ଭୁବନେଶ୍ବର : ବେଦଖଲ ହେବେ ରାଜ୍ୟର ୧ ଲକ୍ଷ ୪୨ ହଜାର ୨୩୧ ପରିବାର। ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତରେ ସେମାନଙ୍କ ପଟ୍ଟା ଆବେଦନ ନାକଚ କରାଯିବା ପରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ବେଦଖଲ ହେବାକୁ ଯାଉଥିବା ଏହି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ହୀରାକୁଦ, ଇନ୍ଦ୍ରାବତୀ ଜଳଭଣ୍ଡାର ଏବଂ ବିଭିନ୍ନ ଶିଳ୍ପାୟନର ବିସ୍ଥାପିତ ଅଟନ୍ତି। ଯୋଗ୍ୟ ଥାଇ ମଧ୍ୟ ୩୮୯୧ ଆଦିମ ଜନଜାତିଙ୍କୁ ଜମି ଅଧିକାର ପଟ୍ଟା ମିଳିନାହିଁ।

Advertisment

ସୂଚନା ଅନୁଯାୟୀ, ରାଜ୍ୟର ୩୯.୩୧ ପ୍ରତିଶତ ଅଞ୍ଚଳକୁ ଜଙ୍ଗଲ ଜମି ଭାବରେ ଚିହ୍ନଟ କରାଯାଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତରେ ୨୦୦୫ ମସିହା ଡିସେମ୍ବର ୧୩ ତାରିଖ ପୂର୍ବରୁ ରହୁଥିବା ଆଦିବାସୀ ଏବଂ ୧୯୩୦ ମସିହାରୁ ରହୁଥିବା ଅଣଜନଜାତି ପରିବାରକୁ ସେମାନେ ରହୁଥିବା ଏବଂ ଚାଷ କରୁଥିବା ଜମି ଉପରେ ତାଙ୍କର ଆଇନଗତ ଅଧିକାର ଦିଆଯିବାର ବ୍ୟବସ୍ଥା ରହିଛି। ଗ୍ରାମସଭା, ଉପଖଣ୍ଡ ଏବଂ ଜିଲ୍ଲାସ୍ତରୀୟ କମିଟି ପକ୍ଷରୁ ତଦନ୍ତ ପରେ ଆବେଦନ ଅନୁମୋଦିତ ହୁଏ। ବ୍ୟକ୍ତିଗତ, ଗୋଷ୍ଠୀଗତ, ଜଙ୍ଗଲ ଜମିକୁ ରାଜସ୍ବ ଜମିରେ ପରିଣତ ଏହି ଆଇନକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଅନୁସୂଚିତ ଜାତି-ଜନଜାତି ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏହି ଆଇନ ଅନୁସାରେ ୨୦୨୨ ମସିହା ନଭେମ୍ବର ସୁଦ୍ଧା ୬ ଲକ୍ଷ ୨୯ ହଜାର ୯୧୩ ଜଣ ଜଙ୍ଗଲ ଜମିରେ ଅଧିକାର ପାଇଁ ଆବେଦନ କରିଥିଲେ। ଜିଲ୍ଲାସ୍ତରୀୟ କମିଟି ୪ ଲକ୍ଷ ୬୦ ହଜାର ୫୦୫ ଜଣଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି। ୧ ଲକ୍ଷ ୪୨ ହଜାର ୨୩୧ ଜଣଙ୍କ ଆବେଦନକୁ ନାକଚ କରାଯାଇଛି। ଏଥିରୁ ୪ ଲକ୍ଷ ୫୪ ହଜାର ୪୫୪ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ୨ ଲକ୍ଷ ୯୫ ହଜାର ୦୬୦ ଜଣଙ୍କ ଆରଓଆରକୁ ସଂଶୋଧିତ କରାଯାଇଛି। ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ୯୨୮୮ ରୁ ୮୬୯ ଜଣଙ୍କ ଆବେଦନକୁ ନାକଚ କରାଯାଇଛି। ୨୭୫୯ ଅର୍ଥାତ ପ୍ରାୟ ୩୦ ପ୍ରତିଶତ ଆବେଦନ ବର୍ତ୍ତମାନ ମଧ୍ୟ ପଡ଼ି ରହିଛି। ମାତ୍ର ୪୨୭୮ ଜଣଙ୍କୁ ଅଧିକାର ପତ୍ର ଦିଆଯାଇଛି। ଗ୍ରାମସଭାଗଡ଼ିକରେ ଅଧିକାଂଶ ଆବେଦନକୁ ନାକଚ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାହାର ଆରଓଆର ସଂଶୋଧନ କରାଯାଇ ନାହିଁ।

publive-image Flickr

ରାୟଗଡ଼ା, ମୟୂରଭଞ୍ଜ ଏବଂ ନୂଆପଡ଼ାରେ ସର୍ବାଧିକ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମିଳିଛି। ବ୍ୟକ୍ତିଗତ ଭାବରେ ପଟ୍ଟା ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସମ୍ବଲପୁରର ସର୍ବାଧିକ ୫୭୦, ଯାଜପୁରର ୫୨୪, ସୁନ୍ଦରଗଡ଼ର ୫୦୯, ଗଜପତିର ୧୫୦, ମୟୂରଭଞ୍ଜର ୯୮, କେନ୍ଦୁଝରର ୭୫, ନବରଙ୍ଗପୁରର ୫୭ ଏବଂ କେନ୍ଦ୍ରାପଡ଼ାର ୭ ଜଣ ରହିଛନ୍ତି। ବ୍ୟକ୍ତିଗତ ପଟ୍ଟା ନାକଚ ଜିଲ୍ଲା ମଧ୍ୟରେ ନୂଆପଡ଼ାର ସର୍ବାଧିକ ୧୦ ହଜାର ୭୧୦, ସୁନ୍ଦରଗଡ଼ର ୨୯୫୬, କଟକର ୨୮୨୬, ଝାରସୁଗୁଡ଼ାର ୧୮୩୧, କୋରାପୁଟର ୧୩୮୨, କେନ୍ଦ୍ରାପଡ଼ାର ୧୧୫୨ ଏବଂ ଯାଜପୁରର ୩୨୧ ରହିଛନ୍ତି। ଜଙ୍ଗଲ ଅଧିକାର ଆଇନ ପାଇଁ ୨୨ ହଜାର ୪୪୭ ଆଦିମ ଜନଜାତିଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାର ୫୫୬ ଜଣଙ୍କୁ ଅଧିକାର ଦିଆଯାଇଛି। କାହାରି ଆବେଦନ ନାକଚ ହୋଇନଥିଲେ ମଧ୍ୟ ପଟ୍ଟା କିନ୍ତୁ ମିଳିନାହିଁ।

ଅନୁସୂଚିତ ଜାତି-ଜନଜାତି ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତରୁ କମ ଗାଁକୁ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତରେ ସାମିଲ କରାଯାଇଛି। ରାଜ୍ୟରେ ୪୮୭ଟି ଜଙ୍ଗଲ ଜମି ଗାଁରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳିଛି। ରାଜସ୍ବ ଗାଁ ହେଉନଥିବାରୁ ସେଠାରେ ରହୁଥିବା ଆଦିବାସୀମାନଙ୍କୁ ପଟ୍ଟା ମିଳୁନିକି ଜଙ୍ଗଲ ଜମି ଅଧିକାରର ସ୍ବିକୃତୀ ମିଳୁନି। ପରବର୍ତ୍ତୀ ସମୟରେ କୌଣସି କାରଣ ପାଇଁ ସେମାନେ ବିସ୍ଥାପିତ ହେଲେ କ୍ଷତିପୂରଣରୁ ବଞ୍ଚିତ ହେବା ନେଇ ଆଶଙ୍କା ରହିଛି। ସାମାଜିକ ଅନୁଷ୍ଠାନ ବସୁନ୍ଧରାର ନିର୍ଦ୍ଦେଶକ ଗିରି ରାଓଙ୍କ ଅନୁସାରେ, ଜଙ୍ଗଲ ଜମି ଅଧିକାର ଆଇନର ଉଲ୍ଲଂଘନ କରାଯାଇ ଅଧିକାଂଶଙ୍କ ଆବେଦକ ଆବେଦନକୁ ନାକଚ କରାଯାଇଛି। ତେଣୁ ସେମାନଙ୍କ ଆବେଦନକୁ ଆଉ ଥରେ ସମୀକ୍ଷା କରାଯିବାର ଆବଶ୍ୟକତା ରହିଥିବା ନେଇ ସେ ମତ ଦେଇଛନ୍ତି।