଥିବା ନଜରକୁ ଆସିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦେଶ ଦିଆଯାଇଛି। ସେହିଭଳି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ଶିମିଳିପାଳରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। କେବଳ ବାହାର ଅଞ୍ଚଳରେ ନିଆଁ ଲାଗିଥିଲା, ଭିତର ଅଞ୍ଚଳକୁ ବ୍ୟାପିନାହିଁ।

ଇତିମଧ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିସନର ପିକେ ଜେନା ଆସନ୍ତାକାଲି ଏସଂପର୍କରେ ସମସ୍ତ ଜିଲ୍ଲାପାଳ ଏବଂ ଡିଏଫ୍‌ଓଙ୍କ ସହିତ ବୈଠକ କରିବେ। ଏଥିରେ ଜଙ୍ଗଲ ନିଆଁ ସଂପର୍କରେ ପରିସ୍ଥିତିର ସମୀକ୍ଷା କରାଯିବା ସହିତ ଏହାର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର