ଭୁବନେଶ୍ୱର : ଓଡ଼ିଶାରେ ବାସ୍ତବ ଜଙ୍ଗଲ ଅଞ୍ଚଳ ପ୍ରାୟ ୮୮୫ ବର୍ଗ କି.ମି. ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ୨୦୧୭ ବେଳକୁ ମୋଟ ଜଙ୍ଗଲ ଅଞ୍ଚଳ ୫୧୨୩୯ ବର୍ଗ କି.ମି.ରେ ପହଞ୍ଚିଛି। ୨୦୧୫ରେ ବାସ୍ତବ ଜଙ୍ଗଲ ପ୍ରାୟ ୫୦୩୫୪ ବର୍ଗ କି.ମି. ଥିଲା। ଜଙ୍ଗଲ ଅଭିବୃଦ୍ଧି କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ଚତୁର୍ଥ।

Advertisment

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାମ୍ପା ପାଣ୍ଠିର ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ଉପରୋକ୍ତ ସୂଚନା ଜଣାପଡ଼ିଛି। ୨୦୧୮ରେ ପ୍ରକାଶିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆର ରିପୋର୍ଟରୁ ଏହା ସୂଚନା ମିଳିଥିବା ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ। ବୈଠକରେ କାମ୍ପା ପାଣ୍ଠିରେ ୫୬୬ କୋଟି ଟଙ୍କାର ପ୍ରସ୍ତୁତ ବାର୍ଷିକ କାର୍ଯ୍ୟ ଯୋଜନାକୁ ମଞ୍ଜୁରି ମିଳିଥିିଲା। ଏହି ଯୋଜନାର ଆଲୋଚନା ବେଳେ ମୁଖ୍ୟ ସଚିବ ଭୁବନେଶ୍ୱରର ଚନ୍ଦକାରେ ରାଜ୍ୟ ଫରେଷ୍ଟ ତାଲିମ କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟ ତ୍ୱରାନ୍ଵିତ କରିବା ପାଇଁ ତାଗିଦ୍‌ କରିଥିଲେ। କାମ୍ପା ପାଣ୍ଠିରେ ବର୍ତମାନ ସୁଦ୍ଧା ରାଜ୍ୟରେ ୧୬୨୧ କୋଟି ଟଙ୍କା ବିନିଯୋଗ ହୋଇଥିବା ମୁଖ୍ୟ ବନ ସଂରକ୍ଷକ ନନ୍ଦୁରୀ କହିଥିଲେ।