ଭବାନୀପାଟଣା : ଲକଡାଉନ ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କାଠ ମାଫିଆମାନେ ସକ୍ରିୟ ହୋଇଛନ୍ତି। ଲକଡ଼ାଇନ ବେଳେ ବେଧଡକ ଭାବରେ ଜଙ୍ଗଲରୁ କାଠ ମାଫିଆମାନେ ଗଛ କାଟୁ ଥିବାବେଳେ ଲକଡାଉନ ଶେଷ ହେବା ପରେ ବାହାରକୁ ଚାଲାଣ କରିବା ପାଇଁ ମସୁଧା ଆରମ୍ଭ କରିଛନ୍ତି। ବିଭିନ୍ନ ସୀମାନ୍ତରେ ଅନ୍ୟ ଜିଲ୍ଲାକୁ ବେଆଇନ ଭାବରେ କାଠ ଚାଲାଣ ହେଉଥିବ ବେଳେ ବନବିଭାଗର ନିଷ୍କ୍ରିୟତା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

Advertisment

publive-image

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ତଲାମ ପଦର ପଞ୍ଚାୟତର ଖାକେଶ ନିକଟ ଏକ ରାଜସ୍ୱ ଜଙ୍ଗଲରୁ ଦିନ ଦୁଇପହରରେ ଗଛ କଟା ଯାଉଥିବା ଦେଖାଯାଇଛି। ବହୁ ସଂଖ୍ୟାରେ ଗଛ କଟା ଯାଉଥିଲେ ମଧ୍ୟ ବନବିଭାଗର ନିଘା ନଥିବା ନେଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବ୍ଲକର ନାକରୁଣ୍ଡି, ଗୁଣପୁର, କର୍ଲାପାଟ ସମେତ ବହୁ ଦୁର୍ଗମ ଅଞ୍ଚଳରେ ଗଛ କଟା ଯାଇ ପଡୋଶୀ ରାୟଗଡା ଜିଲ୍ଲାକୁ ଚୋରାରେ ଗଛ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର ଅମଠା ପଦର, ବିଜେପୁର,ଆମଗୁଡା,ଗଉଡ଼ ଥୁଆଗୁଡା, ନିୟମଗିରି,ଭଟା ଜୁରୀ,ଜାମଚୁଆଁ,ଝିମରି,ଧାଡେନ, ମାଚୁଲ,ବନଜାରି,ଢେପଗୁଡା, ଖିରସାଭଟା ସମେତ ବିଭିନ୍ନ ଅଞ୍ଚଳରୁ ଗଛ କାଟି ରାୟଗଡାକୁ ଚାଲାଣ ହେଉଛି। ମଦନପୁର ରାମପୁର ବ୍ଲକ ର ଦେଢଶୁଲି,ଜାମୁଲି, ବାରବନ୍ଧା,ଉର୍ଲାଦାନୀ ସମେତ ବିଭିନ୍ନ ଅଂଚଳରେ ଗଛ କଟା ଚାଲିଛି। କୋକସରା ବ୍ଲକର ସାହାଜଖୋଲ ସଂରକ୍ଷିତ ଜଙ୍ଗଲର କନ୍ଦାଗଡ଼, କୂଟରୁ, ଡୋକରିଚଞ୍ଚରା, ଜୁନାଗଡ଼ ବ୍ଲକ ର ପର୍ଲା ଗାଁ,ଘନା ସମେତ ବିଭିନ୍ନ ଜଙ୍ଗଲରେ କାଠ ମାଫିଆମାନେ ସକ୍ରିୟ ହୋଇ ପଡିଛନ୍ତି । ବେଧଡକ ଭାବରେ ଗଛ କଟା ଯାଉଥିଲେ ମଧ୍ୟ ବନବିଭାଗ ର ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନବିଭାଗ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଗଛ କଟା ଯାଇ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି।

publive-image

କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ରେଞ୍ଜର ଲାଞ୍ଜିଗଡ଼ ବିଟ ଅଧିନସ୍ଥ ତ୍ରିଲୋଚନ ପୁର ପଞ୍ଚାୟତର ଝିମିରି ଜଙ୍ଗଲରୁ ଗତ ଫେବୃଆରୀ ମାସରେ ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ଆଠ ଲକ୍ଷ ଟଙ୍କାର କାଠ ଧରାଯାଇଥିଲା। ଦଙ୍ଗାବାହାଲି, ସଲପକଣା, ସାପ ଚଞ୍ଚରା, ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଝିମିରି ଜଙ୍ଗଲରେ କାଠ ମାଫିଆମାନେ ବନ କର୍ମଚାରୀ ପରିଚୟ ଦେଇ ଗଛ କାଟୁଥିଲେ । ଏହିଭଳି ବିଭିନ୍ନ ସ୍ଥାନରେ ଲୋକଲୋଚନକୁ ଆସୁଥିବା ଘଟଣା ବନବିଭାଗ ପକ୍ଷରୁ ଚପେଇ ଦିଆଯାଇଛି । ଦିନ ଦୁଇପହରରେ କାଠ ମାଫିଆମାନେ ବେଆଇନ କାଠ ଚାଲାଣ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଅନାୟାସରେ ନିଜ କଳା କାରନାମାର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି। ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ଗଛ କାଟୁଥିବା ବେଳେ ଲକଡାଉନ ଖୋଲିବା ପରେ ବହୁ ସଂଖ୍ୟାରେ କାଠ ଚାଲାଣ ହେବାର ଆଶଙ୍କା ରହିଛି । ରାଜ୍ୟସରକାର ତୁରନ୍ତ ଏ ନେଇ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଦାବି ହୋଇଛି।