ନବରଙ୍ଗପୁର: ନଗଦ ଟଙ୍କା ସହ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ। ବାଇକରେ ୧.୫୩ ଲକ୍ଷ ଟଙ୍କା ନେଇ ଖାତିଗୁଡ଼ାରୁ ଜଗନ୍ନାଥପୁର ଆସୁଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି। ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିଲେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ସେ ଦେଇପାରି ନଥିଲେ।
ବିନାୟକ ଗୋଟିଏ ବ୍ୟାଗ୍ରେ ଟଙ୍କା ନେଇ ବାଇକ୍ରେ ଯାଉଥିବା କୌଣସି ସୂତ୍ରରୁ ଭିଜିଲାନ୍ସ ନିକଟରେ ଖବର ପହଞ୍ଚିଥିଲା। ଏହାପରେ ଯୋଜନା କରି ଭିଜିଲାନ୍ସ ଟିମ୍ ଖାତିଗୁଡ଼ା ଇନ୍ଦ୍ରାବତୀ ପୋଲ ନିକଟରେ ଅପେକ୍ଷା କରିଥିଲା। ବିନାୟକ ପହଞ୍ଚିବା ପରେ ତାଙ୍କୁ ଅଟକାଇ ଯାଞ୍ଚ କରିବାରୁ ନଗଦ ଟଙ୍କା ମିଳିଥିଲା। ତେଣୁ ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚୁରା କରାଯାଇଥିଲା। ସେହିପରି ନବରଙ୍ଗପୁର ସହର ରାଜୁସାହିସ୍ଥିତ ତାଙ୍କ ଭଡ଼ା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି। ଯାଞ୍ଚ ଚାଲିଛି, ସରିବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଡିଏସ୍ପି ଜୟଶ୍ରୀ ପ୍ରଧାନ କହିଛନ୍ତି।
ଅନ୍ୟପକ୍ଷରେ, ଜଗନ୍ନାଥପୁର ବିଟ୍ ଅଧୀନରେ ଚାଲିଥିବା ବିଭିନ୍ନ କାମରେ ଶ୍ରମିକଙ୍କୁ ମଜୁରି ଦେବାକୁ ଟଙ୍କା ନେଇ ଯାଉଥିଲେ ବୋଲି ବିନାୟକ ସଫେଇ ଦେଇଛନ୍ତି। ତାଙ୍କ ଘର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆଜି ରାତିରେ ଜୟପୁରସ୍ଥିତ ଭିଜିଲାନ୍ସ ମୁଖ୍ୟାଳୟକୁ ତାଙ୍କୁ ନିଆଯିବ ବୋଲି ଜଣାପଡ଼ିଛି। ଚଢ଼ଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍ପି ଜୟଶ୍ରୀ ପ୍ରଧାନଙ୍କ ସମେତ ଜୟପୁର ଇନ୍ସପେକ୍ଟର ସଂଜୟ କୁମାର ପ୍ରଧାନ, ଏଏସ୍ଆଇ ଦିଲୀପ କୁମାର ଭୂୟାଁ, ଦୁର୍ଗା ପ୍ରସାଦ ପଣ୍ଡା ଓ ଅନ୍ୟମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/sfshsfhfhfh.jpg)