ଦେଓଗାଁ: କାଠରେ ଇଟା ପୋଡ଼ୁଥିବା ଇଟାଭାଟି ଉପରେ ଚଢ଼ଉ କରି ଫରେଷ୍ଟ ଗାର୍ଡ ଫୋନ୍ ପେ’ରେ ଟଙ୍କା ନେଇଥିଲେ। ଏହା ଜଣାପଡ଼ିବା ପରେ ଫରେଷ୍ଟ ଗାର୍ଡ ପୃଥକ ଭାବେ ୩ଟି ରସିଦ୍ କାଟିଥିବା ଜଣାଯାଇଛି। ଘଟଣାଟି ହେଲା, ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜ ଅନ୍ତର୍ଗତ ଦେଓଗାଁ ସେକ୍ସନର ଅଧୀନରେ ଥିବା ପଦ୍ମପୁର ଗାଁର ବୈଶାଖୁ ବିଶ୍ବାଲ ରାଜସ୍ବ ଓ ଜଙ୍ଗଲ ବିଭାଗର ବିନା ଅନୁମତିରେ ବେଆଇନ ଭାବେ କାଠରେ ଇଟା ପୋଡ଼ୁଥିଲେ। ଏହି ଖବର ପାଇ ଦେଓଗାଁ ସେକ୍ସନର ଫରେଷ୍ଟଗାର୍ଡ ଆରତିରାଣୀ ପଧାନ ଫେବ୍ରୁଆରି ୨୨ ତାରିଖରେ ଚଢ଼ଉ କରିଥିଲେ। ମାତ୍ର ମୁଲଚାଲ ହେବା ପରେ ଶ୍ରୀ ବିଶ୍ବାଲ ଫରେଷ୍ଟଗାର୍ଡ ଆରତିରାଣୀ ପଧାନଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଫୋନ୍ ପେ’ ଜରିଆରେ ସାଢ଼େ ୪ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇ ଫରେଷ୍ଟଗାର୍ଡ ଚୁପ ବସିଥିଲେ।
ଏ ସଂକ୍ରାନ୍ତରେ ସାଧାରଣରେ ଆଲୋଚନା ହେବା ପରେ ସଂପୃକ୍ତ ଫରେଷ୍ଟଗାର୍ଡ ଭୟଭୀତ ହୋଇ ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ଗତ ଫେବ୍ରୁଆରି ୨୩ ତାରିଖ ଦିନ ରସିଦ ନମ୍ବର ୯୨୩୯୦ରେ ମାତ୍ର ୫ଶହ ଟଙ୍କାର ରସିଦ କଟିଥିଲେ। ସେହିପରି ମାର୍ଚ୍ଚ ୧ ତାରିଖ ଦିନ ରସିଦ ନମ୍ବର ୯୨୩୯୮ରେ ୧୫ଶହ ଟଙ୍କା ଓ ମାର୍ଚ୍ଚ ୬ ତାରିଖରେ ରସିଦ ନମ୍ବର ୯୨୩୯୯ରେ ପୁଣି ଅଢ଼େଇ ହଜାର ଟଙ୍କା ରସିଦ କାଟି ଟଙ୍କା ଜମା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ କର୍ମଚାରୀ ସରକାରୀ ଟଙ୍କାକୁ ନିଜ ଆକାଉଣ୍ଟରେ ରଖିବା, ଯେଉଁ ଦିନ ଜମା ହୋଇଛି ସେହିଦିନ ରସିଦ ନ ଦେଇ ଜଣେ ବ୍ୟକ୍ତି ଏକକାଳୀନ ଦେଇଥିବା ଜମା ଟଙ୍କାରୁ ପୃଥକ ଭାବେ ୩ଥର ରସିଦ କାଟିବା ଯୋଗୁଁ ଫରେଷ୍ଟଗାର୍ଡଙ୍କ କାମ ପ୍ରତି ସନ୍ଦେହ ଦେଖାଯାଉଛି। ଏନେଇ ଫରେଷ୍ଟ ଗାର୍ଡ ଆରତି ପଧାନଙ୍କୁ ପଚାରିବାରୁ କାଲି ଅଫିସ୍କୁ ଆସନ୍ତୁ କଥା ହେବା ବୋଲି କହିଥିଲେ। ଦେଓଗାଁ ରେଞ୍ଜର ଆଲୋକ ମାଝୀଙ୍କୁ ପଚାରିବାରୁ ଫୋନପେ’ରେ ସରକାରୀ ଟଙ୍କା ଆଦାୟ କରିବା ବେଆଇନ ବୋଲି କହିଛନ୍ତି। ଯଦି ଫୋନ ପେ’ରେ ଟଙ୍କା ନେବା ବେଆଇନ ତା’ ହେଲେ ସମ୍ପୃକ୍ତ କର୍ମଚାରୀ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ପ୍ରଶ୍ନ ହେଉଛି।
ସତ ସାମ୍ନାକୁ ଆଣି ଜେଲ ଗଲେ ୱେବ ସାମ୍ବାଦିକ
ଅନେକ ଗୁଡିଏ ଯୁବକ ୱେବ ମିଡିଆ ରେ କାର୍ଯ୍ୟ କରି ଗ୍ରାମଞ୍ଚଳର ସମସ୍ୟା ଗୁଡିକୁ ଲୋକଲୋଚନକୁ ଆଣୁଛନ୍ତି। ହେଲେ ଦେଓଗାଁ ବନ ଖଣ୍ଡରେ କାର୍ଯ୍ୟ କରୁଥିବା ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ଟଙ୍କା ନିଆ କଥା ପର୍ଦ୍ଦାଫାସ ହୋଇଥିଲା। ଏହି ଘଟଣାକୁ ଚପାଇ ଦେବା ପାଇଁ ଫରେଷ୍ଟ ଗାର୍ଡ ଜଣକ ବଟି ମାଗୁଥିବା ନେଇ ସାମ୍ବାଦିକଙ୍କ ନାମରେ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମଲା ରୁଜୁ କରି ସମ୍ପୃକ୍ତ ସାମ୍ବାଦିକଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।