ଦନ୍ତାହାତୀ ସହ ମୁହାଁମୁହିଁ, ବନ ବିଭାଗ ଗାଡ଼ି ଚୂରମାର୍‌ ଅଳ୍ପକେ ବର୍ତ୍ତିଲେ ବନ କର୍ମଚାରୀ

ବୈରୀ: ଜଂଗଲ ଭିତରେ ହାତୀ ସହ ମୁହାଁମୁହିଁ। କୌଣସି ପ୍ରକାରେ ବନ କର୍ମଚାରୀମାନେ ହାତୀ ଆକ୍ରମଣରୁ ବର୍ତ୍ତିଥିବା ବେଳେ ସେମାନଙ୍କ ଗାଡ଼ିକୁ ଦନ୍ତାହାତୀ ଭାଙ୍ଗି ଦେଇଛି। ବୈରୀ ବନା‌ଞ୍ଚଳର ମଙ୍ଗରାଜପୁର ସେକ୍ସନ ଅନ୍ତର୍ଗତ ଡମଡମଣୀ ସଂରକ୍ଷିତ ଜଙ୍ଗଲରେ ଆଜି ଘଟିଛି ଏଭଳି ଏକ ଘଟଣା। ଘଟଣାରୁ ପ୍ରକାଶ ଯେ ମଙ୍ଗରାଜପୁର ବନପାଳ ମାଣିକ ମୁଣ୍ତା, ବନରକ୍ଷୀ କୃଷ୍ଣ ଟୁଡୁ, ସ୍କ୍ବାଡ୍‌ ଚିନ୍ମୟ ରାଉତ୍, ହୃଷିକେଶ ବେହେରା, ଲପଙ୍ଗ କୁଅଁର, ଡ୍ରାଇଭର ନଗେନ ବାରିକ୍ ବୋଲେରୋ ଗାଡି (ଓଡି ୦୫ ଏସି ୧୨୧୩) ନେଇ ଅପରାହ୍ନ ୩ ଟା ବେଳେ ଡମଡମଣୀ- ବାଞ୍ଜିଆମ୍ବା ରାସ୍ତାରେ ଯାଉଥିବା ବେଳେ ଏକ ଦନ୍ତା ହାତୀ ସହ ସାମନା ସାମନି ହୋଇଥିଲେ। ହାତୀଟି ଏହି ଗାଡିକୁ ଠେଲିବାରୁ ବନକର୍ମଚାରୀ ଭୟରେ ଭୟଭୀତ ହୋଇଯାଇ ଥିଲେ। ଡ୍ରାଇଭର ଗାଡି ଷ୍ଟାର୍ଟ ବନ୍ଦ କରିଦେଇଥିଲା। ଜନ୍ମେଞ୍ଜୟ ରାଉତ୍ ଗାଡିରୁ ଓହ୍ଲାଇ ଦୈାଡିବାରୁ ହାତୀଟି ତାଙ୍କୁ ଗୋଡାଇଲା। ତେବେ ସେ ନିଜ ସାର୍ଟ ଖୋଲି ଏକ ବୁଦା ଉପରକୁ ଫୋପାଡି ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ହାତୀଟି ରାଗରେ ସାର୍ଟକୁ ଦାନ୍ତରେ ଚିରି ପକାଇଥିଲା। ଏହି ସମୟରେ ଗାଡିରେ ଥିବା ଅନ୍ୟ କର୍ମଚାରୀମାନେ ଗାଡିକୁ ଛାଡି ଦୌଡି ପଳାଇଯାଇଥିଲେ। ପରେ ହାତୀଟି ପୁର୍ନବାର ଗାଡି ପାଖକୁ ଆସି ଏହାକୁ ଓଲଟାଇ ଭାଙ୍ଗି ଦେଇଥିଲା। ପରେ ଅନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଭଙ୍ଗା ଗାଡ଼ିକୁ ଆଣି ମଙ୍ଗରାଜପୁର ବିଟ୍ ହାଉସରେ ରଖିଥିବା ଜଣାପଡିଛି। ଏହି ଘଟଣାରେ କିଛି ବନ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର