ଭୁବନେଶ୍ବର: ଓଡ଼ିଶାରେ ଜଙ୍ଗଲ ବଢ଼ୁଛି। ୨୦୨୧ରେ ଓଡ଼ିଶାରେ ଜଙ୍ଗଲ ଆୟତନ ଯେତିକି ରହିଥିଲା ୨୦୨୩ରେ ତାହା ବୃଦ୍ଧି ପାଇଛି। ଦୁଇ ବର୍ଷ ମଧ୍ୟରେ ୧୫୧.୮୯ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି। ଜଙ୍ଗଲ ଓ ଗଛ ଆଚ୍ଛାଦିତ ଅଞ୍ଚଳକୁ ହିସାବକୁ ନେଲେ ୫୫୮.୫୭ ବର୍ଗ କିମି ବଢ଼ିଛି। ସରକାରୀ ରେକର୍ଡରେ ଥିବା ଜଙ୍ଗଲ ଭିତରେ ଏହି ବୃଦ୍ଧି ପରିମାଣ ୧୧୮.୧୭ ବର୍ଗ କିମି ରହିଛି। ମିଜୋରାମ ପରେ ଓଡ଼ିଶା ଏ ଅଞ୍ଚଳରେ ଅଧିକ ପରିମାଣର ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ତେବେ ରେକର୍ଡଭୁକ୍ତ ଜଙ୍ଗଲ ଭିତରେ ଓ ବାହାରେ ଜଙ୍ଗଲ ବୃଦ୍ଧିକୁ ମିଶାଇଲେ ଏହି ପରିମାଣ ୧୫୨ ବର୍ଗ କିମି ଛୁଇଁଛି। ସାମୂହିକ ଭାବେ ଜଙ୍ଗଲ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟର ବହୁ ଜିଲ୍ଲାରେ ଜଙ୍ଗଲ ପରିମାଣ କମିଛି। ଆଦିବାସୀବହୁଳ ଦେବଗଡ଼ରେ ୧.୭୩ ବର୍ଗ କିମି, ଗଜପତିରେ ୧୧.୬୩, କଳାହାଣ୍ଡିରେ ୬୧.୯୪, କେନ୍ଦୁଝରରେ ୩୦.୯୨, ମାଲକାନଗିରିରେ ୧୨.୩୪, ନବରଙ୍ଗପୁରରେ ୨୯.୪୬, ଅନୁଗୁଳରେ ୫.୫୬, ସମ୍ବଲପୁରରେ ୩୧.୨୭ ବର୍ଗ କିମି ଜଙ୍ଗଲ କମିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମନାକୁ ଆସିଛି। 

Advertisment

ଚିନ୍ତାର ବିଷୟ ହେଉଛି, ଜଙ୍ଗଲ ଜବରଦଖଲ ଓ ନିଆଁ ଲାଗି ପୋଡ଼ିବାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ। ବେଆଇନ ଭାବେ ଜଙ୍ଗଲ ଜମି ଜବରଦଖଲ କରିବାରେ ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମ। ୩୩ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ଜମି ବେଆଇନ ଭାବେ ଦଖଲ ହୋଇଛି। ଏ କ୍ଷେତ୍ରରେ ଆସାମ ପ୍ରଥମ ସ୍ଥାନରେ ରହିଛି। ଆସାମରେ ୩ଲକ୍ଷ ୭୭ ହଜାର ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଥିବା ବେଳେ ଏହା ପଛକୁ ମଧ୍ୟପ୍ରଦେଶରେ ୫୪ ହଜାର ୧୭୩ ହେକ୍ଟର, ଅରୁଣାଚଳ ପ୍ରଦେଶରେ ୫୩,୪୫୦ ହେକ୍ଟର ଏବଂ ଆନ୍ଧ୍ରପ୍ରଦେଶରେ ୩୪,୩୫୮ ହେକ୍ଟର ଜଙ୍ଗଲ ଜମି ବେଆଇନ ଭାବେ ଜବରଦଖଲ ହୋଇଛି। ଓଡ଼ିଶାରେ ଜବରଦଖଲ ହୋଇଥିବା ଜଙ୍ଗଲ ଜମିର ପରିମାଣ ୩୩,୧୫୪.୧୯ ହେକ୍ଟର ରହିଛି।

ପଡ଼ୋଶୀ ପଶ୍ଚିମବଙ୍ଗରେ ୧୦,୨୧୪ ହେକ୍ଟର, ଝାଡ଼ଖଣ୍ଡରେ ୨୯ହଜାର ହେକ୍ଟର, ଛତିଶଗଡ଼ରେ ୭,୬୪୫ ହେକ୍ଟର, ତେଲେଙ୍ଗାନାରେ ୨୦୦୪ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଛି। ତେବେ ଗୋଆ, ପୁଡୁଚେରୀ ଓ ଲାକ୍ଷାଦ୍ୱୀପରେ କୌଣସି ଜଙ୍ଗଲ ଜମି ବେଆଇନ ଭାବେ ଜବରଦଖଲ ହୋଇ ନାହିଁ। ଭାରତୀୟ ଜଙ୍ଗଲ ଆଇନ୍‌ ୧୯୨୭, ବନ୍ୟଜନ୍ତୁ ସୁରକ୍ଷା ଆଇନ୍‍ ୧୯୭୨, ଜଙ୍ଗଲ ସୁରକ୍ଷା ଆଇନ୍‍ ୧୯୮୦ ବଳରେ ରାଜ୍ୟ ସରକାର ବେଆଇନ ଜବରଦଖଲକୁ ମୁକୁଳାଇ ପାରିବେ। କେନ୍ଦ୍ର ସରକାର ଏ ନେଇ ବାରମ୍ବାର ରାଜ୍ୟଗୁଡ଼ିକୁ ଚିଠି ଲେଖିବା ସହ ଜଙ୍ଗଲର ସୁରକ୍ଷା, ବିକାଶ ଓ ଜବରଦଖଲ ଉଚ୍ଛେଦ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତଥାପି କୌଣସି ସୁଫଳ ମିଳି ପାରୁ ନଥିବା ଜଣାପଡ଼ିଛି। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବ୍ୟାପକ କ୍ଷତି ହେଉଛି। ବନ ବିଭାଗ ତଥ୍ୟ କହୁଛି, ୨୦୨୨ରେ ୮,୪୧୪ ହେକ୍ଟର, ୨୦୨୩ରେ ୯,୫୫୦ ହେକ୍ଟର ଓ ୨୦୨୪ରେ ୪,୦୬୭ ହେକ୍ଟର ଜଙ୍ଗଲ ନିଆଁରେ ଜଳିଯାଇଥିଲା। ଚଳିତ ବର୍ଷ ପ୍ରଥମ ଅଢ଼େଇ ମାସ ଅର୍ଥାତ ଜାନୁଆରି ପହିଲାରୁ ଏପ୍ରିଲ ୨୮ ମଧ୍ୟରେ ରାଜ୍ୟରେ ୪,୫୦୬.୦୫ ହେକ୍ଟର ଜଙ୍ଗଲ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଙ୍ଗଲ ପ୍ରତି ମାଡ଼ି ଆସୁଥିବା ଏଭଳି ବିପଦର ମୁକାବିଲା ଦିଗରେ ଏବେଠାରୁ ପଦକ୍ଷେପ ନିଆ ନ ଗଲେ ବିପଦ ସୃଷ୍ଟି ହେବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।