ଅବସରର ୨୨ ବର୍ଷ ପରେ ବି ମିଳିଲାନି ଅବସରକାଳୀନ ପ୍ରାପ୍ୟ, ଏକ ମାସ ଭିତରେ ପୂର୍ବ ଆଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଅବସରପ୍ରାପ୍ତ ଫରେଷ୍ଟ ଗାର୍ଡଙ୍କୁ ପେନସନ୍ ଓ ଅବସରକାଳୀନ ପ୍ରାପ୍ୟ ମିଳି ପାରିନାହିଁ। ଏବେ ୭୧ ବର୍ଷ ବୟସରେ ପହଞ୍ଚିଥିବା ଆବେଦନକାରୀଙ୍କୁ ପୂର୍ବ ନିର୍ଦ୍ଦେଶ ପାଳନ କରି ଲକ୍‌ଡାଉନ ଉଠିବାର ଏକ ମାସ ଭିତରେ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଯଦି ଏଥିରେ ଅବହେଳା କରାଯାଏ ତେବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏବଂ ପିସିସିଏଫ୍‌ଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆପେ ରୁଜୁ ହେବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଅବସରପ୍ରାପ୍ତ ଫରେଷ୍ଟ ଗାର୍ଡ ଅଚ୍ୟୁତାନନ୍ଦ ବେହେରାଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ୧୯୭୦ରେ ଫରେଷ୍ଟ ଗାର୍ଡ ଭାବେ ଯୋଗଦେଇ ସ୍ବାଭାବିକ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଅସୁସ୍ଥତା କାରଣରୁ ଛୁଟି ଦରଖାସ୍ତ ଦେଇ ସେ ୧୯୯୦, ଏପ୍ରିଲ ୨୪ରୁ ଅନୁପସ୍ଥିତ ଥିଲେ। ୧୯୯୨, ଏପ୍ରିଲ ୪ରେ ସେ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କୁ କର୍ତ୍ତୃପକ୍ଷ ଅନୁମତି ଦେଇ ନଥିଲେ। ଏହାପରେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ବହିଷ୍କାର ପାଇଁ ୧୯୯୮, ଜୁନ୍ ୨୪ରେ ନିର୍ଦ୍ଦେଶ ଦିଆଯାଇଥିଲା। ଡିଏଫଓ ରାଉରକେଲାଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ସେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଟ୍ରିବୁନାଲ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ସ୍ୟାଟ୍‌ଙ୍କ ୨୦୧୧, ଜୁଲାଇ ୨୯ର ରାୟକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ବେଳକୁ ଆବେଦନକାରୀ ଅବସର ବୟସ ଅତିକ୍ରମ କରି ସାରିଥିଲେ। ୨୦୧୬‌, ଜୁଲାଇ ୨୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ବିଭାଗ ବାଧ୍ୟତାମୂଳକ ଅବସର ଦେଇଛି ବୋଲି ରାୟ ଦେଇଥିଲେ। କିନ୍ତୁ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ନ ମିଳିବାରୁ ସେ ପୁଣି ସ୍ୟାଟ୍‌ଙ୍କ ଦ୍ବାରସ୍ଥ ‌ହୋଇଥିଲେ। ୨୦୧୬, ଡିସେମ୍ବର ୧୬ରେ ସ୍ୟାଟ୍ ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ଦୁଇ ମାସ ଭିତରେ ପଦକ୍ଷେପ ନେବାକୁ ଜଙ୍ଗଲ ସଚିବ, ପିସିସିଏଫ୍ ଓ ରାଉରକେଲା ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ପରେ ବି ଆବେଦନକାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ମିଳି ପାରି ନଥିଲା। ସେ ଏହାପରେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଜଙ୍ଗଲ ଓ ପରିବେଶ ସଚିବ, ପିସିସିଏଫ୍‌, ରାଉରକେଲା ଡିଏଫଓ ଓ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର