ବ୍ୟାପୁଛି ବନାଗ୍ନି, ସଂକଟରେ ବନ୍ୟଜନ୍ତୁ

କରଦାଙ୍ଗି : ବସନ୍ତ ଯାଇନି, ଗ୍ରୀଷ୍ମ ଆସିନି, ତଥାପି ବନାଗ୍ନି ବ୍ୟାପିବାରେ ଲାଗିଛି। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌, କୋଇଲି ସୂତା ମାଟି ହୋଡି ସଂରକ୍ଷିତ ଜଙ୍ଗଲ ଜଳୁଛି। ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସଂକଟରେ ବନ୍ୟଜନ୍ତୁ।

ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର ଭିମକାଣ୍ଡ ପଞ୍ଚାୟତର କୋଇଲି ସୂତା ହାଟ ନିକଟ  ଜଙ୍ଗଲରେ ଗୁରୁବାର ଦିନ ନିଆଁ ଲାଗି ଯାଇଛି। ଜଙ୍ଗଲ  ନିଆଁରେ ମୂଲ୍ୟବାନ ଗଛଲତା  ଜଳିଯିବା ସହ ଔଷଧୀୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି। ଜଙ୍ଗଲରେ ଥିବା ମାଙ୍କଡ଼, ଠେକୁଆ, କୋକିଶିଆଳ, ଗଧିଆ, ଝିଟିପିଟି, ସାପ, ବାରାହା, କୁଟୁରା ଆଦି ବନ୍ୟଜନ୍ତୁ ବିପଦରେ ପଡ଼ିଛନ୍ତି। ସେମାନେ ନିଆଁର ପ୍ରକୋପରୁ ରକ୍ଷା ପାଇବାକୁ ଏବେ ଗାଁ ମୁହାଁ ହୋଇଛନ୍ତି। ଫଳରେ  ଶିକାରୀଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି।

ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ  ପଦକ୍ଷେପ ନେଉ ନ ଥିବାରୁ   ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ସଚେତନତାର ଅଭାବରୁ ଏଭଳି ଘଟୁଥିବା କୁହାଯାଉଛି। ତେଲକୋଇ ରେଞ୍ଜ  ବିମଳା ଫରେଷ୍ଟ ବିଟରେ ଫାୟାର ସ୍କାର୍ଡ ଗଠନ କରି ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର