ଯୋଡ଼ା/ବଡ଼ବିଲ/ଗୁଆଲି/ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ପୃଥକ ସ୍ଥାନରେ ଆଜି ଦନ୍ତାହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାଳିମାଟିରେ ଜଣେ ଯୁବକ ଏବଂ ହରିଚନ୍ଦନପୁର ବ୍ଲକ୍ ବୁଢ଼ାଖମଣ ପଞ୍ଚାୟତ ବାଢ଼ୁଣିଧୁଡ଼ା ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତେବେ ଗୁଆଲି ଘଟଣା ସଂପର୍କରେ ଖବର ପାଇବା ସତ୍ତ୍ବେ ବନ ବିଭାଗ କର୍ମଚାରୀ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିବାରୁ ବନ ଅଧିକାରୀ, କର୍ମଚାରୀ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଜିଲ୍ଲାରେ ହାତୀ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ବଢୁଥିବାବେଳେ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।
ବନ କର୍ମଚାରୀଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ
କେନ୍ଦୁଝରରେ ବଢ଼ୁଛି ହାତୀ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା
ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତ କେନ୍ଦୁଡିହି ମୁଣ୍ଡାବସ୍ତିର ସନ୍ତୋଷ ମୁଣ୍ଡା, ରୀନା ମୁଣ୍ଡାଙ୍କ ସମେତ ଅନ୍ୟମାନେ ଆଜି ପୂର୍ବାହ୍ନରେ ଶାଳପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ସନ୍ତୋଷ ଓ ରୀନା ଏକ ଗୋଠଛଡ଼ା ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ରୀନାଙ୍କୁ ପାଦରେ ଦଳି ଦେଇଥିଲା। ସନ୍ତୋଷ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା। ପତ୍ର ସଂଗ୍ରହ ପାଇଁ ଯାଇଥିବା ଲୋକେ ହୋହଲ୍ଲା କରିବାରୁ ହାତୀଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ୪ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ପରେ ରୁଗୁଡ଼ି ଥାନା ପୁଲିସ ଓ ବଡ଼ବିଲ ତହସିଲଦାର ରାକେଶ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସେହିପରି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା କାଳିମାଟିଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ କାଳିମାଟି ସରକାରୀ ଓଜନ କଣ୍ଟା ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତାହାତୀ ଦୌଡ଼ି ଆସି ସମ୍ପୃକ୍ତ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଲୋକେ କହୁଥିବା ବେଳେ ତାଙ୍କ ପରିଚୟ ମିଳିପାରିନି। ଏହି ଘଟଣାକୁ ନେଇ ସେଠାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ରେଞ୍ଜର ସଞ୍ଜୀବ କୁମାର ରାଉତ, ବନପାଳ ଶରତ ପଟ୍ଟନାୟକ ଓ ବନ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକ ସେମାନଙ୍କୁ ଘେରିଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ହରିଚନ୍ଦନପୁର ବ୍ଲକ୍ ବୁଢ଼ାଖମଣ ପଞ୍ଚାୟତ ବାଢ଼ୁଣିଧୁଡ଼ା ଗ୍ରାମର ରଣଜିତ ମୁଣ୍ଡା (୫୫) ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆଜି ଅପରାହ୍ଣରେ ରଣଜିତ ଗାଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ହାତୀ ତାଙ୍କୁ କଚାଡ଼ି ମାରିଦେଇଥିଲା।