ଦେଶର ୬୦% ନିଆଁ ଓଡ଼ିଶାରେ
୯୧୮ଟି ସ୍ଥାନରେ ବଡ଼ଧରଣର ନିଆଁ
୭ ଦିନରେ ୧୯ ହଜାର ନିଆଁ
ନୃସିଂହନାଥ, ହରିଶଙ୍କରରେ ଲାଗିଲା ନିଆଁ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଓଡ଼ିଶାରେ ଆଉ ନିୟନ୍ତ୍ରଣରେ ନାହିଁ ଜଙ୍ଗଲ ନିଆଁ। ଗୋଟିଏ ପରେ ଗୋଟିଏ ଜଙ୍ଗଲ ହାତରୁ ଖସୁଛି। ଶିମିଳିପାଳରେ ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟ ଏବେ ନିଆଁ କବଳରେ। କପିଳାସ, କୁଲଢ଼ିହା ମଧ୍ୟ ନିଆଁର ଆଁ ଭିତରକୁ ଆସିଲାଣି। ନୃସିଂହନାଥ, ହରିଶଙ୍କର ରେଞ୍ଜରେ ଜଳୁଛି ଜଙ୍ଗଲ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଳାହାଣ୍ଡିରୁ କଣ୍ଟାବାଞ୍ଝି। ସବୁଠି ଜଙ୍ଗଲ ନିଆଁ ଆଜି ଭୟଙ୍କର ରୂପ ଧାରଣ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫୦୦ରୁ ଅଧିକ ସ୍ଥାନରେ ବଡ଼ଧରଣର ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି।
ସବୁଠାରୁ ବଡ଼ କଥା ହେଉଛି ଯେ ଆଜିର ଦିନରେ ଦେଶର ଯେତିକି ସ୍ଥାନରେ ଜଙ୍ଗଲ ଜଳୁଛି, ସେଥିରୁ ୬୦% ନିଆଁ ଓଡ଼ିଶାରେ ଲାଗିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ତଥ୍ୟ କହୁଛି ଯେ ରବିବାର ଅପରାହ୍ଣ ୨ଟା ସୁଦ୍ଧା ଦେଶର ୧୫୨୨ଟି ସ୍ଥାନରେ ଜଙ୍ଗଲରେ ବଡ଼ଧରଣର ନିଆଁ ଲାଗିଛି। ଏଥିରେ ଓଡ଼ିଶାରୁ କେବଳ ୯୧୮ଟି ରହିଛି। ଏହାବ୍ୟତୀତ ଝାଡ଼ଖଣ୍ଡର ୨୦୬, ତେଲେଙ୍ଗାନାର ୧୦୪, ମହାରାଷ୍ଟ୍ରର ୭୩, ଛତିଶଗଡ଼ର ୬୭, ଆନ୍ଧ୍ରପ୍ରଦେଶର ୫୩, ମଧ୍ୟପ୍ରଦେଶର ୪୫ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଗତ ୭ ଦିନ ହେଲା ଓଡ଼ିଶାରେ ଜଙ୍ଗଲ ନିଆଁ ଅଣାୟତ୍ତ ହୋଇଥିବା ସାମ୍ନାକୁ ଆସିଛି। ମାତ୍ର ୭ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୯ ହଜାର ୨୩୩ଟି ନିଆଁ ଲାଗିଛି। ଯେତେବେଳେ କି ତେଲେଙ୍ଗାନାରେ ୪,୭୩୫, ଝାଡ଼ଖଣ୍ଡରେ ୪୩୧୦, ମଧ୍ୟପ୍ରଦେଶର ୩,୭୫୮, ଆନ୍ଧ୍ରପ୍ରଦେଶର ୩୩୦୩ଟି ସ୍ଥାନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା।
ସ୍ଥିତି ଭୟଙ୍କର ରୂପ ନେଇସାରିଲାଣି। ତା’ ପରେ ବି ପ୍ରଶାସନର ନିଦ ଭାଙ୍ଗୁନି। ଶିମିଳିପାଳ ଜଳୁଥିବା ନେଇ ଦେଶରେ ହଇଚଇ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରି ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିବା ପରେ ଜଙ୍ଗଲ ବିଭାଗ ବାବୁମାନେ ଏକପ୍ରକାର ଶୋଇ ପଡ଼ିଛନ୍ତି। ବାକି ଜଙ୍ଗଲରେ ନିଆଁକୁ କିଭଳି ଆୟତ୍ତ କରିହେବ, ସେନେଇ ମାନସମନ୍ଥନ କଲେ ନାହିଁ। ପରିଣାମସ୍ବରୂପ ଜଙ୍ଗଲଗୁଡ଼ିକର ସ୍ଥିତି ଏବେ ସାଂଘାତିକ ହେବାରେ ଲାଗିଛି। ହଜାରହଜାର ବନ୍ୟଜନ୍ତୁ ନିଆଁ ଆଁ ଭିତରକୁ ଚାଲି ଗଲେଣି। କେଉଁଠି ହରିଣ ପୋଡ଼ି ତ ଆଉ କେଉଁଠି ପକ୍ଷୀ ମରି ପଡ଼ିଥିବା ଖବର ଆସୁଛି। ହଜାର ହଜାର ଔଷଧୀୟ ଗୁଳ୍ମ ଏବେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲାଣି। ଏତେ ସବୁ ପରେ ବି ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ କାହାର ବି ଦେଖା ମିଳୁନି। ଶିମିଳିପାଳ ବେଳକୁ ତଦନ୍ତ ନିର୍ଦେଶ ଦେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚୁପ୍ ବସି ପଡ଼ିଛନ୍ତି।
ଜଙ୍ଗଲ ନିଆଁକୁ କିଭଳି ଆୟତ୍ତ କରିହେବ, ସେନେଇ ସମୀକ୍ଷା କଲେ ନାହିଁ। ଆଉ ଏବେ ନିଜେ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାର ହଜାର ହଜାର ହେକ୍ଟର ଅଞ୍ଚଳରେ ଜଙ୍ଗଲ ଜଳୁଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟର ସମସ୍ତ ସର୍କଲ ଯଥା ଅନୁଗୁଳ, ବାରିପଦା, ଭବାନୀପାଟଣା, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କୋରାପୁଟ, ବ୍ରହ୍ମପୁରରେ ଆଜି ଜଙ୍ଗଲ ଜଳୁଥିବା ଏଫ୍ଏସ୍ଆଇ ତଥ୍ୟ ଦେଇଛି। ଗତ ଦୁଇ ଦିନ ମଧ୍ୟରେ ବାରିପଦା ସର୍କଲର ରାଇରଙ୍ଗପୁର, କେନ୍ଦୁଝର, କରଞ୍ଜିଆ ଡିଭିଜନ୍ର ୧୪୦ରୁ ଅଧିକ ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ବେଳେ ଭବାନୀପାଟଣା, କୋରାପୁଟ ଓ ବ୍ରହ୍ମପୁର ସର୍କଲରେ ପ୍ରାୟ ୪୫୦ଟି ସ୍ଥାନରେ ନିଆଁ ଆଜି ବି ଜଳୁଛି। ନୂଆପଡ଼ା ଜିଲ୍ଲାରେ ଏବେ ସ୍ଥିତି ଅଣାୟତ୍ତ ହୋଇଛି। ଖଡ଼ିଆଳର ୨୬ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ସୁନାବେଡ଼ାର ୮ଟି, ସିନାପାଲ୍ଲିର ୧୭, କୋମନାର ୧୭, କଣ୍ଟାବାଞ୍ଝିର ୫ଟି ସ୍ଥାନରେ, କର୍ଲାପାଟ ଅଭୟାରଣ୍ୟ, ଚନ୍ଦ୍ରଗିରି ବି ନିଆଁ କବଳରେ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଡିଭିଜନ୍ର କପ୍ତିପଦା ଜଙ୍ଗଲ ୨୭ ତାରିଖଠାରୁ ଜଳୁଛି ଯେ ଆଜି ପର୍ଯ୍ୟନ୍ତ ଲିଭିବାର ନାଁ ନେଉ ନାହିଁ। ଅନୁଗୁଳ ସର୍କଲର କଟକ, ଢେଙ୍କାନାଳ, ଆଠଗଡ଼, ଆଠମଲ୍ଲିକ, କେନ୍ଦୁଝର ଡିଭିଜନ୍ ବି ନିଆଁ କବଳରେ ରହିଛି। ଭୁବନେଶ୍ବର ସର୍କଲର ନୟାଗଡ଼ ଜିଲ୍ଲାର କେତେକ ସ୍ଥାନ ଜଳୁଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟ ବି ନିଆଁ ପ୍ରକୋପ ଦେଖିବାକୁ ମିଳିଛି।
ପ୍ରାୟ ଦୁଇ ସପ୍ତାହ ଧରି ଶିମିଳିପାଳ ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି। ପିସିସିଏଫ୍(ବନ୍ୟପ୍ରାଣୀ) ସ୍ଥିତି ଅନୁଧ୍ୟାନ କରିବା ପରେ କହିଥିଲେ ଯେ କୋର୍ ଅଞ୍ଚଳରେ ନିଆଁ ଲାଗିନି। ବଡ଼ ଗଛ ବି ପୋଡ଼ିନି। ତେବେ ସରକାରୀ ଅଧିକାରୀ କହୁଥିବା କଥା ଠିକ୍ ନ ଥିବା ଏବେ ଜଣାପଡ଼ିଛି। କାରଣ ଅଭୟାରଣ୍ୟର କୋର୍ ଅଞ୍ଚଳରେ ଆସୁଥିବା ଭଞ୍ଜବସା ରେଞ୍ଜ ଏବେ ବି ଜଳୁଛି। ଜଙ୍ଗଲ ନିଆଁ ଯୋଗୁଁ ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ଧୂଆଁମୟ। ଗତ ସପ୍ତାହେ ହେବ ଭଞ୍ଜନଗର ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡର ଶତାଧିକ ସ୍ଥାନରେ ନିଆଁ ଲାଗିଛି। ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ସହ କନ୍ଧମାଳ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟିର ଅନେକ ପାହାଡ଼ରେ ଏବେ ନିଆଁ ଜଳୁଛି।
ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ନିଆଁ ଲିଭାରେ ବିଭାଗର କର୍ମଚାରୀମାନେ ଦିନ ରାତି ଏକ କରି କାମ କରୁଛନ୍ତି। ଗ୍ରାମବାସୀମାନଙ୍କୁ ସଚେତନତା କରାଯାଉଛି। କିଭଳି ଭାବେ ନିଆଁର ମୁକାବିଲା କରି ହେବ ସେନେଇ ପରାମର୍ଶ ବି ଦିଆଯାଉଛି। ବନ କର୍ମଚାରୀଙ୍କ ସହ ମିଶି ଲୋକେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଖୁବ୍ଶୀଘ୍ର ସ୍ଥିତିରେ ସୁଧାର ଆସିବ।