ଭୁବନେଶ୍ବର : ଶିମିଳିପାଳ ଜଙ୍ଗଲରେ ନିଆଁ ନିୟନ୍ତ୍ରଣକୁ ଆସିଯାଇଛି। ଗତକାଲି ଓ ଆଜି ବର୍ଷା ହେବା ଫଳରେ ନିଆଁ ଆପତତଃ ଲିଭିଯାଇଛି। କିନ୍ତୁ ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ବଢ଼ିବାରେ ଲାଗିଛି। ୯ ତାରିଖରେ ମାତ୍ର ୩୪ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ଆଜି ଏହି ସଂଖ୍ୟା ୯୯ ଛୁଇଁଛି। ଭାରତୀୟ ବନ ସର୍ବେକ୍ଷଣ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ମିଳିଛି। ଏହା ଏବେ ସରକାର ଓ ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଗତକାଲି ସୁଦ୍ଧା ବଡ଼ ଧରଣ ନିଆଁ ସମେତ ମୋଟ ୪୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ତେବେ ଆଜି ଏହି ସଂଖ୍ୟା ୧୦୪୮ରେ ପହଞ୍ଚିଛି। ନୂଆପଡ଼ା, ବରଗଡ଼, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କଳାହାଣ୍ଡି, କୋରାପୁଟ ପରି କେତେକ ଜିଲ୍ଲାରେ ନୂଆ ନିଆଁ ଚିହ୍ନଟ ହୋଇଛି। ଦେଶର ୫୬୪ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଥିବା ନେଇ ଏଫ୍ଏସ୍ଆଇ ଆଜି ସୂଚନା ଦେଇଛି। ସେଥିମଧ୍ୟରୁ ଓଡ଼ିଶାରେ ୯୯ଟି ଥିବା ବେଳେ ମିଜୋରାମ୍ରେ ୬୩, ତେଲେଙ୍ଗାନାରେ ୬୫, ଉତ୍ତରାଖଣ୍ଡରେ ୧୧, ମହାରାଷ୍ଟ୍ରରେ ୪୮, ମଧ୍ୟ ପ୍ରଦେଶରେ ୮୬, ଝାଡ଼ଖଣ୍ଡରେ ୩୭, ମଣିପୁରରେ ୧୪, ଝାଡ଼ଖଣ୍ଡରେ ୩୭, ଛତିଶଗଡ଼ରେ ୭୪, ଆନ୍ଧ୍ରପ୍ରଦେଶରେ ୩୪ଟି ବଡ଼ଧରଣର ଜଙ୍ଗଲ ଜଳୁଛି।
ଅନ୍ୟପକ୍ଷରେ ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି ଯେ ଶିମିଳିପାଳ ସମେତ ସାରା ରାଜ୍ୟରେ ବନାଗ୍ନିକୁ ଆୟତ୍ତ କରାଯାଇଛି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଏଫ୍ଏସ୍ଆଇ ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ଚିହ୍ନଟ ହୋଇଥିଲା। ତେବେ ସାଟେଲାଇଟ୍ ମାଧ୍ୟମରେ ଆଜି ୧୦୪୮ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ନଜର ଆସିଛି। ଗତ ଦୁଇ ଦିନରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଇଲାକାରେ ୨୬ ଓ ୨୪ଟି ବନାଗ୍ନି ପଏଣ୍ଟ ତୁଳନାରେ କେବଳ ୫ଟି ବନାଗ୍ନି ପଏଣ୍ଟ ଚିହ୍ନଟ ହୋଇଛି। ଗତକାଲି ଶିମିଳିପାଳର କିଛି ଅଂଶରେ ବର୍ଷା ହୋଇଛି। ଯାହାକି ଶିମିଳିପାଳରେ ଅଗ୍ନି ବିସ୍ତାରକୁ ସମ୍ଭବତଃ ରୋକିପାରେ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଗାମୀ ୩ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଯାହା ଜଙ୍ଗଲ ଅଗ୍ନି ହ୍ରାସ ଦିଗରେ ସହାୟକ ହେବ।
ଯଦିଓ ନିଆଁ ନିୟନ୍ତ୍ରଣରେ ରହିଛି, ତଥାପି ଜଙ୍ଗଲର ଅଗ୍ନି ଋତୁ ବାକି ଥିବାରୁ ଅଗ୍ନିକାଣ୍ଡର ପୁନରାବୃତ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଟାସ୍କଫୋର୍ସର ଅଧ୍ୟକ୍ଷ ଗତକାଲି ସମସ୍ତ ଆଞ୍ଚଳିକ ବନ ସଂରକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ନେଇ ଭିଡିଓ କନ୍ଫରେନ୍ସିଂରେ ବନାଗ୍ନି ଉପରେ ସମୀକ୍ଷା କରିଥିଲେ। ସେମାନଙ୍କୁ ସଜାଗ ରହିବାକୁ କହିବା ସହ ରାତ୍ରି ପାଟ୍ରୋଲିଂ ଓ ତୁରନ୍ତ ଜଙ୍ଗଲ ନିଆଁ ସ୍ଥାନରେ ପହଞ୍ଚି ଆୟତ୍ତ କରିବାକୁ କହିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ଫାୟାର ୱାଚର୍ଙ୍କ ଯୋଗଦାନ, ଦୁଇ ଗୁଣର ଲିଫ୍ ବ୍ରାଓଜର ବ୍ୟବହାର, ଗ୍ରାମବାସୀଙ୍କ ଯୋଗଦାନ ଓ ଏକତ୍ରୀକରଣ ସହ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛି। ଆଗରୁ ନିୟୋଜିତ ଥିବା ୪ଟି ଓଡ୍ରାଫ୍ ଦଳ ସ୍ଥାନରେ ବର୍ତମାନ ୨୫ ଜଳ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ ଦଳ ନିୟୋଜନ ହୋଇଛନ୍ତି। ପିଆରଆଇ ଅନୁଷ୍ଠାନ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନର ସକ୍ରିୟ ସମର୍ଥନ ଅଧିକ ଲାଭାନ୍ବିତ କରିଛି ବୋଲି ଟାସ୍କଫୋର୍ସ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି।