ଭିଜିଲାନ୍ସ ହାତରେ ଵନଵିଭାଗ କିରାଣି: ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ପାଇଁ ନେଉଥିଲେ ୧୦ ହଜାର

ସୁନ୍ଦରଗଡ଼: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଭିଜିଲାନ୍ସ ହାତରେ ପଡିଛନ୍ତି ସୁନ୍ଦରଗଡ଼ ଵନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଶ୍ରୀକାନ୍ତ ହୋତା। ହାତୀ ଆକ୍ରମଣରେ ମୃତ ବାପାଙ୍କ କ୍ଷତିପୂରଣ ରାଶି କରାଇଦେବାକୁ ପୁଅ ଠାରୁ ଶ୍ରୀ ହୋତା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରୀ ଵାଲିଶଙ୍କରା ବ୍ଲକ୍ ଦେଓଭୂବନପୁରର ପାତ୍ରାସ ବାର୍ଲାଙ୍କ ବାପା ଧରୋ ବାର୍ଲା ୨୦୧୯ରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ ମିଳିବାକୁ ଥିବା ଵନ୍ଯଜନ୍ତୁ ଆକ୍ରମଣଜନିତ କ୍ଷତିପୂରଣ ରାଶି ପାଇଁ ପୁଅ ପାତ୍ରାସ ବିଧିଵଦ୍ଧ ଭାବେ ଆଵେଦନ କରିଥିଲେ। କିନ୍ତୁ ବନଖଣ୍ଡ କାର୍ଯ୍ୟାଳୟର କିରାଣି ଶ୍ରୀକାନ୍ତ ହୋତା ଫାଇଲ କାର୍ଯ୍ୟ କରିବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। କିନ୍ତୁ ପାତ୍ରାସ ନିଜ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କ ଫାଇଲ୍ ଆଗକୁ ବଢି ନଥିଲ।

ଆଜିକାଲି କହି କିରାଣି ଶ୍ରୀକାନ୍ତ ଦିନ ଗଡାଇ ଚାଲିଲେ। ଶେଷକୁ ପାତ୍ରାସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଭିଜିଲାନ୍ସ ମାମଲା ରୁଜୁ କରି କିରାଣିକୁ ଧରିବାକୁ ଯୋଜନା କରିଥିଲା। ଆଉ ଆଜି ପାତ୍ରାସ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ କିରାଣି ଶ୍ରୀକାନ୍ତଙ୍କୁ ଟଙ୍କା ଦେବା ପରେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ୍ କାବୁ କରିଥିଲେ। ସୁନ୍ଦରଗଡ଼ ଡିଏସପି ସୁଧାଂଶୁ ଶେଖର ପୁଝାରୀଙ୍କ ନେତୃତ୍ଵରେ ଟିମ ଚଢାଉ କରିଥିଲା।

ସମ୍ବନ୍ଧିତ ଖବର