ବଣଭୋଜି ପାଲଟିଲା ରଣକ୍ଷେତ୍ର, ଜଣେ ମୃତ, ୩ ଗୁରୁତର

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ଗୋଚ୍ଛାବାଡ଼ି ପଞ୍ଚାୟତ ରାଇମାଳି ଠାକୁରାଣୀଙ୍କ ପୀଠରେ ରବିବାର ବଣ‌ଭୋଜି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଛି। ପ୍ରତିପକ୍ଷ ଗୋଷ୍ଠୀର ବାଉଁଶ ମୂଳି ମାଡ଼ରେ ମଧୁପଲ୍ଲୀ ଗ୍ରାମର ବାବୁଲା ପ୍ରଧାନ (୪୨)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ରାଧାଶ୍ୟାମ ପ୍ରଧାନ (୩୮), ପ୍ରସନ୍ନ ପ୍ରଧାନ (୪୨) ଓ ସନ୍ନ୍ୟାସୀ ପଲେଇ (୩୮) ଗୁରୁତର ହୋଇଛନ୍ତି। ରାଧାଶ୍ୟାମ ଓ ସନ୍ନ୍ୟାସୀଙ୍କୁ ସଂକଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନାନୁସାରେ, ମଧୁପଲ୍ଲୀ ଓ ପୋଲସରାରୁ ଆଜି ଦୁଇଟି ଗୋଷ୍ଠୀ ଠାକୁରାଣୀଙ୍କ ପୀଠକୁ ବ‌ଣଭୋଜି କରିବା ଲାଗି ଯାଇଥିଲେ। ମଧୁପଲ୍ଲୀ ଗ୍ରାମର ଅର୍ଦ୍ଧାଧିକ ଲୋକ ‌ଖାଇସାରି ଫେରିଥିବା ବେଳେ ଅନ୍ୟ ମାନେ ବସିଥିଲେ। ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ସହ ହାତାହାତି ହୋଇଥିଲା। ପୋଲସରାର କିଛି ଯୁବକ ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଉଁଶ ମୂଳିରେ ହଠାତ୍ ବାବୁଲାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବାବୁଲା ଟଳି ପଡ଼ିଥିବା ବେଳେ ଅନ୍ୟ ମାନେ ଆହତ ହୋଇଥିଲେ। ସମସ୍ତଙ୍କୁ ପୋଲସରା ଡାକ୍ତରଖାନାକୁ ଅଣାଯାଇଥିଲା। ବାବୁଲାଙ୍କ ଶବକୁ ବ୍ରହ୍ମପୁର ବଡ଼ ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଘଟଣା ପ୍ରଚାର ହେବା କ୍ଷଣି ମଧୁପଲ୍ଲୀର ଶତାଧିକ ଲୋକ ମେଡିକାଲରେ ଜମା ହୋଇଯାଇଥିଲେ।

ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ତଦନ୍ତ କରିଥିଲେ। ମୃତକ ବାବୁଲାଙ୍କ ବାପା ଗୋପୀ ପ୍ରଧାନଙ୍କ ଏତଲା କ୍ରମେ କେସ୍ ନମ୍ବର ୨୦୯ ଅନୁସାରେ ଏକ ମାମଲା ରୁଜୁ ସହ ୬ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ମେଡିକାଲ ଯାଇ ଆହତଙ୍କୁ ଭେଟି ପୁଲିସ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର