ବନରକ୍ଷୀଙ୍କୁ ଗୁଳି କରି ମାରିଦେଲେ ଶିକାରୀ

ଅନ୍ଧାର ରାତିରେ ବନ ବିଭାଗର ସର୍ଚ୍ଚ ଅପରେସନ୍‌ ଜାରି

ବାରିପଦା: ରକ୍ତରଞ୍ଜିତ ହେଲା ଶିମିଳିପାଳ ଅଭୟାରଣ୍ୟ। ଏଥର ବର୍ବରତାର ସବୁସୀମା ଟପିଗଲେ ଶିକାରୀ। ଶିକ‌ାର କରିବାକୁ ଯାଇଥିବା ବେଳେ ଚଢ଼ଉ ହେବାରୁ ଖସିଯିବା ଉଦ୍ଦେଶ୍ୟରେ ବନ କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳିମ‌ାଡ଼ କରିଛନ୍ତି। ଏଥିରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ମୃତକ ହେଲେ ବିମଳ କୁମାର ଜେନା। ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ହାଇଆଲର୍ଟ ଜାରି କରିଛି ବନବିଭାଗ। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସୂଚନା ଅନୁଯାୟୀ; ଶିମିଳିପାଳ ଉତ୍ତର ଡିଭିଜନ୍‌ର ଶେଷସୀମା ଓ ଦକ୍ଷିଣା ଡିଭିଜନ୍‌ର ଆରମ୍ଭରେ ଥିବା ବାଉଁଶଖାଲ ବିଟ୍‌ ହାଉସ୍‌ ପାଖରେ କିଛି ଶିକାରୀ ମାରଣାସ୍ତ୍ର ସହ ବୁଲୁଥିବା ଖବର ପାଇଥିଲା ବନ ବିଭ‌ାଗ। ତୁରନ୍ତ ବନ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ତେବେ ସନ୍ଧ୍ୟା ହୋଇ ଆସୁଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଗଛ ଆଢ଼ୁଆଳରୁ ରହି ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ଶିକାରୀ। ପ୍ରତିଆକ୍ରମଣରେ ବନ କର୍ମଚାରୀ ମଧ୍ୟ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟ ମଧ୍ୟରେ ଟଳି ପଡ଼ିଥିଲେ ବନରକ୍ଷୀ ବିମଳ। ସାଥୀ କର୍ମଚାରୀ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଜଙ୍ଗଲ ଭିତରକୁ ଯାଇଛି। ଶେଷ ଖବର ସୁଦ୍ଧା ବିମଳଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇପାରିନି। ଶିକାରୀମାନେ ଏବେ ବି ଜଙ୍ଗଲ ଭିତରେ ଥିବାରୁ ସେମାନଙ୍କୁ ଧରିବାକୁ ଅନ୍ଧାର ରାତିରେ ବି ଅପରେସନ୍‌ ଜାରି ରଖିଛି ବନ ବିଭାଗ।

ସମ୍ବନ୍ଧିତ ଖବର