୩ ଦିନ ହେଲା ଫରେଷ୍ଟ ଗାର୍ଡ ନିଖୋଜ, ପରିବାର ଓ ବନ ବିଭାଗ ପକ୍ଷରୁ ନର୍ଲା ଥାନାରେ ଏତଲା

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫାଣ୍ଡି ଅନ୍ତର୍ଗତ ସିକେରକୁପା ବନ ବିଭାଗର ଫରେଷ୍ଟ ଗାର୍ଡ ସୁହାଗରଞ୍ଜନ ପଣ୍ଡା ଗତ ୩ ଦିନ ହେଲା ନିଖୋଜ ହୋଇଯାଇଛନ୍ତି। ଏନେଇ ଶୁକ୍ରବାର ବିଶ୍ୱନାଥପୁର ବନବିଭାଗ ପକ୍ଷରୁ ନର୍ଲା ଥାନାରେ ଏତଲା ଦିଆଯାଇଛି।

ବନପାଳଙ୍କ ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ବିଶ୍ୱନାଥପୁର ରେଞ୍ଜ ଅଫିସ ମିଟିଂକୁ ଯିବା ପାଇଁ ସକାଳ ୧୦ଟା ପୂର୍ବରୁ ସେ ସୁହାଗଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ, ଏହା ପରଠାରୁ ନିଖୋଜ ଥିଲେ। ୨୧ ତାରିଖ ସନ୍ଧ୍ୟାରେ ସମସ୍ତ ବନ କର୍ମଚାରୀ ଓ ସ୍କ୍ବାଡ ମିଶି ୩ ଦିନ ଧରି ଖୋଜାଖୋଜି କଲା ପରେ ବି ତାଙ୍କର କୌଣସି ପତ୍ତା ମିଳିନାହିଁ। ଫଳରେ, ଶୁକ୍ରବାର ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଏବଂ ସିକେରକୁପା ବନପାଳ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁରୁବାର ସୁହାଗଙ୍କ ମା’ ଓ ଭାଇ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଗୁରୁ ପ୍ରକାଶ କରିଛନ୍ତି।

ସୂଚନାଥାଉକି, ଜୁନାଗଡ଼ ବ୍ଲକ ଦାସୀଗାଁର ପ୍ରମୋଦ ପଣ୍ଡା ବନ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ କାମ କରୁଥିଲେ। ଚାକିରି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ତାଙ୍କ ସ୍ଥାନରେ ବନବିଭାଗ ପକ୍ଷରୁ ତାଙ୍କ ପୁଅ ସୁହାଗରଞ୍ଜନଙ୍କୁ ଫରେଷ୍ଟ ଗାର୍ଡରେ ଚାକିରି ମିଳିଥିଲା। ସେ ୧ବର୍ଷ ହେଲା ପ୍ରଥମ ନିଯୁକ୍ତି ସିକେରକୁପା ବନ ବିଭାଗରେ ପାଇଥିଲେ। ତେଣୁ ମା’ ଓ ଭାଇଙ୍କୁ ଆଣି ଲାଞ୍ଜିଗଡ଼ରୋଡ଼ରେ ଏକ ଘରଭଡ଼ା ନେଇ ରହୁଥିଲେ।

ସମ୍ବନ୍ଧିତ ଖବର