ଜଙ୍ଗଲ ଜମି ବିବାଦ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଥୁଆଙ୍ଗପଦର ଗ୍ରାମବାସୀ

ଘଟଣାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ବିଜେପୁର ପଞ୍ଚାୟତର ସିନ୍ଧିଭଟା ଓ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ରବିବାର ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗାଁର ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଲାଞ୍ଜିଗଡ଼, ବିଶ୍ୱନାଥପୁର, ବେନଗାଁ, ବଙ୍କାକୁଣ୍ଡ୍ରୁ ଓ ଭବାନୀପାଟଣା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଘଟଣାକୁ ନେଇ ସିନ୍ଧିଭଟା ଗ୍ରାମବାସୀ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥୁଆଙ୍ଗପଦର ଗ୍ରାମବାସୀ ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହି ଜଙ୍ଗଲରେ ପୂର୍ବ ପୁରୁଷରୁ ଚାଷ କରି ଆସୁଛୁ। ଏଠାରେ ଆମେ ବସବାସ ମଧ୍ୟ କରୁଛୁ। ସମସ୍ତେ ଭୂମିହୀନ ଥିବା ବେଳେ ଚାଷ ନକଲେ ଆମେ ଚଳିବୁ କେମିତି? ପରିବାର ପ୍ରତିପୋଷଣ କରିବୁ କେମିତି? ଏଣୁ ଏହି ଜଙ୍ଗଲ ଜମିରେ ଆମର ଅଧିକାର ଅଛି। ଏଣୁ ସେହି ଅଧିକାର ଆମକୁ ଦିଆଯାଉ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ହେଲେ ବିଶ୍ୱନାଥପୁର ରେଞ୍ଜର ନୋରତ୍ତମ ମାଝୀଙ୍କ କହିବାଅନୁସାରେ ସଂରକ୍ଷିତ ଜଙ୍ଗଲରେ କାହାର ଅଧିକାର ନଥାଏ। ଏହା ସରକାରଙ୍କ ସମ୍ପତ୍ତି। ହେଲେ ବର୍ତ୍ତମାନ ମୁଁ ନୂଆ ଭାବରେ ଏହି ବ୍ଲକରେ ଯୋଗଦେଇଛି। ଅଞ୍ଚଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି। ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁ ଏହି ଦୁଇ ଗାଁର ଗୋଷ୍ଠୀ କନ୍ଦଳ ଦୀର୍ଘଦିନରୁ ରହିଛି, ଅନେକ ଥର ବାରଣ ସତ୍ତ୍ବେ ସେହି ଜଙ୍ଗଲରେ ଚାଷ କରୁଛନ୍ତି, ନିଜ ନିଜ ମଧ୍ୟରେ ପାଟିତୁଣ୍ଡ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର