ଭୁବନେଶ୍ବର: ଅସହ୍ୟ ହେଉଛି ଖରା। ଉପକୂଳରୁ ଉପାନ୍ତ, ସବୁଠି ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋ‌କେ। ଏଥରୁ ବାଦ୍‌ ପଡ଼ିନାହାନ୍ତି ବନ୍ୟଜନ୍ତୁ। ଗୋଟିଏ ପଟେ ଜଙ୍ଗଲ ନିଆଁ ବ୍ୟାପୁଥିବା ବେଳେ ଅନ୍ୟପଟେ ଖରା ପ୍ରକୋପରେ ଶୁଖିଗଲାଣି ଜଙ୍ଗଲ ଭିତର ଜଳାଶୟ। କେଉଁଠି ଜଳାଶୟର ମାଟି ଫାଟି ଆଁ କରିଛି ତ ଆଉ କେଉଁଠି ପାଣି ପିଇବା ଯୋଗ୍ୟ ହୋଇ ରହିନାହିଁ। ଗୋଟିଏ କି ଦୁଇଟି ନୁହେଁ, ବରଂ ରାଜ୍ୟର ଅଧିକାଂଶ ବନଖଣ୍ଡରେ ଏବେ ଏଭଳି ଅବସ୍ଥା। ଗତ ସପ୍ତାହକ ମଧ୍ୟରେ ପ୍ରଚଣ୍ଡ ଖରାରେ ନୂଆପଡ଼ାରେ କଲରାପତରିଆ ବାଘକୁ ଅଂଶୁଘାତ ହେବା ଏବଂ ଆଠଗଡ଼ରେ ପାଣି ଅଭାବରୁ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିବା ପରେ ବନ ବିଭାଗ ଅଧିକାରୀଙ୍କ ଚିନ୍ତା ବଢ଼ିଯାଇଛି। ବନାଗ୍ନି ରୋକିବାରେ ବିଫଳ ହୋଇଥିବା ଅଧିକାରୀମାନେ ଏବେ ବନ୍ୟଜନ୍ତୁଙ୍କ ଲାଗି ପାଣି ଯୋଗାଇବା ଆହ୍ବାନ ସୃଷ୍ଟି କରିଛି।

Advertisment

ଜଙ୍ଗଲ ମଧ୍ୟରେ ଜଳ ସଂରକ୍ଷଣ ଓ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ବନ୍ୟପ୍ରାଣୀ ଏସ୍‌ କେ ପୋପଲି ଇତିମଧ୍ୟରେ ରାଜ୍ୟର ସମସ୍ତ ବନଖଣ୍ଡ ଡିଏଫଓଙ୍କୁ କହିଛନ୍ତି। ଶ୍ରୀ ପୋପଲି ଦର୍ଶାଇଛନ୍ତି ଯେ ଖରାଦିନେ ଜଙ୍ଗଲରେ ଜଳସଙ୍କଟ ଦେଖା ଦେଇଥାଏ। ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଥିବାରୁ ବନ୍ୟଜନ୍ତୁ ପାଣି ସନ୍ଧାନରେ ଏଣେତେଣେ ଧାଇଁଥାନ୍ତି। ଜନବସତି ଆଡ଼କୁ ମାଡ଼ି ଆସିବା ଫଳରେ ସେମାନଙ୍କ ଲାଗି ବିପଦ ସୃଷ୍ଟି ହୁଏ। ଏବର୍ଷ ତାପମାତ୍ରା ବୃଦ୍ଧି ହେତୁ ସେଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଜଙ୍ଗଲରେ ଥିବା ଜଳାଶୟଗୁଡ଼ିକୁ ଗଭୀର କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ। ଆବଶ୍ୟକ ସ୍ଥଳେ ଶୁଖିଲା ଥିବା ପୋଖରୀରେ ଟ୍ୟାଙ୍କର ସହାୟତାରେ ପାଣି ଆଣି ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳାଶୟ ପାଖରେ ଛାଇ ବ୍ୟବସ୍ଥା ସହ ନିୟମିତ ସ୍ଥିତିର ଅନୁଧ୍ୟାନ କରିବାକୁ ଡିଏଫ୍‌ଓମାନଙ୍କୁ କୁହାଯାଇଛି। ଜଙ୍ଗଲ ମଧ୍ୟରେ ଯଦି ଜଳ ନ ମିଳିଲେ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହୋଇପାରନ୍ତି। ତେଣୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ କହିଛନ୍ତି।

ଆଠଗଡ଼ ହାତୀ ଛୁଆ ମୃତ୍ୟୁ ଘଟଣାକୁ ନେଇ ପିସିସିଏଫ ଶ୍ରୀ ପୋପଲି କହିଛନ୍ତି ଯେ ପାଣି ଅଭାବରୁ ହାତୀ ଛୁଆର ମୃତ୍ୟୁ ହୋଇନାହିଁ। କାରଣ ସେ ଅଞ୍ଚଳରେ ୩ଟି ପୋଖରୀରେ ପାଣି ରହିଛି। ବ୍ୟବଚ୍ଛେଦ ପରେ ହାତୀ ଛୁଆ ମୃତ୍ୟୁର କାରଣ ଜଣାପଡ଼ିବ। ଗ୍ରୀଷ୍ମ ପ୍ରବାହ କାରଣରୁ ଅଂଶୁଘାତର ସାମ୍ନା କରିଥିବା ନୂଆପଡ଼ାର କଲରାପତରିଆ ଏବେ ସୁସ୍ଥ ହୋଇଛି। ବାଘଟିକୁ ତୁରନ୍ତ ସାଲାଇନ୍‌ ଦିଆଯିବା ପରେ ଆଜି ଖାଦ୍ୟ ଖାଇଛି। ଅଂଶୁଘାତ ନା ଅନ୍ୟ କାରଣ ଯୋଗୁଁ ବାଘ ଅସୁସ୍ଥ ହୋଇଥିଲା ତାହା ନିରୀକ୍ଷଣ କରାଯାଉଥିବା ପିସିସିଏଫ୍‌ କହିଛନ୍ତି। ଅଂଶୁଘାତର ଶିକାର ହୋଇଥିବା କଲରାପତରିଆ ବୃଦ୍ଧାଙ୍କୁ ମାରି ଖାଇଥିଲା କି ନାହିଁ ତାହାର ଯାଞ୍ଚ କରାଯାଉଛି। ବାଘଟିର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜଙ୍ଗଲ ନିଆଁ ଆଜି ପୁଣିଥରେ ରେକର୍ଡ ଭାଙ୍ଗିଛି। ଚଳିତ ମାସରେ ପ୍ରଥମ ଥର ଲାଗି ଜଙ୍ଗଲ ନିଆଁ ଏକ ହଜାର ଡେଇଁ ୧୦୩୦ରେ ପହଞ୍ଚିଛି। ସେଥିମଧ୍ୟରୁ ୮୯ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସିଛି। ମ‌ାଲକାନଗିରି, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, କନ୍ଧମାଳ, ସୁନ୍ଦରଗଡ଼, ଗଜପତି, ବୌଦ୍ଧ, ଦେବଗଡ଼, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର, ଦେବଗଡ଼, ଭଦ୍ରକ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ଆଜି ବି ଜଙ୍ଗଲ ନିଆଁରେ ଓଡ଼ିଶା ଶୀର୍ଷରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅଧିକ ସଂଖ୍ୟକ ଜଙ୍ଗଲ ନିଆଁ ରହିଥିବା ଏଫ୍‌ଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।