ରାଜ୍ୟରେ ଜଙ୍ଗଲ ଚାପ ୭୦% କମିଛି

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୨୨୨ଟି ବନ ସଂରକ୍ଷଣ ସମିତି ଓ ପରିବେଶ ଉନ୍ନୟନ କମିଟି ଗଠନ କରାଯାଇଛି। ଏହି ସମିତିଗୁଡ଼ିକ ପ୍ରାୟ ୧୨ ହଜାର ୧୯୨ ବର୍ଗ କିମି ଜଙ୍ଗଲର ରକ୍ଷଣାବେକ୍ଷଣରେ ସାମିଲ ଅଛନ୍ତି। ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଜଙ୍ଗଲ ଉପରେ ବିଭିନ୍ନ କାରଣବଶତଃ ବଢ଼ୁଥିବା ଚାପରେ ୭୦% ହ୍ରାସ ଘଟିଛି। ବନାଗ୍ନି, କ‌ାଠ ଚୋରି, ଜଙ୍ଗଲରେ ‌ଗାଈଗୋରୁ ଚରାଇବା ଆଦି ଧ୍ବସଂକାରୀ ପ୍ରଭାବ ୫୦% କମିଛି। ଫଳରେ ପ୍ରାକୃତିକ ଉପାୟରେ ଗଜା‌ରୁ ଗଛ ହେବା, ବୃକ୍ଷ ଅବାଧରେ ବଢ଼ିବା, ଅଧିକ ଜଙ୍ଗଲ-ଜାତ ଦ୍ରବ୍ୟ ସଂଗ୍ରହ, ବନୀକରଣ, ବନ ସୁରକ୍ଷା ଓ ପ୍ରକୃତି ପର୍ଯ୍ୟଟନ କାର୍ଯ୍ୟ ମାଧ୍ୟମରେ ଲୋକଙ୍କୁ ଅଧିକ ରୋଜଗାର ମିଳିଥିବା ନେଇ ଓଡ଼ିଶାର ଯୁଗ୍ମ ଜଙ୍ଗଲ ପରିଚାଳନା(ଜେଏଫ୍‌ଏମ୍‌) ଅଧ୍ୟୟନର ଫଳାଫଳରୁ ଏଭଳି ସୂଚନା ମିଳିଛି।

ଜେଏଫ୍‌ଏମ୍‌ ଉପରେ ଆୟୋଜିତ ଏକ ଦିନିକିଆ ବୌଦ୍ଧିକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁ‌ରେଶ ଚନ୍ଦ୍ର ମହାପାତ୍ର କହିଲେ ବିକେନ୍ଦ୍ରୀକରଣ ଜଙ୍ଗଲ ପରିଚାଳନା, କ୍ଷେତ୍ରସ୍ତରୀୟ ସମନ୍ବୟ ଓ ଲୋକଙ୍କ ସକ୍ରିୟ ସହଯୋଗ ଯୋଗୁଁ ଓଡ଼ିଶାରେ ଜଙ୍ଗଲର ପରିସର, ଘନତା ଓ ବନ୍ୟଜନ୍ତୁଙ୍କ ସଂଖ୍ୟା ବଢ଼ିଛି। ବନୀକରଣ କାର୍ଯ୍ୟରେ ବନ ସଂରକ୍ଷଣ ସମିତିର ନିୟୋଜନ, ଜଙ୍ଗଲ ଉତ୍ପାଦ ଦ୍ରବ୍ୟରେ ସ୍ଥାନୀୟ ବାସିନ୍ଦାଙ୍କର ଅଧିକାର ନିର୍ଣ୍ଣୟ, ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ପ୍ରକୃତି-ପର୍ଯ୍ୟଟନ, ପରିଚାଳିତ ଜଙ୍ଗଲ ଭ୍ରମଣ, ଜଳାଶ୍ରୟରେ ନୌ-ବିହାର ଆଦି ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ନିର୍ବାହ ଉପାୟମାନ ନୂତନ ଜେଏଫ୍‌ଏମ୍‌ରେ ସାମିଲ କରାଯାଉ। ବନ ସଂରକ୍ଷଣ ସମିତି ଓ ଗ୍ରାମ ସହ ନିୟମିତ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ସହ ସମ୍ପୃକ୍ତ ବିଭାଗ ସହ ସମନ୍ବୟ ମାଧ୍ୟମରେ ଆଶୁ ସମାଧାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା‌ ଯୋଗଦେଇ ସ୍ଥାନୀୟ ଲୋକଙ୍କ ସଶକ୍ତିକରଣ ଓ ସହଭାଗିତା ଓ ଜୀବିକା ନିର୍ବାହ ଆଦି ବିଷୟକୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ। ଜଙ୍ଗଲ ବିଭାଗ ମୁଖ୍ୟ ଅଧିକାରୀ ଶିଶିର କୁମାର ରଥ ଯୋଗଦେଇ ଜେଏଫ୍‌ଏମ୍‌ ରିପୋର୍ଟ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର