ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ହୁ ହୁ ହୋଇ ନିଆଁ ଜଳୁଛି। ଫଳରେ ବହୁ ଗଛଲତା ପୋଡ଼ି ଗଲାଣି। ଢେପଗୁଡ଼ା ଜଙ୍ଗଲରେ ଏକ ସପ୍ତାହ ହେଲା ନିଆଁ ଲାଗିଛି। ଏଥିରେ ବହୁ ବୃକ୍ଷଲତା ପୋଡ଼ି ଗଲାଣି। ବନ୍ୟପ୍ରାଣୀମାନେ ବି ବିପଦରେ ପଡ଼ିଛନ୍ତି। କିନ୍ତୁ ନିଆଁ ଲିଭାଇବା ପାଇଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ଆଶାତୀତ ଭାବେ ଉତ୍ତାପ ବୃଦ୍ଧି ପାଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଉଛି ସତ କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ହେବା ଦେଖା ଯାଉନାହିଁ। ବନୀକରଣ ଯୋଜନାଗୁଡ଼ିକରେ ମାତ୍ରାଧିକ ହରିଲୁଟ୍ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଜିଲ୍ଲାର ଏକାଧିକ ଫରେଷ୍ଟର, ରେଞ୍ଜର, ଫରେଷ୍ଟ ଗାର୍ଡ ଭିଜିଲାନ୍ସ ଜାଲରେ ପଡ଼ି ସାରିଥିବା ବେଳେ ଲୋକାୟୁକ୍ତଙ୍କ ଅଦାଲତରେ ମଧ୍ୟ ଦଣ୍ଡିତ ହୋଇସାରିଛନ୍ତି। ଏହାସତ୍ତ୍ୱେ ପରିସ୍ଥିତିରେ ସୁଧାର ଆସିନାହିଁ। ସେହିପରି ବନାଗ୍ନି ରୋକିବାକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଓ ସଭା, ସମିତି, ପୋଷ୍ଟର, ବ୍ୟାନର, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜନ ସଚେତନତା ପାଇଁ ବନାଞ୍ଚଳର ବିଭିନ୍ନ ସେକ୍ସନ ଓ ବିଟକୁ ଲକ୍ଷାଧିକ ଟଙ୍କା ଆସୁଛି। କିନ୍ତୁ ଜଙ୍ଗଲ ଜଳି ପୋଡ଼ି ପାଉଁଶ ହୋଇଯାଉଛି।