ଜଙ୍ଗଲ ଜମି: ୮୭୮୮ ପରିବାର ଓ ୮୨ ଗାଁକୁ  ମିଳିନି ଅଧିକାର

ଆଉ କେତେ ବର୍ଷ ପରଦେଶୀ ଜୀବନ ବିତାଇବେ ଆଦିବାସୀ

ସୁନ୍ଦରଗଡ଼: ଲେଓସ କୁଜୁର। ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ସୁମରା ପଞ୍ଚାୟତ ଲେବଦାଯୋର ଗାଁର ଜଣେ ଭୂମିହୀନ ଗରିବ ଆଦିବାସୀ।  ୮୦ ବର୍ଷ ତଳେ ତାଙ୍କ ବାପଅଜା ଏଠାରେ ଜଙ୍ଗଲ କାଟି ପଦର ବା ବସ୍ତି ବସାଇଥିଲେ। ରାଜୁଡ଼ା ଅମଳରେ ତାଙ୍କ ପରିବାରକୁ ରାଜା ଚାଷ କରିବାକୁ ଜମି ଦେଇଥିଲେ, ରାଜାଙ୍କ ସ୍ବାକ୍ଷରର ହାତ ପଟ୍ଟା ଏବେ ବି ତାଙ୍କ ପାଖରେ ଅଛି। କିନ୍ତୁ ସେହି ଜମି ଖଣ୍ଡିକ ଏବେ ଜାମକାନି ସଂରକ୍ଷିତ ଜଙ୍ଗଲ ମଧ୍ୟରେ। ତେଣୁ ଜଙ୍ଗଲ ଜମି ଅଧିକାର ଶିରୋନାମା ପାଇଁ ସେ ବହୁବାର ଆବେଦନ କରିଛନ୍ତି।

ଏପରିକି  ଗ୍ରାମସଭାରେ ମଧ୍ୟ ତାଙ୍କ ଆବେଦନ ଅନୁମୋଦିତ ହୋଇ ଅନେକ ବର୍ଷ ବିତିଗଲାଣି। କିନ୍ତୁ  ତାଙ୍କୁ ପଟ୍ଟା ମିଳି ନାହିଁ। ଯେଉଁଥିପାଇଁ ସେ  ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି। ଏହିକ୍ରମରେ ୩ ବର୍ଷ ତଳେ ଝାରସୁଗୁଡ଼ାରୁ ରାୟପୁର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ଓଜିପିଟିଏଲର ଟ୍ରାନ୍ସମିଶନ ଲାଇନ୍ ସେହି ଜମି ଦେଇ ଯାଇଥିବା ଓ ସେଥିପାଇଁ ତାଙ୍କ ଆୟର ଏକ ବଡ଼ ସାଧନ ୧୫ଟି ମହୁଲ ଗଛକୁ କାଟି ଦିଆଯାଇଥିଲେ ମଧ୍ୟ ପଟ୍ଟା ନଥିବାରୁ ତାଙ୍କୁ କ୍ଷତିପୂରଣ ମିଳିଲା ନାହିଁ। ମହୁଲ ଗଛ ଯିବା ପରେ ଏବେ ସେ ପାଉଁରୁଟି ବିକି ପରିବାର ଚଲାଉଛନ୍ତି। ପଟ୍ଟା ପାଇଥିଲେ ତାଙ୍କୁ ମହୁଲ ଗଛର କ୍ଷତିପୂରଣ ମିଳି ଯାଇଥାନ୍ତା।

ସେହିପରି ଗାଁର ବାବୁଲାଲ କେର୍କେଟ ମଧ୍ୟ ସମାନ ଦୁର୍ଦ୍ଦଶାରେ। ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରି କରି ଥକି ପଡ଼ିଛନ୍ତି ସେ। ଫଳରେ ଜମି ମରାମତି ବା ଜମି ସମ୍ପର୍କିତ ଅନ୍ୟ ସରକାରୀ ଯୋଜନା ବା ସୁବିଧାରେ ସେ ସାମିଲ ହୋଇ ପାରି ନାହାନ୍ତି। ଏପରିକି ପଟ୍ଟା ନଥିବାରୁ ଜମିରେ ଉତ୍ପାଦିତ ଧାନ ମଣ୍ଡିରେ ବିକିବାରୁ ମଧ୍ୟ ସେ ବଞ୍ଚିତ ହୋଇଥିବା ପ୍ରକାଶ କରିଛନ୍ତି। କେବଳ ଲେଓସ କି ବାବୁଲାଲ ନୁହନ୍ତି, ଆବେଦନ ସତ୍ତ୍ବେ ଗାଁର ୩୦ରୁ ଅଧିକ ପରିବାରକୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇ ନାହିଁ। ବହୁ ବର୍ଷ ଧରି ସେମାନେ ବିନା ପରିଚୟରେ ଗାଁରେ ପଡ଼ି ରହିଛନ୍ତି। ବହୁ ବର୍ଷ ଧରି ଜଙ୍ଗଲ ମୁଲକର ଆଦିବାସୀ  ଭୋଗୁଥିବା ଏ ଦୁର୍ଦ୍ଦଶା କେବଳ ହେମଗିରରେ ସୀମିତ ନୁହେଁ, ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ଆଦିବାସୀ ଏପରି ଶୋଚନନୀୟସ୍ଥିତିରେ।  ବ୍ୟକ୍ତିଗତ ଜଙ୍ଗଲ ଜମି ଓ ଗୋଷ୍ଠୀଗତ ଅଧିକାର ପାଇଁ ବର୍ଷ ବର୍ଷ ଧରି ଲଢ଼େଇ କରି ଚାଲିଥିଲେ ମଧ୍ୟ ଏହି ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଏଯାଏ ସେମାନଙ୍କ ଅଧିକାର ମିଳି ପାରିନାହିଁ।  ପ୍ରାଶାସନିକ ଉଦାସୀନତା ମଧ୍ୟରେ  ଜିଲ୍ଲାର  ଅନୁମୋଦିତ ୮୭୮୮ ପରିବାର ବ୍ୟକ୍ତିଗତ ଓ ଜିଲ୍ଲାସ୍ତରୀୟ କମିଟିରେ ଅନୁମୋଦିତ ୮୨ଟି ଗାଁ ଜଙ୍ଗଲ ଜମି ଶିରୋନାମା ବା ଅଧିକାର  ପାଇବା ପାଇଁ ଦୌଡ଼ୁଛନ୍ତି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବା ବେଳେ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ଚାଷ ବାସ କରି ଚଳି ଆସୁଥିବା  ଅନେକ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ-୨୦୦୬, ନିୟମ- ୨୦୦୭ ଓ ସଂଶୋଧିତ ନିୟମାବଳୀ-୨୦୧୨ ଅନୁଯାୟୀ  ସେହି ଜମିର ମାଲିକାନା ବା ପଟ୍ଟା ଦିଆଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ  ଆଇନ ଆସିବାର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ଓ ସଂଖ୍ୟାଧିକ ଗାଁକୁ ଅଧିକାର ଦେବାରେ ପ୍ରଶାସନ ଟାଳଟୁଳ ନୀତ ଅବଲମ୍ବନ କରି ଆସୁଛି। ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଆଇନରେ ୪୨୩୫୭ ଆବେଦନ ମଧ୍ୟରୁ ମାତ୍ର ୨୨୬୩୧ ପରିବାରକୁ ପଟ୍ଟା ଦିଆଯାଇଛି। ତେବେ ଏବେ ମଧ୍ୟ ୨୦ ହଜାର ପରିବାର ପଟ୍ଟା ପାଇବା ପାଇଁ ଦିନ ଗଣୁଛନ୍ତି। ଆବେଦନ ମଧ୍ୟରୁ ୩୧୪୧୯ ଗ୍ରାମସଭାରେ ଅନୁମୋଦିତ ହୋଇ ଉପଖଣ୍ଡସ୍ତରୀୟ କମିଟିକୁ ଯାଇଥିବା ବେଳେ ସେଥିରୁ ୨୫୬୨୦ ଦରଖାସ୍ତ ଜିଲ୍ଲା କମିଟିକୁ ପଠାଯାଇଥିଲା।  ସେଥିମଧ୍ୟରୁ ୨୪୪୧୨ଟି ଆବେଦନ ଜିଲ୍ଲା କମିଟିରେ ଅନୁମୋଦିତ ହୋଇଛି।

ଏବେ ବି ଜିଲ୍ଲା କମିଟିରେ ଅନୁମୋଦିତ ୧୭୮୧ ପରିବାରଙ୍କୁ ପଟ୍ଟା ଦିଆଯାଇ ନାହିଁ। ସରକାରୀ ତଥ୍ୟାନୁସାରେ, ସୁନ୍ଦରଗଡ଼ ଉପଖଣ୍ଡରେ ଜଙ୍ଗଲ ଜମି ଅଧିକାର ପାଇଁ ୧୭୨୪୧ଟି  ଆବେଦନ ପଡ଼ିଥିବା ବେଳେ ସେଥିମଧ୍ୟରୁ ୧୪୪୦୯ଟି ଗ୍ରାମସଭା ଓ ୧୦୭୭୯ଟି ଜିଲ୍ଲା କମିଟି ଅନୁମୋଦନ କରି ସାରିଥିବା ବେଳେ ୧୦୫୯୭ ଜଣଙ୍କୁ ପଟ୍ଟା ଦିଆଯାଇଛି। ଏବେ ଗ୍ରାମସଭା ଅନୁମୋଦିତ ୩୬୩୦ ଆବେଦନକୁ ଜିଲ୍ଲା କମିଟି ପକାଇ ରଖିଛି। ସେହିପରି ପାନପୋଷ ଉପଖଣ୍ଡରେ ଦାଖଲ ୧୦୪୫୨ଟି ଆବେଦନ ମଧ୍ୟରୁ ୩୦୯୭ ଗ୍ରାମସଭା ଓ ୨୪୭୯ ଜିଲ୍ଲା କମିଟି ଅନୁମୋଦନ ଲାଭ କରିଛି। ସେଥିମଧ୍ୟରୁ ୨୩୮୬ ଜଣକୁ ପଟ୍ଟା ପ୍ରଦାନ କରାଯାଇଛି। ତେବେ ଉପଖଣ୍ଡରେ ଜିଲ୍ଲା କମିଟି ଅନୁମୋଦିତ ୯୩ ଜଣଙ୍କୁ ପଟ୍ଟା ମିଳି ନଥିବା ବେଳେ ଗ୍ରାମସଭା ଅନୁମୋଦିତ ୬୧୮ ଜଣଙ୍କୁ ଆବେଦନକୁ ଜିଲ୍ଲା କମିଟି ପକାଇ ରଖିଛି। ବଣାଇଁ ଉପଖଣ୍ଡରେ ଦାଖଲ ୧୪୬୬୪ ଆବେଦନ ମଧ୍ୟରୁ ୧୩୯୧୩ ଗ୍ରାମସଭା ଓ ୧୧୧୫୪ ଜିଲ୍ଲା କମିଟି ଦ୍ବାରା ଅନୁମୋଦିତ। ସେଥିମଧ୍ୟରୁ ୯୬୪୮ ଜଣକୁ ପଟ୍ଟା ଦିଆଯାଇଛି।

ହେଲେ ଏବେ ବି ଜିଲ୍ଲା କମିଟି ଅନୁମୋଦିତ ୨୭୫୯ ଆଦିବାସୀଙ୍କୁ ପଟ୍ଟା ଦେବାରେ ପ୍ରଶାସନ ଦିନ ଗଡ଼ାଇ ନେଉଥିବା ବେଳେ ଗ୍ରାମସଭା ଅନୁମୋଦିତ ୨୭୫୯ ଦରଖାସ୍ତକୁ ଜିଲ୍ଲା କମିଟି ବିନା କାରଣରେ ପକାଇ ରଖିଛି। ଅନ୍ୟପଟେ ବ୍ୟକ୍ତିଗତ ଅଧିକାର ନପାଇ ଦରାଣ୍ଡି ହେଉଥିବା ଆଦିବାସୀଙ୍କ ଭଳି ଜିଲ୍ଲାର ୨୨୩ ଗାଁ ଦେଶ ମାନଚିତ୍ରରେ ନିଜ ପରିଚୟ ଖୋଜି ଖୋଜି ହତାଶ ହୋଇଛି। ବହୁ ଦାବି, ଆବେଦନ ପରେ ଯଦିଓ ଜିଲ୍ଲାସ୍ତରୀୟ କମିଟିରେ ୮୨ଟି ଗାଁ ଅନୁମୋଦିତ ହୋଇଛି ସତ,  କିନ୍ତୁ  ଜିଲ୍ଲାର ମାତ୍ର ୩ଟି ଗାଁ  ବାଲିଶଙ୍କରା ବ୍ଲକର ଢାବାଡୋଲି, ପୁଟୁଡିହି ଓ ହେମଗିର ବ୍ଲକର ବାଲିଯୋରି ବ୍ୟତୀତ ଅନ୍ୟ ସବୁ ଗାଁ ଏ ଅଧିକାରରୁ ବଞ୍ଚିତ ହୋଇ ରହିଛି। ଅନୁମୋଦନ ପରେ ବି ପ୍ରଶାସନ ଆଦିବାସୀ ଗାଁଗୁଡ଼ିକୁ ନ୍ୟାଯ୍ୟ ଅଧିକାର ନଦେଇ ପକାଇ ରଖିଥିବାରୁ  ବଣମୁଲକର ଅଧିବାସୀଙ୍କ ମନରେ ସୃଷ୍ଟି ହୋଇଛି ଅସନ୍ତୋଷ। ହିତାଧିକାରୀ ଏବେ ବି ତହସିଲ, ବନବିଭାଗ ଓ ଆଇଟିଡିଏ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ସେହିପରି ଗୋଷ୍ଠୀ ସମ୍ବଳ ଅଧିକାର ପାଇଁ ମଧ୍ୟ ପ୍ରାଶାସନିକସ୍ତରରେ କୌଣସି ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ। ଫଳସ୍ବରୂପ ଏ ମାଟିର ମୂଳ ଅଧିବାସୀ ଆଦିବାସୀ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ହୋଇ ଯୁଗ ଯୁଗ ଧରି ନିଜ ମାଟିରେ ପରଦେଶୀ ଜୀବନ ଜିଉଁଛନ୍ତି।  ଏଥିରୁ ମୁକୁଳିବାକୁ ଆଉ କେତେ ବର୍ଷ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ କେଜାଣି !

ସମ୍ବନ୍ଧିତ ଖବର