ପୋଡୁ ଚାଷ ପାଇଁ ଜଂଗଲ ଧ୍ବଂସ, ବନବିଭାଗ ନିରବଦ୍ରଷ୍ଟା

ବୈପାରିଗୁଡା: ପୋଡୁ ଚାଷ ପାଇଁ ଜଙ୍ଗଲ କାଟିବା ଆରମ୍ଭ ହୋଇସାରିଲାଣି। ଏପରିକି ଜଂଗଲର ଅଧା ଭାଗ ପଦା ହୋଇଗଲାଣି। ତଥାପି ବନବିଭାଗର ନିଦ ଭାଙ୍ଗୁ ନାହିଁ।ଅନ୍ୟ ଦିଗରେ ଜଂଗଲ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ପ୍ରମାଦ ଗଣିବା ସହ ସ୍ଥାନୀୟ ଫରେଷ୍ଟରଙ୍କୁ ଭେଟି ଅଭିଯୋଗ କରିବା ପରେ ସନ୍ତୋଷ ଜନକ ଉତ୍ତର ନପାଇ ସୋମବାର କୋରାପୁଟ ଜିଲ୍ଲା ବୈପାରିଗୁଡା ତହସିଲଦାର ଏବଂ ଥାନାର ଦ୍ୱାରସ୍ଥ ହେବା ପାଇଁ ବାଧ୍ୟ ହୋଇଛନ୍ତି। ବନବିଭାଗର ଉଦାସୀନତା ସାଙ୍ଗକୁ ପୋଡୁ ଚାଷୀଙ୍କ ଜବରଦଖଲ ଭଳି ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ଜାମେଲାବେଡା ଗ୍ରାମରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାମଗିରି ଗୁପ୍ତେଶ୍ୱର ରାସ୍ତାକୁ ଲାଗି ଗୋଚର ଏବଂ ଜଙ୍ଗଲ ରହିଛି।ବର୍ଷ ବର୍ଷ ଧରି ଏ ଗୋଚର ଭୂମିରେ ଗାଈ ଗୋରୁ ଚଳାଇବା ସହ ଗୋଚରକୁ ଲାଗିରହିଥିବା ଜଂଗଲ ଉପରେ ଗ୍ରାମବାସୀମାନେ ନିର୍ଭର କରି ଆସୁଛନ୍ତି। ଜାଳେଣି ପାଇଁ ଶୁଖିଲା କାଠ ସଂଗ୍ରହ ଠାରୁ ଆରମ୍ଭ କରି ଜଂଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ହାଟ ବଜାରରେ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି।

ପୁରୁଷ ପୁରୁଷ ଧରି ଏହି ଜଂଗଲ ସେମାନଙ୍କୁ ବଞ୍ଚିବାର ସାହାରା ଦେଇ ଆସୁଥିବା ଗ୍ରାମବାସୀମାନେ ପ୍ରକାଶ କରିବା ସହ ବର୍ତ୍ତମାନ ସେହି ଜଙ୍ଗଲକୁ ଜବରଦଖଲ କରାଯାଇ ସାରିଲାଣି। ରାମଗିରି ପଞ୍ଚାୟତର ଭାଲୁଗୁଡା ଗ୍ରାମର ସନିଆ ଚାଲାଣ ଏବଂ ସୁକୁ ଚାଲାଣ ଜବରଦସ୍ତ ଗୋଚର ସହ ଜଂଗଲ ନିଜ ଅଧିକାର ନେଇ ସାରିଛନ୍ତି। ଜଙ୍ଗଲରେ ରହିଥିବା ଗଛ ଗୁଡ଼ିକୁ କାଟି ସଫା କରି ସାରିଲେଣି।ବହୁ ପୁରୁଣା ଗଛ ଗୁଡ଼ିକର ମୂଳରୁ ବକଳ ବାହାର କରିବା ଫଳରେ ଗଛ ଗୁଡ଼ିକ ଶୁଖିଯିବା ପରେ ନିଆଁ ଲଗାଇ ଦିଅନ୍ତି। ତାପରେ ହାଣି ଜଂଗଲ ପଦା କରିବା କାମ ଜୋରସୋରରେ ଚାଲୁ ରଖିଛନ୍ତି। ବୁଦୁବୁଦିଆ ଗଛଲତା ହାଣି ଡଙ୍ଗର ତିଆରି କରିସାରିଲେଣି। ଗ୍ରାମବାସୀମାନେ ଏହାର ବିରୋଧ କରିବାରୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି।

ଏସଂପର୍କରେ ଫରେଷ୍ଟରଙ୍କୁ ଜଣାଇବାରୁ ଗୋଚର ଏବଂ ଜଙ୍ଗଲ ରାଜସ୍ୱ ଗ୍ରାମ ଅଧିନରେ ରହିଥିବାରୁ ସେ କିଛି କରିପାରିବେ ନାହିଁ। ଏଥିପାଇଁ ତହସିଲଦାରଙ୍କୁ ଜଣିଇବା ପାଇଁ କହିଥିଲେ। ଗ୍ରାମବାସୀ ଶେଷରେ ବାଧ୍ୟ ହୋଇ ଆଜି ବୈପାରିଗୁଡା ତହସିଲଦାର ଏବଂ ଥାନାରେ ପହଞ୍ଚି ଜଂଗଲ ଏବଂ ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରିଛନ୍ତି। ଏସଂପର୍କରେ ରାମଗିରି ରେଞ୍ଜରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବା ସହ ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ଦିଗରେ ଜୟପୁର ଡିଏଫ୍ଓଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଗଲା ପରେ ବି ସେ ଫୋନ୍ ଉଠାଇ ନଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ରାଜସ୍ବ ଗ୍ରାମ ଅଧିନରେ ରହିଥିବା ଜଂଗଲ ଉପରେ ବନବିଭାଗର କୈାଣସି କର୍ତ୍ତୃତ୍ବ ନ ଥାଏ କି? ବନବିଭାଗର ଏହି ଉଦାସୀନତା ହିଁ ଜଂଗଲ କ୍ଷୟର ଅନ୍ୟତମ କାରଣ ବୋଲି କୁହାଯିବ ନାହିଁ କି?

ସମ୍ବନ୍ଧିତ ଖବର