ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ ୩୬ ହଜାର ଟଙ୍କା, ବନରକ୍ଷୀଙ୍କୁ ଧରିଲା ଭିଜିଲାନ୍‌ସ

ଯୁଯୁମୁରା: ଗୃହ ନିର୍ମାଣ ଓ ବୃକ୍ଷରୋପଣର ଏକ ବିଲ୍‌ ପାସ୍‌ କରିବା ପାଇଁ ବନ ସୁରକ୍ଷା କମିଟି (ଭିଏସ୍‌ଏସ୍‌)ର କୋଷାଧ୍ୟକ୍ଷଙ୍କ ଠାରୁ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ସମିତିର ସଂପାଦିକା ବନରକ୍ଷୀ ମଧୁସ୍ମିତା ମହାପାତ୍ର। ସମ୍ବଲପୁର ଭିଜିଲାନ୍‌ସ ଉପଖଣ୍ଡର ଅଧିକାରୀମାନେ ସମ୍ବଲପୁର ସଦର ରେଂଜ ଅନ୍ତର୍ଗତ ଯୁଯୁମୁରା ଅଂଚଳରେ ମଧୁସ୍ମିତା ମହାପାତ୍ର ଲାଞ୍ଚ ନେଉଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରି ରସାୟନ ବୋଳାଯାଇଥିବା ଟଙ୍କା ଜବତ କରିଛନ୍ତି।

ସୂଚନା ଅନୁସାରେ ସମ୍ବଲପୁର ସଦର ରେଂଜର ଯୁଯୁମୁରା ଅନ୍ତର୍ଗତ ବେହେରାନୀ ବସା ଗାଁରେ ଗ୍ରାମ୍ୟ ବନ କମିଟି ଦ୍ୱାରା ଓଡ଼ିଶା ଫରେଷ୍ଟ ସେକ୍ଟର ଡଭଲପ୍‌ମେଣ୍ଟ ପ୍ରୋଜେକ୍ଟ (ଓଏଫ୍‌ଡିସିପି) ଯୋଜନାରେ କୋଠାଘର ନିର୍ମାଣ, ବୃକ୍ଷରୋପଣର ବିଲ୍‌, ଭାଉଚର, ମଷ୍ଟର ରୋଲ୍‌ସ ଆଦି ପ୍ରସ୍ତୁତି କରିବା ପାଇଁ ସମିତି ସଂପାଦକ ଦାୟିତ୍ବରେ ଥିବା ବନରକ୍ଷୀ ମଧୁସ୍ମିତା ମହାପାତ୍ରା କମିଟିର କୋଷାଧ୍ୟକ୍ଷ ପର୍ଶୁରାମ ମିର୍ଦ୍ଧାଙ୍କୁ ୩୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ପର୍ଶୁରାମ ମଧ୍ୟ ଟଙ୍କା ଦେବାକୁ ରାଜି ହୋଇଥିଲେ।

ତେବେ ବନରକ୍ଷୀଙ୍କୁ ପାନେ ଦେବା ଲାଗି ପର୍ଶୁରାମ ମନସ୍ଥ କରିଥିଲେ। କିନ୍ତୁ ସେ ଭିଜିଲାନ୍‌ସ କାର୍ଯ୍ୟାଳୟକୁ ଯାଇ ଘଟଣା ସଂପର୍କରେ ଅଧିକାରୀମାନଙ୍କୁ କହିଥିଲେ। ଯୋଜନା ଅନୁସାରେ ପର୍ଶୁରାମ ଆଜି ମଧୁସ୍ମିତାଙ୍କୁ ରସାୟନିକ ପଦାର୍ଥ ବୋଳାଯାଇଥିବା ୩୬ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନ୍‌ସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଶ୍ରୀମତୀ ମହାପାତ୍ରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ସମ୍ବଲପୁରସ୍ଥିତ ଭଡ଼ା ଘରେ ସର୍ଚ୍ଚ କରାଯାଉଛି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର