ଭୁବନେଶ୍ବର : ନିଆଁ ଗିଳି ଚାଲିଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ। ହେକ୍ଟର୍‌ ହେକ୍ଟର୍‌ ଗଛ ଜଳି ପୋଡ଼ି ପାଉଁଶ ହେଉଛି। ସୁନାବେଡ଼ା ରେଞ୍ଜରେ ନିଆଁ ଲାଗିଛି ଯେ ଆଜି ପର୍ଯ୍ୟନ୍ତ ଲିଭୁନି। ଆର୍‌. ଉଦୟଗିରି, ସିମନ୍‌ବାଡ଼ି, ବ୍ରହ୍ମଣୀଗାଁ, ପିଠାବଟା, ହେମଗିରି ଜଙ୍ଗଲ ବି ଜଳୁଛି। କେଉଁଠି ୮ଦିନ ହେଲାଣି ତ ଆଉ କେଉଁଠି ଆଜି ଭୋର୍‌ରୁ ନିଆଁ ଲାଗିଛି। ଏବର୍ଷ ଫେବ୍ରୁଆରି ୨୪ ସୁଦ୍ଧା ୧୪୪୫ ହେକ୍ଟର ଜଙ୍ଗଲ ଛାରଖାର ହୋଇଥିଲା। ଏହା ମଧ୍ୟରେ ଆହୁରି ଅଢ଼େଇ ହଜାର ହେକ୍ଟର ଜଳିପୋଡ଼ି ପାଉଁଶ ହେଲାଣି। ଆଗକୁ ଆଉ କେତେ ହେକ୍ଟର ଜଙ୍ଗଲ ଜଳିବ, ତାହା ଆକଳନ କରିବା ମୁସ୍କିଲ ହୋଇପଡ଼ିଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ ମଧ୍ୟ ନିଆଁ ଲିଭାଇବା ଦିଗରେ କାହାରି ଆନ୍ତରିକତା ନାହିଁ। ବର୍ଷା ଉପରେ ଭରସା କରି ବନ ବିଭାଗ ହାତ ଟେକି ଦେଇଛି। ଲୋକ ଲଗାଉଥିବା କହି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ନିଜ ମୁଣ୍ଡରୁ ଦୋଷ ଖସାଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଏକପ୍ରକାର ଚୁପ୍‌। ସମୀକ୍ଷା କରୁନାହାନ୍ତି କି ଲିଭାଇବା ଦିଗରେ ପଦକ୍ଷେପ ନେଉନାହାନ୍ତି।

Advertisment

publive-image

ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଜଙ୍ଗଲ ନିଆଁ ଓଡ଼ିଶା ଭଳି ଭୟଙ୍କର ରୂପ ନେଇ ନ ଥିଲେ ମଧ୍ୟ ସେଠାକାର ସରକାର ହେଲିକପ୍ଟର ସହାୟତାରେ ବନାଗ୍ନିରେ ପାଣି ଢାଳୁଛନ୍ତି। ଗୋଆ, ମଣିପୁର, କର୍ଣ୍ଣାଟକ ସରକାର କିଛି ମାତ୍ରାରେ ସଫଳ ମଧ୍ୟ ହେଲେଣି। ମାତ୍ର ଓଡ଼ିଶା ସରକାର ଏପର୍ଯ୍ୟନ୍ତ ମୌନ ବସିଛନ୍ତି। ହେଲିକପ୍ଟର ଦୂରର କଥା, ଅଗ୍ନିଶମ ଗାଡ଼ିକୁ ଜଙ୍ଗଲ ନିକଟରେ ପହଞ୍ଚାଇବା ଦିଗରେ ଏପର୍ଯ୍ୟନ୍ତ କୌଣସି ବି ପଦକ୍ଷେପ ନେଇନାହାନ୍ତି। କର୍ମଚାରୀଙ୍କୁ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିବା ଅଧିକାରୀମାନେ କହୁଥିଲେ ମଧ୍ୟ ତାହାକୁ ଚଲାଇବା ତାଲିମ୍‌ ଦିଆଯାଇନାହିଁ। ବର୍ଷା ନଥିବାରୁ ଜଙ୍ଗଲରେ ଥିବା ଅଧିକାଂଶ ଜଳାଶୟ ଏବେ ଶୁଖିଲା ପଡ଼ିଛି। କାଁ ଭାଁ ସ୍ଥାନରେ ପାଣି ରହିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। ବନ କର୍ମଚାରୀ ଯେତିକି ପାଣି ନେଉଛନ୍ତି ସେଥିରେ ଲିଭାଇବା ଆଦୌ ସମ୍ଭବପର ନୁହେଁ ବୋଲି ଜଣେ ଡିଏଫ୍‌ଓ କହିଛନ୍ତି।

୪ ମାସରେ ଜଳିଗଲାଣି ୪ହଜାର ହେକ୍ଟର
ଏବର୍ଷ ଦେଶର ୩୫% ବନାଗ୍ନି ଓଡ଼ିଶାରେ

publive-image

ପରିବେଶବିତ୍‌ଙ୍କ ମତରେ ପ୍ରତି ବନଖଣ୍ଡ ଲାଗି ଆବଶ୍ୟକ କର୍ମଚାରୀ ନାହାନ୍ତି। ହାତଗଣତିଙ୍କୁ ନେଇ ବନାଗ୍ନି ମୁକାବିଲା କରୁଛି ବନ ବିଭାଗ। ଯଦି ଏପରି ଚାଲେ, ତେବେ ୨୦୨୧ ବନାଗ୍ନିକୁ ଟପିଯିବ ଓଡ଼ିଶା। ଯଦି ଗୋଆ ଭଳି ଛୋଟ ରାଜ୍ୟ ହେଲିକପ୍ଟର ସହାୟତାରେ ଜଙ୍ଗଲ ନିଆଁ ଲିଭାଇ ପାରୁଛନ୍ତି, ତେବେ ‌ଓଡ଼ିଶାରେ କାହିଁକି ନୁହେଁ? ଜଙ୍ଗଲ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ହେୟଜ୍ଞାନ କାହିଁକି? ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଏକ ଦୁଧିଆଳି ଗାଈ ସଦୃଶ। ପ୍ରତିବର୍ଷ ଜଙ୍ଗଲଜାତ ଦ୍ରବ୍ୟ, କାଠ ବିକ୍ରି କରି ଓଏଫ୍‌ଡିସି ପ୍ରଚୁର ଲାଭ କରୁଛି। ସେଥିରୁ ମିଳୁଥିବା ଅର୍ଥକୁ ନିଆଁ ଲିଭାଇବାରେ ଖର୍ଚ୍ଚ କରାଯାଉନାହିଁ କାହିଁକି? ଜଙ୍ଗଲ ବିଭାଗ ବାବୁ, ବାବୁଆଣୀମାନେ କେବଳ ‌ଯେ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ବସି ଜଙ୍ଗଲ ବଢ଼ୁଥିବା କହିଦେଲେ ହେବ ନାହିଁ। ଏବେ ସେମାନଙ୍କୁ ବାହାରକୁ ଆସି ସ୍ଥିତି ଦେଖିବାକୁ ପଡ଼ିବ। ନ ହେଲେ ଓଡ଼ିଶାର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି ହେବ।

publive-image

ସେପଟେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ରିପୋର୍ଟ ଆଜି ଚିନ୍ତା ବଢ଼ାଇ ଦେଇଛି। ଚଳିତବର୍ଷର ରାଜ୍ୟର ସବୁଠାରୁ ଅଧିକ ବନାଗ୍ନି ପଞ୍ଜିକୃତ ହୋଇଛି। ଶନିବାର ମଧ୍ୟାହ୍ନରେ ମାତ୍ର ୨୧୫ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଯାହାକି ଆଜି ୧୮୪୦ରେ ପହଞ୍ଚିଛି। ଅର୍ଥାତ୍‌ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬୨୫ଟି ସ୍ଥାନରେ ନୂତନ ଜଙ୍ଗଲ ନିଆଁ ସାମ୍ନାକୁ ଆସିଛି। ସେହିପରି ଶନିବାର ରାଜ୍ୟର ୪୪ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଥିବା ବେଳେ ଆଜି ତାହା ୧୫୩ଟି ସ୍ଥାନରେ ପହଞ୍ଚିଛି। ନଭେମ୍ବରରୁ ଆଜି ମଧ୍ୟରେ ଦେଶରେ ୪୬ହଜାର ୯୭୭ଟି ସ୍ଥାନରେ ଜଙ୍ଗଲ ନିଆଁ ସାମ୍ନାକୁ ଆସିଛି। ସେଥିରୁ କେବଳ ଓଡ଼ିଶାରେ ୧୬ହଜାର ୧୨୪ଟି ରହିଛି। ଅର୍ଥାତ୍‌ ଦେଶର ମୋଟ ଜଙ୍ଗଲ ନିଆଁର ୩୫% କେବଳ ଓଡ଼ିଶାରେ। ସେହିପରି ଦେଶର ୬୧୦୬ଟି ବଡ଼ଧରଣ ବନାଗ୍ନି ମଧ୍ୟରୁ ଓଡ଼ିଶାରେ କେବଳ ୧୦୨୯ଟି ଲାଗିଛି।

publive-image

ଯଦି ଗତ ୭ ଦିନ କଥା ଦେଖିବା, କେବଳ ଓଡ଼ିଶାରେ ୭ହଜାର ୫୯୧ଟି ବନାଗ୍ନି ଚିହ୍ନଟ କରାଯାଇଛି। ମାର୍ଚ୍ଚ ୫ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଦେଶର ସର୍ବାଧିକ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ୬୩୦ଟି ବନାଗ୍ନି ସହ ଓଡ଼ିଶା ଶୀର୍ଷରେ ଥିବା ବେଳେ କର୍ଣ୍ଣାଟକରେ ୨୬୭, ଆନ୍ଧ୍ରପ୍ରଦେଶରେ ୨୩୧, ଛତିଶଗଡ଼ରେ ୨୨୦ଟି ସ୍ଥାନରେ ଜଙ୍ଗଲ ଜଳିଛି। ନଭେମ୍ବର ପହିଲାରୁ ଏପର୍ଯ୍ୟନ୍ତ ବଡ଼ଧରଣର ବନାଗ୍ନି ମଧ୍ୟରେ ଓଡ଼ିଶା ପ୍ରଥମରେ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ୮୦୫, କର୍ଣ୍ଣାଟକରେ ୭୨୫, ତେଲେଙ୍ଗାନା‌ରେ ୫୨୮ଟି ରହିଛି। ଆଜି ଦେଶର ୫୧୧ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ଜଳୁଛି। ସେଥିମଧ୍ୟରୁ ଓଡ଼ିଶାରେ ୧୫୩ଟି ଥିବା ବେଳେ ଛତିଶଗଡ଼ରେ ୪୮, କର୍ଣ୍ଣାଟକରେ ୪୨, ତେଲେଙ୍ଗାନାରେ ୩୮, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୩୫ଟି ଲେଖାଏ, ଆନ୍ଧ୍ରପ୍ରଦେଶରେ ୩୧, ମିଜୋରାମରେ ୨୨ଟି ରହିଛି। କୋରାପୁଟ ଓ ବ୍ରହ୍ମପୁର ସର୍କଲ ଏବେ ଅଧିକ ସମ୍ବେଦନଶୀଳ ହୋଇଯାଇଛି। ଉକ୍ତ ଦୁଇ ସର୍କଲରେ ଅଧିକ ବନାଗ୍ନି ଲାଗି ରହିଥିବା ଏଫ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଛି।