ବାଂଶପାଳ : ସାରାଦେଶ ଲକ୍ଡାଉନରେ ଖାଁ ଖାଁ। କାଠ ମାଫିଆ, ଚୋରା ବେପାରୀଙ୍କୁ ଏହା ସୁଯୋଗ ଆଣି ଦେଇଛି। ଜଙ୍ଗଲ ଭିତରେ ନିର୍ଭୟରେ ଚାଲିଛି କରତ କଳ। ଏମିତିକି ଲକ୍ଡାଉନ ସମୟରେ ବି ସେଥିରୁ କିଛିକିଛି ସୁରକ୍ଷିତ ଜାଗାକୁ ଚାଲାଣ ହେଉଛି। କଟକଣା ହଟିବା ପରେ ଜୋରଦାର ହେବ କାଠ ବେପାର।
Sambad is now on WhatsApp
Join and get latest news updates delivered to you via WhatsApp
ବାଂଶପାଳ ବ୍ଲକ୍ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜକୁ ଲାଗିଥିବା ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ବନ ସୀମାରେ ପ୍ରତିଦିନ ଶହ ଶହ ପିଆଶାଳ, ଶାଗୁଆନ, ଶିଶୁ, ଶାଳ ଆଦି ମୂଲ୍ୟବାନ ଗଛ କଟାଚାଲିଛି। କରତ ଓ ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାର ସାଇଜ କରାଯାଉଛି। ସାମାନ୍ୟ ସୁଯୋଗ ପାଇଲେ ସେସବୁ ନିର୍ଦ୍ଧାରିତ ସ୍ଥାନକୁ ଚାଲାଣ ହେବ। ସ୍ଥାନୀୟ ଗ୍ରାମବାସୀଙ୍କ ଜରିଆରେ ବିଗତ ଦିନରେ ବହୁ ଚୋରା ଗାଡ଼ି ପୁଲିସ ଓ ବନ ବିଭାଗ ହାତରେ ଧରାପଡ଼ିଛି। ମାତ୍ର କେହି କାଠ ମାଫିଆ ଧରାପଡ଼ି ନାହାନ୍ତି।
ଅନ୍ୟପକ୍ଷରେ, ବ୍ଲକର ସୀମାବର୍ତ୍ତୀ ବାଟଗାଁ, ରାକମ, ଡେରି, ମେଲାଣ ଘାଟି, ଶିବିଡ଼ା, ଚମ୍ପାଝର ଆଦି ଅଞ୍ଚଳରେ ଏବେ ବି ଚାଲିଛି କାଠ କଟା। କରତ ଓ ମେସିନ ସାହାଯ୍ୟରେ କାଠକୁ କାଟି ପଟା, ଚଉକାଠ କରି ଏସବୁ ଗାଁରେ ଗଚ୍ଛିତ କରି ରଖାଯାଉଛି। ଲକ୍ଡାଉନ ଖୋଲିବା ପରେ ଦିନରାତି ଏସବୁ ଚାଲାଣ ହେବ। ମାଫିଆମାନେ ବିଭିନ୍ନ ଘରୋଇ ଉପକରଣ ତିଆରି କରି ଜିଲ୍ଲା ଭିତରେ ତଥା ଜିଲ୍ଲା ବାହାରକୁ ନେଇ ଚଢ଼ାଦରରେ ବିକ୍ରି କରିଥାନ୍ତି। ଦୀର୍ଘ ଦିନରୁ ଏପରି ଚୋରାଚାଲାଣ ହୋଇ ଆସୁଥିବା ନଜିର ରହିଛି। ତେଣୁ ଲକ୍ଡାଉନ୍ ସେମାନଙ୍କୁ କାଠ ସଂଗ୍ରହ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ବିଷୟରେ ଭୂୟାଁ ଜୁଆଙ୍ଗ ପିଢ଼ର ରେଞ୍ଜର ମାନସ କୁମାର ମୁର୍ମୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କହିଥିଲେ, ଆମ ଟିମ୍ ନିୟମିତ ବିଭିନ୍ନ ଜାଗାକୁ ଯାଇ ପାଟ୍ରୋଲିଂ କରୁଛି। ଉପରୋକ୍ତ ସମସ୍ତ ଜାଗାକୁ ମୁଁ ନିଜେ ଯାଇ ଅନୁଧ୍ୟାନ କରିବି।