ଡାଲମିଆ ସିମେଣ୍ଟ କାରଖାନାର ଜଙ୍ଗଲ ଆଇନ ଉଲ୍ଲଂଘନ

କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିଏଫଙ୍କ କଡ଼ା ନିର୍ଦ୍ଦେଶ

ଯାଜପୁର : ଯାଜପୁର ଓ କଟକ ଜିଲ୍ଲା ସୀମାନ୍ତରେ ଥିବା ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ (ଏମ/ଏସ କପିଳାସ ସିମେଣ୍ଟ ମାନୁଫକଚର ତଥା ପୂର୍ବତନ ଓସିଏଲ ସିମେଣ୍ଟ) କାରଖାନା ପକ୍ଷରୁ ଜଙ୍ଗଲ ଆଇନକୁ ଖୋଲା ଉଲ୍ଲଂଘନ କରାଯାଇଛି। ଏହାକୁ ନେଇ ଜଙ୍ଗଲ ବିଭାଗର ସର୍ବୋଚ୍ଚ ଅଧିକାରୀ ପିସିସିଏଫ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଆଇନକୁ ଖୋଲା ଉଲ୍ଲଂଘନ କରିଥିବା ଡାଲମିଆ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଓ କାରଖାନାକୁ ରାସ୍ତା କରିଥିବା କଟକ ଆରଡି ନିର୍ବାହୀ ଯନ୍ତ୍ରୀଙ୍କ ବେଆଇନ କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀ ମହଲ ବି ଉଦ୍‌ବେଗ ପ୍ରକାଶ କରିଛି।

କଟକ ଡିଏମଫ୍‌ଙ୍କ ଅଧୀନରେ ରହିଛି କାଳିଆମ୍ବା ସଂରକ୍ଷିତ ଜଙ୍ଗଲ ଓ ବୈରୀ ସଂରକ୍ଷିତ ଜଙ୍ଗଲ। ଏହାକୁ ଲାଗି ରହିଥିବା ଟାଙ୍ଗି(କଟକ) ଓ ଦର୍ପଣ(ଯାଜପୁର)ତହସିଲ ଅଞ୍ଚଳରେ ଡାଲମିଆ ସିମେଣ୍ଟ(ପୂର୍ବତନ ଓସିଏଲ ସିମେଣ୍ଟ) କାରଖାନା କର୍ତ୍ତୃପକ୍ଷ ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରିଛନ୍ତି। ଯାହାକୁ ନେଇ ଡାଳିଯୋଡ଼ା ବନ ସୁରକ୍ଷା ମଞ୍ଚର ପୂର୍ବତନ ସଭାପତି ଗୁରୁତର ଅଭିଯୋଗ କରିଥିଲେ। ଯାହାକି ଜଙ୍ଗଲ ବିଭାଗ ଅଧିକାରୀ, ଆର୍‌ଡ଼ିର କନିଷ୍ଠ ଯନ୍ତ୍ରୀ ଓ କାରଖାନାର ଡିଜିଏମଙ୍କ ମିଳିତ ତଦନ୍ତରେ ବହୁ ବେଆଇନ କାମ ଧରାପଡ଼ିଥିଲା।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ଉଲ୍ଲଂଘନ କରିବା ଘଟଣାରେ କଟକ ବନଖଣ୍ଡ ଅଧିକାରୀ ଗତ ଅଗଷ୍ଟ ୫ ତାରିଖରେ ଚିଠି ନମ୍ବରରେ ୫୭୧୭ରେ ଅନୁଗୁଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ରାଜ୍ୟର ପ୍ରଧାନ ବନସଂରକ୍ଷକ(ବନ୍ୟପ୍ରାଣୀ) ଙ୍କୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚିଠି ଲେଖିଛନ୍ତି । ଗତ ନଭେମ୍ବର ୩୦ତାରିଖରେ ପିସିସିଏଫ( ବନ୍ୟଜନ୍ତୁ)ଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ବନ ସଂରକ୍ଷକ (ଫରେଷ୍ଟ ଡାଇଭରସନ ଓ ନୋଡାଲ ଅଫସର, ଏଫସି ଆକ୍ଟ)କୁ ଏହି ବେଆଇନ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ନମ୍ବର ୧୨୦୬୩ରେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର