ମାଲକାନଗିରି: ନିଖିଳ ଓଡ଼ିଶା ମାଲକାନଗିରି ଜିଲ୍ଲା ମୋଟୁ ଠାରେ ୧୦୦ରୁ ଉର୍ଦ୍ଧ୍ବ ଏକର ଜମି ଜବରଦଖଲ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ। ଏନେଇ ନିଜ ଆଡୁ ମାମଲା ରୁଜୁ କରିବା ସହ ପିସିସିଏଫ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷବର୍ଷ ଧରି ଏହି ଜମିଗୁଡିକ ମୋଟୁ ଅଂଚଳର ମୌସୁମ ଖାନ ନାମକ ଜଣେ ବ୍ୟକ୍ତି କବଜା କରିବା ସହ ଏଠି ବିରାଟ କାୟ ପୋଖରୀ ଓ ବଡ଼ବଡ଼ କୋଠା ସହ ଚାଷ କରି ଆସୁଛନ୍ତି ଶହ ଶହ ଏକର ଜମି।ଯାହାକୁ ନେଇ ଅଂଚଳବାସୀ ବିରୋଧ କରିବା ସହ ସ୍ୱର ଉଠାଇଛନ୍ତି। ଏହାସହ ଜିଛିଦିନ ତଳେ ମୌସୁମ ଖାନ ପୂର୍ବ ସରକାରଙ୍କର ଛତ୍ର ଛାୟା ତଳେ ରହି ଜମିଗୁଡିକ ଭୋଗ କରି ଆସୁଥିବା ଅଭିଯୋଗ ହୋଇଥିବା ବେଳେ ଜବାବ ରଖିଥିଲା ବିଜେଡ଼ି। ସେତେବେଳେ ବିଜେଡି ମୌସୁମ ଖାନକୁ କୌଣସି ସହଯୋଗ କରିନଥିବା ସଫେଇ ଦେଇଥିଲା।
ମୌସୁମ ଖାନ ଜଂଗଲ ଜମି ଜବରଦଖଲ କରି ସେଠାରେ କୋଠା ଘର ସହ ଚାଷ କରୁଥିବା ଅଭିଯୋଗ ପରେ ଏନଜିଟି ମାମଲାକୁ ନିଜ ତରଫରୁ କେଶ କରି ଆସନ୍ତା ଡିସେମ୍ବର ୩ ତାରିଖ ଶୁଣାଣୀ ରଖିଛନ୍ତି। ଏହି ଶୁଣାଣି ପରେ ସତ ପଦକୁ ଆସିବ ବୋଲି କୁହାଯାଇଛି। ଏଥିସହ ସେହି ଜବରଦଖଲ ଜମି ପର୍ଯ୍ୟନ୍ତ ସରକାରୀ ଅର୍ଥରେ ଏମଜିଏନଆରଜିରେ ରାସ୍ତା ନିର୍ମାଣ ହୋଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ପ୍ରାୟ ୯ ଲକ୍ଷ ଟଂକା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଛି, ଯାହାକୁ ବିରୋଧ କରିଛନ୍ତି ଜିଲ୍ଲାବାସୀ।
ଅପରପକ୍ଷରେ ମୌସୁମ ଖାନଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଯୋଗୁଁ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଂକ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପରିବାର ଲୋକ କହିଛନ୍ତି ରାଜା ଅମଳରୁ ଏହି ଜମିଗୁଡିକ ଆମ ଅକ୍ତିଆରରେ ରହିଛି। ଏଠାରେ ଥିବା ଜମିଗୁଡିକ ମଧ୍ୟରେ ୭୦ ଏକର ପଟ୍ଟା ଜମି ଥିବା ବେଳେ ଏନ୍ୟ ୧୫୦ ଏକର ଦଖଲ ନୋଟରେ ରହିଛି। ରାଜା ଅମଳରୁ ଏହି ଜମିରେ ଚାଷ କରି ଚଳିଆସୁଛୁ। ଏହା କିପରି ଇସଲାମ ନଗର ହେଲା ବୋଲି ପଚାରିବାରୁ ସେମାନେ ଏହା ଇସଲାମ ନଗର ନୁହେଁ ଇସମାଇଲ ନଗର ବୋଲି କହିଥିଲେ। ଇସମାଇଲ ହେଉଛନ୍ତି ଆମର ଜେଜେବାପା। ତାଂକ ନାମରେ ଏହି ନାମକରଣ ହୋଇଛି। ଆଉ ଏମଜିଏନଆରଜିଏରେ ରାସ୍ତାଟି ବିନାୟକପୁର ଗାଁକୁ ଯାଉଥିବା ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଆମର କୌଣସି ଭୁମିକା ନାହିଁ।ପ୍ରଥମ ପର୍ଯ୍ୟାୟରେ ଅଧା ରାସ୍ତା ନିର୍ମାଣ ହୋଇଛି।ଗୋଟିଏ ସେଣ୍ଟ ବି ଆମ ଅଧୀନରେ ରହିନାହିଁ। ପୁଣି ମୌସୁମ ଖାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ କୌଣସି ଜଂଗଲ ଜମି ଜବରଦଖଲ କରିନାହାନ୍ତି। ସେମାନେ ଜବରଦଖଲ କରି ରଖିଥିବା ଜାଗା ଲାଗି ଜଂଗଲ ଜମି ରହିଛି।ଯାହା ଆଦିବାସୀ ଲୋକଙ୍କ ନାମରେ ଜଂଗଲ ଜମିପଟ୍ଟା ହୋଇଛି।
ତେବେ ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ସରିଥିବା ଜଣାପଡ଼ିଛି। ଜାତୀୟ ଗ୍ରୀନ ଟ୍ରିବୁନାଲ ହସ୍ତକ୍ଷେପ ପରେ ସବୁ ସତ ପଦାକୁ ଆସିବ ବୋଲି କୁହାଯାଇଛି। ଅନ୍ୟଦିଗରେ ବିଜେପିର ଜିଲ୍ଲା ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ କହିଛନ୍ତି ଯେ ମୌସୁମ ଖାନ ସରକାରୀ ଜମିରେ ପୋଖରୀ ଖୋଲିବା ସହ ଚାଷ କରୁଛନ୍ତି। ଏଥିସହ ବଡ ବଡ କୋଠାଘର ନିର୍ମାଣ କରିଛନ୍ତି ଏବଂ ନକଲି ଔଷଧ କାରଖାନା ମଧ୍ୟ ନିର୍ମାଣ କରିଛନ୍ତି।ସେହିପରି ବିଜେପିର ବରିଷ୍ଠ ନେତା ନବଘନ ଲୋକେଇ ମଧ୍ୟ ସମାନ କଥା ଦୋହରାଇଛନ୍ତି। ନିଜର ସ୍ବଳ୍ପ ଜମି ରହିଥିବା ବେଳେ ଏକର ଏକର ସରକାରୀ ଏବଂ ଜଂଗଲ ଜମିକୁ ହାତେଇଛନ୍ତି। ଏହାର ତଦନ୍ତ ହେଲେ ସବୁ ପଦାକୁ ଆସିବ।
ପ୍ରକାଶ ଥାଉକି ପ୍ରଶାସନ ତରଫରୁ ତଦନ୍ତ କରାଯାଇ ଜମାଲ ଖାନଙ୍କର ଔଷଧ କାରଖାନାକୁ ସିଲ କରିଦିଆଯାଇଛି। ଏନଜିଟିର ଶୁଣାଣୀ ପୂର୍ବରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲାପାଳ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି କୁହାଯାଇଛି।