ଭୁବନେଶ୍ବର: ଓଡ଼ିଶାରେ ଚଳିତ ନିର୍ବାଚନର ଫଳାଫଳ ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି। ପୂର୍ବରୁ ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶରେ ବିଜେପି ସରକାର ଜଙ୍ଗଲ ଜମି ଲୁଟି ସଫା କରିଦେଇଛି। ଏବେ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ନବରଙ୍ଗପୁର ଭଳି ଜିଲ୍ଲାର ଆଦିବାସୀଙ୍କ ଘରଦ୍ବାର ଉପରେ ଏ ସରକାରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ହଠାତ୍ ଓଡ଼ିଶାକୁ ସୁଟ୍‌ ବୁଟ୍‌ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି ବୋଲି କହିଛନ୍ତି ପିସିସି ପ୍ରଭାରୀ ଅଜୟ କୁମାର। ଆଜି କଂଗ୍ରେସ ଭବନ‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଥିଲେ, ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ଭରସା ଓ ବିଶ୍ବାସ କଂଗ୍ରେସ ପ୍ରତି ବୃଦ୍ଧି ପାଇଛି। କଂଗ୍ରେସର ୧୪ ବିଧାୟକ ୧୪୦ ବିଧାୟକଙ୍କ ସହ ସମାନ। ସେମାନେ ବିଧାନସଭାରେ ଓ ବାହାରେ ରାଜ୍ୟବାସୀଙ୍କ ସ୍ବାର୍ଥ, ଜଙ୍ଗଲ ଜମିର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। କାରଣ ଆଗାମୀ ଦିନରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସହ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବ। ଓଡ଼ିଶାରେ ‘ବୁରେ ଦିନ ଆନେ ୱାଲା ହୈ..। ରାଜ୍ୟବାସୀଙ୍କ ହାତ କଂଗ୍ରେସ ଛାଡ଼ିବ ନାହିଁ। ଆସନ୍ତା ୫ବର୍ଷ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ। ଚଳିତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ନେତାଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେବ। ଯେଉଁମାନେ ଦଳ ପାଇଁ କିଛି କରିନାହାନ୍ତି କିମ୍ବା ଦଳବିରୋଧୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସେ ଆହୁରିମଧ୍ୟ କହିଥିଲେ ଯେ ଦେଶରେ ମଧ୍ୟ ଜନସାଧାରଣ କଂଗ୍ରେସକୁ ସମର୍ଥନ ଜଣାଇବା ସହ ମୋଦୀ ସରକାରଙ୍କୁ ଜବାବ ଦେଇଛନ୍ତି। ଦେଶରେ ଏନ୍‌ଡିଏ ସରକାର ଗଢ଼ିବାକୁ ଯାଉଥିଲେ ହେଁ ସହଯୋଗୀ ଦଳମାନେ କେତେଦୂର ମୋଦୀଙ୍କ ସହ ରହିବେ ତାହା ଗୁରୁତ୍ବପୂର୍ଣ୍ଣ। ବିଜେପିକୁ କଟାକ୍ଷ କରି କହିଥିଲେ ଯେ ବିଜେପିକୁ ନିର୍ବାଚନୀ ବଣ୍ଡ ଜରିଆରେ ୧୪ହଜାର କୋଟି ଟଙ୍କା ମିଳିଛି। ଏଭଳି ସ୍ଥିତିରେ ଯଦି ବିଜେପିର ବ୍ଲକ୍‌ ସଭାପତିଙ୍କ ନିକଟରେ ଯଦି ହେଲିକପ୍ଟର ନାହିଁ ତାହାଲେ ସେ ଇସ୍ତଫା ଦେଇଦେବା କଥା। ମିଡିଆରେ ବିଜ୍ଞାପନ ଜରିଆରେ ବିଜେପି ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି। କିଛି ଗଣମାଧ୍ୟମର ଆଙ୍କର ମଧ୍ୟ ସେମାନଙ୍କ ପାଇଁ ଦିନରାତି ଲାଗି ପଡ଼ିଥିଲେ ବୋଲି ଶ୍ରୀ କୁମାର କହିଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ଚଳିତ ନିର୍ବାଚନରେ ଜନସାଧାରଣଙ୍କ ମତାମତକୁ ଦଳ ସମ୍ମାନ ଜଣାଉଛି। ବହୁ ଅସୁବିଧା ପରେ ବି କଂଗ୍ରେସ ଲଢ଼େଇ କରିଥିଲା। ଓଡ଼ିଶାରେ ସରକାର ଗଠନ ହୋଇପାରି ନ ଥିବାରୁ ଏଥିପାଇଁ କ୍ଷମା ମାଗୁଛି। ତେବେ ଦଳ ପୂର୍ବରୁ ଯେଉଁ ଯେଉଁ ପ୍ରସଙ୍ଗ ଉଠାଇଥିଲା ତାହାକୁ ଜାରି ରଖିବ। ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନା ଉପ-ମୁଖ୍ୟମନ୍ତ୍ରୀ ମାଲୁଭାଟ ବିକ୍ରମାର୍କା, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ଗଣମାଧ୍ୟମ ସେଲ୍‌ ଅଧ୍ୟକ୍ଷ ବିଶ୍ବରଂଜନ ମହାନ୍ତି ଓ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

୩୦ହଜାରରୁ ଅଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀଙ୍କ ବୈଠକ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ପୂର୍ବାପେକ୍ଷା ଅଧିକ ବିଧାନସଭା ଆସନ ପାଇଛି। ଏଥର ଦଳର ୧୪ ବିଧାୟକ ଥିବା ବେଳେ ସାଂସଦ ସପ୍ତଗିରି ଉଲ୍ଲାକା ପୁଣିଥରେ ସାଂସଦଭାବେ ନିର୍ବାଚିତ ହୋଇଛନ୍ତି। ଏହାବାଦ୍ ଯେଉଁ କଂଗ୍ରେସ ପ୍ରାର୍ଥୀ ୩୦ହଜାରରୁ ଅଧିକ ଭୋଟ୍‌ ପାଇଛନ୍ତି ସେମାନଙ୍କୁ ନେଇ ଏକ ବୈଠକ କରାଯିବ। ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨ଦିନ ଭିତରେ ଏହି ବୈଠକ ବସିବ। ଏହାର ରିପୋର୍ଟ ପିସିସି ପ୍ରଭାରୀଙ୍କୁ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଭଲ ପ୍ରଦର୍ଶନ କରିଥିବା ପ୍ରାର୍ଥୀଙ୍କୁ ଦଳ ବିଭିନ୍ନ ପଦପଦବିରେ ସ୍ଥାନ ଦେବାକୁ ଯୋଜନା କରିଥିବା ଜଣାପଡ଼ିଛି।