ବନ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣ : ଗାଡ଼ି ଭଙ୍ଗାରୁଜା, ଢେଲା ମାଡ଼ରେ ୨ ଆହତ

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଗ୍ରାମରେ ଆଜି କାଠକୋଇଲା ଜବତ ପାଇଁ ଯାଇଥିବା ବନ ବିଭାଗ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି। କାଠକୋଇଲା ମାଫିଆ ଓ ତାଙ୍କ ପରିବାର ସଦସ୍ୟ ମାରଣାସ୍ତ୍ର ଧରି ବନ କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ଢେଲାପଥର ମାଡ଼ କରିଛନ୍ତି। ଢେଲା ମାଡ଼ରେ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। କାଠକୋଇଲା ମାଫିଆମାନେ ସ୍ପଷ୍ଟ ଦିବାଲୋକରେ ଏଭଳି ଆତଙ୍କରାଜ ଚଳାଇ ବନ ବିଭାଗର ଦୁଇଟି ଗାଡ଼ି ଭଙ୍ଗାରୁଜା କରିବା ସାଙ୍ଗକୁ କିଛି ବସ୍ତା ଜବତ କାଠକୋଇଲା ଛଡ଼ାଇ ନେଇଛନ୍ତି। ଏ ନେଇ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଇଛି।

ପ୍ରକାଶ ଯେ, ମହଲକ୍ଷ୍ମୀପୁର ଗ୍ରାମର ହୃଦାନନ୍ଦ ବେହେରା ଓରଫ ନମଙ୍କ ଏକ ନବନିର୍ମିତ ଘରେ ବିପୁଳ ପରିମାଣର କାଠକୋଇଲା ଅନ୍ୟତ୍ର ଚାଲାଣ ପାଇଁ ଗଚ୍ଛିତ ଥିବା ନେଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଆଜି ପୂର୍ବାହ୍ନ ସାଢେ଼ ୧୧ଟାରେ ରେଞ୍ଜ ଅଫିସର ମାଗୁଣି ବେହେରା, ଫରେଷ୍ଟର ଅକ୍ଷୟ ପ୍ରଧାନ, କୃଷ୍ଣଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ ପରିଡ଼ା, ରାକେଶ ଦଳେଇ, ବନରକ୍ଷୀ ରମାକାନ୍ତ ବଳବନ୍ତରାୟ, ଆଶିଷ ନାୟକ, କୃଷ୍ଣ ଦେହୁରୀ, କାବେରୀ ନାଏକ, ରଶ୍ମୀ ବାରିକଙ୍କ ସମେତ ବନ ବିଭାଗ ପାରାଷ୍ଟାଫ୍‌ ଖୁଣ୍ଟୁଣୀ ଥାନା ପୁଲିସ ସହଯୋଗରେ ହୃଦାନନ୍ଦଙ୍କ ଘର ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସେଠାରେ ୫୦ ବସ୍ତାରୁ ଅଧିକ କାଠକୋଇଲା ଗଚ୍ଛିତ ଥିବା ଜଣାପଡ଼ିଥିଲା। ବନ ବିଭାଗ କର୍ମଚାରୀମାନେ କାଠକୋଇଲା ବସ୍ତା ଜବତ କରି ୪୦୭ ଟ୍ରକ୍‌ରେ ବୋଝେଇ କରୁଥିବା ବେଳେ ହୃଦାନନ୍ଦ, ତାଙ୍କ ପତ୍ନୀ ଓ ଦୁଇ ପୁଅ ହାତରେ ଫାର୍ସା, ଲୁହାଛଡ଼, କଟୁରି ଆଦି ଧରି ବନ କର୍ମଚାରୀଙ୍କୁ ଘେରି ଯାଇଥିଲେ। ସେମାନେ ଲୁହାରଡ଼ରେ ବନ ବିଭାଗର ୨ଟି ବୋଲେରୋ କାଚ ଭାଙ୍ଗି ଦେଇଥିଲେ। ଏଥିସହିତ ମାଫିଆମାନେ ‌ଢେଲାପଥର ମାଡ଼ କରି ବନ କର୍ମଚାରୀଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ଢେଲା ମାଡ଼ରେ ମହିଳା ବନରକ୍ଷୀ ରଶ୍ମୀ ବାରିକ, ଏଲିଫ୍ୟାଣ୍ଟ ଟ୍ରାକର କ୍ଷୀରୋଦ ମଲ୍ଲିକ ଆହତ ହୋଇଥିଲେ। ଏଥିରେ ପ୍ରଦୀପ ଭୂୟାଁ ଓ ଅନ୍ୟଜଣେ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଏହାପରେ ହୃଦାନନ୍ଦ ଓ ତାଙ୍କ ପରିବାର ସଦସ୍ୟ ଗାଡ଼ିରେ ଜବତ କରି ରଖାଯାଇଥିବା ୨୦ ବସ୍ତା ମଧ୍ୟରୁ ୬ ବସ୍ତା କାଠକୋଇଲା ଜୋରଜବରଦସ୍ତ ଛଡ଼ାଇ ନେଇଥିଲେ। ତେବେ ବନ କର୍ମଚାରୀମାନେ କୌଶଳକ୍ରମେ ୧୪ ବସ୍ତା କାଠକୋଇଲା ବୋଝେଇ ୪୦୭ ଟ୍ରକ୍‌ ଓ ଦୁଇଟି ବୋଲେରୋ ସହ ସେଠାରୁ ଖସିଆସି ଖୁଣ୍ଟୁଣୀ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ଖୁଣ୍ଟୁଣୀ ଡାକ୍ତରଖାନାରେ ଆହତ କ୍ଷୀରୋଦଙ୍କ ଚିକିତ୍ସା କରାଯାଇଛି। ବନ ବିଭାଗର ଏତଲାକ୍ରମେ ଥାନାରେ ଏକ ମାମଲା (କେସ୍‌ ନଂ-୧୩୦/୧୯) ରୁଜୁ କରାଯାଇଛି। ସେହିପରି ବନ କର୍ମଚାରୀମାନେ ଅସଦାଚରଣ କରିଥିବା ନେଇ ଅଭିଯୁକ୍ତ ହୃଦାନନ୍ଦଙ୍କ ପତ୍ନୀ ଗୁଲୁ ବେହେରା ଥାନାରେ ଅଭିଯୋଗ କରିବା ପରେ ଅନ୍ୟ ଏକ ମାମଲା (କେସ୍‌ ନଂ-୧୩୧/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର