ଧରାପଡ଼ିଲା  ବନ ଅଧିକାରୀଙ୍କ ‘ମାଛ କେଳେଙ୍କାରୀ’ : ଜବତ କଲେ ୧୬ କ୍ବିଣ୍ଟାଲ୍‌‌, ଦେଖାଇଲେ ଦୁଇ

ଫରେଷ୍ଟର୍‌ କହିଲେ ଆମେ କ’ଣ ଖାଇ ଯାଉଛୁ...

କେନ୍ଦ୍ରାପଡ଼ା/ରାଜନଗର : ଟ୍ରଲର୍‌ ସହିତ ପାଖାପାଖି ସାଢ଼େ ୧୬ କ୍ବିଣ୍ଟାଲ୍‌ ମାଛ ଧରିଲେ। କିନ୍ତୁ ଜବତ୍ ତାଲିକାରେ ୨ କ୍ବିଣ୍ଟାଲ୍‌ ଦର୍ଶାଇଲେ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜବତ୍ ଟ୍ରଲର୍‌ରେ ପାଟ୍ରୋଲିଂ କରିବା ଘଟଣାକୁ ନେଇ ଚର୍ଚ୍ଚା ନ ଥମୁଣୁ ଏବେ ବନ ଅଧିକାରୀଙ୍କ ମାଛ କେଳେଙ୍କାରୀ ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଅବଶିଷ୍ଟ ୧୪କ୍ବିଣ୍ଟାଲ୍‌ ଜବତ ମାଛ କୁଆଡ଼େ ଗଲା ତାହାକୁ ନେଇ କେବଳ ପ୍ରଶ୍ନବାଚୀ ସୃଷ୍ଟି ହୋଇନି, ଏହି ଘଟଣାରେ ଏକ ବଡ଼ଧରଣର ଦୁର୍ନୀତି ସାମ୍‌ନାକୁ ଆସିଛି।

ଗତକାଲି ବନବିଭାଗ ପାଟ୍ରୋଲିଂ ଟିମ ଗହୀରମଥାର ମାଦଳିମାଉଥ ନିକଟ ନିଷିଦ୍ଧାଂଚଳରେ ପଶି ମାଛ ମାରୁଥିବା ବେଳେ ଲକ୍ଷ୍ମୀ ତାରିଣୀ-୩ ଟ୍ରଲରକୁ ଜବତ କରିଥିଲା। ଏହା ସହିତ ଭଦ୍ରକ ଅଂଚଳର ୯ଜଣ ମତ୍ସ୍ୟଜୀବୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ସାଂଘାତିକ କଥାଟି ହେଉଛି ଜବତ ଟ୍ରଲରରେ ଯେତିକି ପରିମାଣର ମାଛ ଥିଲା, ଜବତ୍ ତାଲିକାରେ ସେତିକି ଦର୍ଶାଗଲା ନାହିଁ।  କୋର୍ଟଙ୍କୁ ଦିଆଯାଇଥିବା ଜବତ ତାଲିକା ଓ ମାଜିଷ୍ଟ୍ରେଟ ଇଂଟିମେସନରେ ଜବତ ଟ୍ରଲରରୁ ଗୋଟିଏ ଜିପିଏସ, ୩ଟି ଭିଏଚଏଫ, ଗୋଟିଏ ଫିସ ଫାଇଣ୍ତର, ୮ଟି ନେଟ ଏବଂ ୨ କ୍ବିଣ୍ଟାଲ୍‌ ସାମୁଦ୍ରିକ ମାଛ ଜବତ କରାଯାଇଥିବା ଦର୍ଶାଯାଇଥିଲା। ଖୋଦ୍‌ ଗହୀରମଥା ରେଂଜ ଅଫିସର ଦେବାଶିଷ ଭୋଇ ଏହା ଦର୍ଶାଇଥିଲେ। କିନ୍ତୁ ଜବତ୍ ତୁଳନାରେ କମ୍‌ ଦର୍ଶାଯାଇଥିବା ଖବର ପାଇବା ପରେ ‘ସମ୍ବାଦ’ ଟିମ୍ ଆଜି ସକାଳେ ଶାସନପେଟାସ୍ଥିତ ଗହୀରମଥା ରେଂଜ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ଖୋଳତାଡ଼ କରିବା ପରେ ସବୁ କେଳେଙ୍କାରୀ ଧରାପଡ଼ିଯାଇଥିଲା। ଟ୍ରଲର, ମାଛ ଜବତ ସହ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ଫରେଷ୍ଟର ପ୍ରଫୁଲ୍ଲ ମାଝୀ ହିଁ ଏହି ଗୁମର ଖୋଲି ଦେଇଥିଲେ। ସେ କହିଥିଲେ ଯେ, ଗତକାଲି ଜବତ୍ ଟ୍ରଲରରେ ୮୨ ଟ୍ରେ ମାଛ ଅଛି। ପ୍ରତ୍ୟେକ ଟ୍ରେରେ ପ୍ରାୟ ୨୦ କେଜିରୁ ଅଧିକ ମାଛ ଅଛି। ଆମେ ୨୦ କେଜି ଲେଖାଏ ହିସାବକୁ ନେଇ ୮୨ ଟ୍ରେରେ ହାରାହାରି ୧୬ କ୍ବିଣ୍ଟାଲ୍‌ ୪୦ କେଜି ମାଛ ଥିବା ଆକଳନ କରିଛୁ। ପ୍ରତ୍ୟେକ ଟ୍ରେ ମାଛ ଦାମ୍ ଅତିକମ୍‌ରେ ହଜାରେ ଟଙ୍କା ଲେଖାଏ ହିସାବରେ ୮୨ ହଜାର ଟଙ୍କା ହେବା କଥା। ମାତ୍ର ଗତକାଲି ୪୦ ହଜାର ଟଙ୍କା ଯାଏ ନିଲାମ ଡକାଯିବାରୁ ଏହାକୁ ବାତିଲ କରିଦେଇଥିଲୁ। ହେଲେ ପ୍ରଶ୍ନ ଉଠୁଛି, ଯଦି ଜବତ ଟ୍ରଲରରୁ ୧୬ କ୍ବିଣ୍ଟାଲ୍‌ ୪୦ କେଜି ମାଛ ଜବତ ହୋଇଥିଲା, ତେବେ କୋର୍ଟଙ୍କୁ  ଦିଆଯାଇଥିବା ଜବତ୍ ତାଲିକାରେ ତାହା ଦର୍ଶାଗଲା ନାହିଁ କାହିଁକି? ସାଢ଼େ ୧୬କ୍ବିଣ୍ଟାଲ୍‌ ପରିବର୍ତ୍ତେ ୨କ୍ବିଣ୍ଟାଲ୍‌ ମାଛ ଜବତ ଦର୍ଶାଯିବା ପଛରେ କାରଣ  କଣ ବୋଲି ପଚରାଯିବାରୁ ଶ୍ରୀ ମାଝୀ ଚିହିଁକି ଉଠିଥିଲେ। କହିଥିଲେ, ‘ଯାହା ନିଲାମ ହେଉଛି, ସବୁ ଟଙ୍କା ଡିପୋଜିଟ କରୁଛୁ, ଆମେ କ’ଣ ଖାଇଯାଉଛୁ ବୋଲି ସେ ଓଲଟା ପ୍ରଶ୍ନ କରି କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର