ଫରେଷ୍ଟ ୱାଚ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା: ଫରେଷ୍ଟରଙ୍କ ସମ୍ନାରେ ଗୁଳି ଚଳାଇ ଶିକାରୀ ଫେରାର୍‌ , ସଇନ୍ତଲା ଥାନାରେ ଜଣେ ଅଟକ

ସଇନ୍ତଲା : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ବ୍ଲକ ଅଧୀନ କରମତଲା ଫରେଷ୍ଟ ରେଞ୍ଜ ଡିଭିଜନରେ କାର୍ଯ୍ୟରତ ୱାଚମ୍ୟାନ ଯୁଗେଶ୍ୱର ଓରଫ ଜଟିଆ ବୁଡେକ(୧୯)ଙ୍କୁ ଶୁକ୍ରବାର ରାତି କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ରାତି ୧୦ଟାରେ କରମତଲା ଫରେଷ୍ଟ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟକରୁଥିବା ଯୁଗେଶ୍ୱର ଓରଫ ଜଟିଆଙ୍କୁ ନେଇ ଫରେଷ୍ଟର ସୁଧୀର ଜେନା ରାତ୍ର ପାଟ୍ରୋଲିଂରେ କରମତଲା ନିକଟ ଜଙ୍ଗଲକୁ ଯାଉଥିଲେ। ରେଙ୍ଗାଲବାହାଲ ଚାରିଛକଠାରେ ୨ଜଣଙ୍କୁ ଦେଖି ଫରେଷ୍ଟର କୁଆଡ଼େ ଯାଉଛ ବୋଲି ପଚାରିଥିଲେ। ସେମାନେ ଏକ ବାର୍‌ହା ମରା ବନ୍ଧୁକ ଧରିଥିବାର ଦେଖିଥିଲେ। ଯୁଗେଶ୍ୱର ବନ୍ଧୁକ ଧରି କୁଆଡ଼େ ଯାଉଛ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ତୋର କଣ ଯାଉଛି ବୋଲି ଜଣେ କହିବା ସହ ଧରିଥିବା ବନ୍ଧୁକରୁ ଗୁଳି ଚଳାଇଥିବା ଫରେଷ୍ଟର ଶ୍ରୀ ଜେନା କହିଛନ୍ତି। ଗୁଳିଟି ଯୁଗେଶ୍ୱରଙ୍କ ଡାହାଣପଟ ଛାତିତଳେ ବାଜିବାରୁ ସେ ବାଇକରୁ ତଳେ ପଡ଼ିଯାଇଥିଲେ। ଯୁଗେଶ୍ୱର ବାଇକରୁ ପଡ଼ିଯିବା ଦେଖି ଗୁଳି ଚଲାଇଥିବା ଦୁଇଜଣ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଫରେଷ୍ଟର ଶ୍ରୀ ଜେନା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ଯୁଗେଶ୍ୱରକୁ ସଇନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଡ଼ାକ୍ତର ଯୁଗେଶ୍ୱରର ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ କିଛି ସମୟ ପରେ ଯୁଗେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ।

ସଇନ୍ତଲା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ରାତିରେ ହିଁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ରେଂଜର ରାଜକିଶୋର ହରପାଲ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ। ଯୁଗେଶ୍ୱରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଥିଲା। ଏସ୍‌ପି ନିତିନ କୁଶଳକର, ଟିଟିଲାଗଡ଼ ଡିଏସପି ସୁରେନ୍ଦ୍ରନାଥ ଶତପଥୀ, ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସଇନ୍ତଲା ଥାନା ପୁଲିସ ଜଣକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ସଇନ୍ତଲା ବ୍ଲକ୍‌ ଅଂଚଳରେ ବନ୍ଧୁକ ପାଇଁ ଲାଇସେନ୍ସ ପାଇଥିବା ସମସ୍ତ ଲାଇସେନ୍ସଧାରୀଙ୍କୁ ଡକାଇ ଅଧିକ ତଦନ୍ତ ଜାରି ରହିଛି। ବଲାଙ୍ଗୀର ଡିଏଫଓ ସମୀର ଶତପଥି ଘଟଣାସ୍ଥଳକୁ ଯାଇ ଯୋଗେଶ୍ୱରଙ୍କ ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ। ପରିବାରବର୍ଗ ଓ ଅଂଚଳବାସୀ ମୃତକଙ୍କ ପରିବାରର ଜଣକୁ ଚାକିରି ଦେବା ସହ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଡିଏଫଓଙ୍କୁ ଦାବି କରିଥିଲେ। ଏହି ଦାବିରେ ସଇଁତଲା-ଟିକ୍ରାପଡା ରାସ୍ତାକୁ ଦିନ ୧ଟାରୁ ସଂଧ୍ୟା ଯାଏଁ ଅବରୋଧ କରି ରଖିଥିଲେ। ଶ୍ରୀ ଶତପଥୀ କ୍ଷତିପୂରଣ ବାବଦରେ ଜିଲ୍ଲାପାଳ କହିପାରିବେ ବୋଲି କହିବା ସହ ପରିବାରର ଜଣକୁ ଚାକିରି କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସଂଧ୍ୟାରେ ଥାନାଧିକାରୀ ବୁଝାସୁଝା ପରେ ରାସ୍ତାରୋକୋ ହଟିଥିଲା। ସଇନ୍ତଲା ଥାନାରେ ଏକ ମାମଲା ରୁଜୁ କରି ସନ୍ଦେହରେ ଜଣକୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଏ।

ଗତ କିଛି ବର୍ଷହେଲା ସଇଁତଲା ବ୍ଲକର ଟିକ୍ରାପଡ଼ା, କରମତଲା, ତାଲବାହାଲ, ସୁଲିଆମାଲ, ଜୁନାନୀମାଲ, ଖର୍ଲିକାନୀ, ଡ଼ଙ୍ଗରପଡ଼ା, ଜୁରାବନ୍ଧ ପ୍ରଭୃତି ଅଂଚଳରେ ବିଦ୍ୟୁତ ତାର ବିଛାଇ, ବାରୁଦ ଗୋଳା ବିଛାଇ ଏବଂ ବନ୍ଧୁକରେ ଅବାଧରେ ବାର୍‌ହା ସମେତ ବିଭିନ୍ନ ବନ୍ୟପ୍ରାଣୀ ଶିକାର ଚାଲିଛି। କେନ୍ଦୁଗଣ୍ଡି ଓ ବହୁ ମୂଲ୍ୟବାନ ଗଛକାଟି ଚୋରାଚାଲାଣ ହେଉଛି। ଶିକାରୀର ଗୁଳିରେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ତାହା ପ୍ରମାଣ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର