ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଟେରିଟରିଆଲ୍ ଫରେଷ୍ଟ୍ ରେଞ୍ଜ୍ ଅଫିସର୍ ତଥା ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍ ଏକକାଳୀନ ଦିଗପହଣ୍ଡିସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ବ୍ରହ୍ମପୁର ବ୍ୟାଙ୍କ୍ କଲୋନି ଦ୍ବିତୀୟ ଲାଇନସ୍ଥିତ ନିଜସ୍ବ ବାସଭବନରେ ଚଢ଼ଉ କରିଛନ୍ତି। ଛାନ୍ଭିନ୍ ବେଳେ ମୋଟ ୫ ଲକ୍ଷ ୩୯ହଜାର ୭୫୦ ଟଙ୍କା ଜବତ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ କେସ୍ ନମ୍ବର ୮ ଅନୁସାରେ ଏକ ମାମଲା ରୁଜୁ ସହ କାହ୍ନୁଚରଣଙ୍କୁ ଗିରଫ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ କାହ୍ନୁଚରଣ ଏକ ଭଡ଼ା ବୋଲେରୋରେ ଦିଗପହଣ୍ଡିରୁ ବ୍ରହ୍ମପୁରରୁ ଫେରୁଥିଲେ। ଏହିସମୟରେ ପୀତାମ୍ବରପୁର ଗ୍ରାମ ପେଟ୍ରୋଲ୍ ପମ୍ପ୍ ନିକଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲେ। ଯାଞ୍ଚ ବେଳେ ତାଙ୍କଠୁ ୧ ଲକ୍ଷ ୫୨ହଜାର ଟଙ୍କା ଜବତ ହୋଇଥିଲା। ସେ ଏତେ ଟଙ୍କା କାହିଁକି ନେଉଥିଲେ, ଏନେଇ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରି ନଥିଲେ। ଫଳରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳୁ ଦିଗପହଣ୍ଡିସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ବ୍ରହ୍ମପୁର ବ୍ୟାଙ୍କ୍ କଲୋନି ଦ୍ବିତୀୟ ଲାଇନସ୍ଥିତ ନିଜସ୍ବ ବାସଭବନରେ ଚଢ଼ଉ ଆରମ୍ଭ ହୋଇଥିଲା। ବ୍ୟାଙ୍କ୍ କଲୋନିସ୍ଥିତ ବାସଭବନରୁ ୩ ଲକ୍ଷ ୪୬ହଜାର ୫୦୦ ଟଙ୍କା ଓ ଦିଗପହଣ୍ଡିସ୍ଥିତ ସରକାରୀ କ୍ବାର୍ଟର୍ସରୁ ୪୧ହଜାର ୨୫୦ ଟଙ୍କା ମିଳିଥିଲା। ଏହିପରିଭାବେ ମୋଟ୍ ୫ ଲକ୍ଷ ୩୯ହଜାର ୭୫୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। କାହ୍ନୁଚରଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି। ଏହାସହ ବ୍ରହ୍ମପୁରସ୍ଥିତ ଘରୁ ୨୩୪ ଗ୍ରାମ୍ ସୁନାଅଳଙ୍କାର ମିଳିଥିବା ସୂଚନା ମିଳିଛି।