ଖଡ଼ିଆଳ: ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ଖଡ଼ିଆଳ, ବୋଡେ଼ନ, ସିନାପାଲି ପକ୍ଷରୁ ୧୫ ଦଫା ଦାବି ନେଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡ଼ିକ ମଧ୍ୟରେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଆଇନ ୨୦୦୬ ଓ ନିୟମାବଳୀ ୨୦୦୭କୁ ସଠିକ ଭାବରେ କାର୍ଯ୍ୟକାରୀ କରିବା, ଜଙ୍ଗଲ ଭିତରେ ଥିବା ଗାଁ ଗୁଡ଼ିକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରିବା, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଦାବି ପାଇଁ ପଲ୍ଲୀସଭା ନିମନ୍ତେ ବିଜ୍ଞପ୍ତି ଜାରି କରିବା ଆଦି ଉଲ୍ଲେଖ ରହିଛି।

Advertisment

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭ ସମାବେଶରେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନର ସଭାପତି ହୀରାଲାଲ ମାଝୀ, ବୋଡ଼େନ ସଭାପତି ଯୁଧିଷ୍ଠିର ସାହୁ, ସମ୍ପାଦକ ସୌଦାଗର ସାହୁଙ୍କ ସମେତ ବହୁ ମହିଳା ଓ ପୁରୁଷ ଯୋଗଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ଜୋର୍‌ଦାର୍ ଆନ୍ଦୋଳନ କରାଯିବ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।