ଜବତ କାଠଗଣ୍ଡିକୁ ଚିରାଉଥିଲେ ମହିଳା ରେଂଜର, ଘେରିଲେ ଗ୍ରାମବାସୀ

ବାଙ୍ଗିରିପୋଷି: ବନ ବିଭାଗ ଦ୍ବାରା ଜବତ ହୋଇଥିବା କାଠଗଣ୍ଡି ଗୁଡ଼ିକୁ ଜଣେ ମହିଳା ରେଂଜରଙ୍କ ଉପସ୍ଥିତିରେ କରତ ସାହାଯ୍ୟରେ ଚିରାଯାଉଥିବା ବେଳେ ୯ଟି ଗ୍ରାମର ପ୍ରାୟ ୨୦୦ ଲୋକ ଅତର୍କିତ ଚଢ଼ାଉ କରିଛନ୍ତି। ଉତ୍ତେଜିତ ଲୋକେ ମହିଳା ଅଧିକାରୀଙ୍କୁ ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ହେଲା ଅଟକ ରଖିଥିବା ସୂଚନା ମିଳିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ତାଳବନ୍ଧ ରେଂଜ ଅଧିନ ରେଙ୍ଗାଲିବେଡ଼ା ଗାଁରେ ଆଜି ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ତାଳବନ୍ଧ ରେଞ୍ଜର ମଧୁସ୍ମିତା ଦାଶ ପୂର୍ବରୁ ଜବତ କରିଥିବା ନଅଟି କାଠଗଣ୍ଡିକୁ ଆଜି ଚିରାଉ ଥିଲେ। ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ସେମାନେ ରେଂଜରଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀଙ୍କ କହିବା କଥା ସିଜ କାଠ ଗୁଡିକ ରେଂଜ ଅଫିସ ନ ନେଇ ବିନା ଆଦେଶ ପତ୍ରରେ ରେଙ୍ଗାଲି ବେଡାଗ୍ରାମରେ କାଠ ପଟା ଚିରାଯାଉଛି କାହିଁକି। କାଠଗଣ୍ଡିକୁ ଚିରାଯିବା ବେଆଇନ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ ଯଦି ଗାଁର ଲୋକେ ବ୍ୟକ୍ତିଗତ କାମ ପାଇଁ ଜଙ୍ଗଲରୁ ଖଣ୍ଡିଏ କାଠ ଆଣୁଛନ୍ତି, ତା’ହେ‌ଲେ ବନ ବିଭାଗର କର୍ମଚାରୀଙ୍କ ଦ୍ବାରା ହଇରାଣର ସମ୍ମୁଖୀନ ହେଉଛନ୍ତି।

ମହିଳା ରେଂଜର ଅଟକ ରହିବା‌ ନେଇ ଖବରଟି ପ୍ରଚାର ହେବା ପରେ ଆଖପାଖର ୯ଟି ଗ୍ରାମର ଲୋକେ ଏକତ୍ର ହୋଇଥିଲେ। ଏଥି ସହିତ ରେଂଜରଙ୍କ ଗାଡିକୁ ଅଟକ ରଖିଛନ୍ତି। ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଆସିଲେ ଯାଇ ଯାହା ରେଂଜରଙ୍କୁ ଛଡ଼ା ବୋଲି ବୋଲି ଜିଦ୍‌ କରିଛନ୍ତି।

ଏନେଇ ରେଞ୍ଜର ଶ୍ରୀମତୀ ଦାଶ କହଛନ୍ତି ଯେ ଜବତ କାଠଗଣ୍ଡିକୁ ପଟା ଚିରିବା ପାଇଁ ଅନୁମତି ନେଇଛି। ମାତ୍ର ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଦେଶ ପତ୍ର ଦେଖାଇ ନ ପାରିବାରୁ ଗ୍ରାମବାସୀ ଦିର୍ଘ ସମୟ ହେଲା ଅଟକ ରଖିଛନ୍ତି। ଘଟଣାସ୍ଥଳକୁ ଜେଏମ୍ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଜିଲ୍ଲା ସଭାପତି ଫାଗୁ ହାଃସଦା ପହଞ୍ଚି ବୁଝାସୁଜା କରୁଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ଚାନ୍ଦବିଲ ଗ୍ରାମ ନିକଟସ୍ଥ କାନଛିଣ୍ଡା ବଙ୍ଗଳା ନିକଟରେ ୯ଟି ପିଆଶାଳ କାଠ ଗଣ୍ଡି ଜବତ ହୋଇଥିଲା। ଏହି ଗଣ୍ଡି ଗୁଡିକୁ ରେଙ୍ଗାଲବେଡ଼ା ଆଣି ପଟାଚିରାଉ ଥିବା ବେଳେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ରେଂଜର ଗ୍ରାମକୁ ଯିବା କ୍ଷଣି ତାଙ୍କୁ ସକାଳ ନଅଟା ପାଖରୁ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର