ସୁନ୍ଦରଗଡ଼ରେ କାଠ ଚୋରଙ୍କ ପାଇଁ ପୁଷମାସ : ଏନ୍‌ଏଚ୍‌ କଡ଼ କଟାଗଛ ସଫା, ଜଙ୍ଗଲରୁ ଚାଲାଣ ବଢୁଛି

ଗାଁ ଭିତରକୁ ବନ କର୍ମଚାରୀଙ୍କୁ ପୂରାଇ ଦେଉନାହାନ୍ତି

ରାଉରକେଲା : ଲକ୍‌ଡାଉନ୍‌ ସମୟ ସୁନ୍ଦରଗଡ଼ ଜିଲ୍ଲାର କାଠ ଚୋରଙ୍କ ପାଇଁ ପୁଷମାସ ପାଲଟିଛି। ଏବେ କେହି ଘରୁ ବାହାରୁ ନଥିବା ବେଳେ ପ୍ରଶାସନିକ ଅଧିକାରୀମାନେ କରୋନା ମୁକାବିଲାରେ ବ୍ୟସ୍ତ ଥିବାରୁ କାଠ ଚୋରା କାରବାର ବଢ଼ିଛି। ବିଶେଷକରି ରାଜାମୁଣ୍ତାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ କଟା ହୋଇ ପଡ଼ିଥିବା ବହୁ ମୂଲ୍ୟବାନ ଗଛକୁ ଜାଳେଣି ନାଁରେ ଲୋକେ ଶେଷ କରି ଦେଲେଣି। ବାଉଁଶ ବାଡ଼ ଦେଇ ଗାଁ ରାସ୍ତାକୁ ବନ୍ଦ କରି କାଠ ଚୋରା କାରବାର ଚାଲୁଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ପୁଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ବି ଗାଁ ଭିତରକୁ ଲୋକେ ନ ଛାଡ଼ିବା ପଛରେ ଏହି ଚୋରା କାରବାର ଅସଲ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

କରୋନା ଭୂତାଣୁ ଦେଶରେ ବ୍ୟାପିବା ପୂର୍ବରୁ ରାଜାମୁଣ୍ତାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ପ୍ରାୟ ୯୦ କିଲୋମିଟର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରୁ ହଜାର ହଜାର ମୂଲ୍ୟବାନ ଗଛ କାଟି ଦିଆଯାଇଥିଲା। କେତେକ ଗଛକୁ ଜାତୀୟ ରାଜପଥ, ଜଙ୍ଗଲ ବିଭାଗ ଓ ଗଛକଟା ଦାୟତ୍ବରେ ଥିବା ଠିକାଦାର ଟ୍ରକ୍‌ ଯୋଗେ ଉଠାଇ ବିଭାଗୀୟ ଡିପୋରେ ରଖିଥିଲେ ମଧୢ ବହୁ ସ୍ଥାନରେ ଗଛ ଗଣ୍ତି ପଡ଼ିରହିଥିଲା। ରାସ୍ତା ନିର୍ମାଣ ପାଇଁ ଗଛ ଗଣ୍ତି ଓ ଡାଳକୁ କଡ଼କୁ ଠେଲିଦେଇ ‌କାମ ଚାଲୁଥିଲା। ଲକ୍‌ଡାଉନ୍‌ରେ ଲୋକେ କାମକୁ ନ ଯାଇ ଘରେ ରହିବା ଯୋଗୁଁ ପ୍ରତ୍ୟେକ ଦିନ ଜାଳେଣି ନାଁରେ ଏହି ଗଛଗୁଡ଼ିକୁ କାଟି ନେଇ ଯାଇଛନ୍ତି। କେତେକ ସ୍ଥାନରେ ମୂଲ୍ୟବାନ ଗଛ ଗଣ୍ତିକୁ ଗାଡ଼ିରେ ମଧୢ ଉଠାଇ ନିଆଯାଇଛି। ଜାତୀୟ ରାଜପଥ କଡ଼ରେ ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲେ ମଧୢ କହିବାକୁ କେହି ନାହିଁ। ଗ୍ରାମାଞ୍ଚଳରେ ମଧୢ ଜଙ୍ଗଲ ଧ୍ବ˚ସ ଚାଲିଛି। କରୋନା ପାଇଁ ଲୋକେ ଜୀବିକା ହରାଇ ଥିବାରୁ ଏବେ ଅଧିକା˚ଶଙ୍କ ନଜର ଜଙ୍ଗଲର ମୂଲ୍ୟବାନ ଗଛ ଉପରେ। ଗଛ କାଟି ଜଙ୍ଗଲ ଭିତରେ ପଟା ଚିରଟ କରି ରାତିରେ ସାଇକଲ୍‌ ଯୋଗେ ରାଉରକେଲା ସହରକୁ ପଠାଯାଉଛି। ସପ୍ତାହେ ପୂର୍ବେ କୋଏଲନଦୀ ପାର‌୍‌ ହୋଇ ନୂଆଗାଁ ଅଞ୍ଚଳରୁ ରାଉରକେଲାକୁ କାଠ ଚୋରାଚାଲାଣ ହେଉଥିବାବେଳେ ଝିରପାଣି ନିକଟରେ ସ୍ଥାନୀୟ ଯୁବକମାନେ ଏହାର ବିରୋଧ କରିବାରୁ ନଦୀ ଭିତରେ କାଠ ପଟା ଛାଡ଼ି ଚୋରମାନେ ଚାଲି ଯାଇଥିଲେ। ପୂର୍ବରୁ ଟ୍ରେନ୍‌ ଓ ବସ୍‌ରେ ବାହାରକୁ କାଠ ଚୋରା ଚାଲାଣ ହେଉଥିଲା। ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ ଥିବାରୁ ଚୋରମାନେ ନିଜେ କାଠ ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା କୁହାଯାଉଛି। କାଠ ଚୋରଙ୍କୁ ଧରିବା ପାଇଁ ଗତ କିଛି ଦିନ ପୂର୍ବେ କୁଆରମୁଣ୍ତା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ଏକ ଦଳ କଚାରୁ ଯାଉଥିବା ବେଳେ ଲକ୍‌ଡାଉନ୍‌ ଆଳରେ ଲୋକେ ଭିତରକୁ ଛାଡ଼ି ନଥିଲେ। ପ୍ରାୟ ୫/୬ କିଲୋମିଟର ରାସ୍ତାର ୩ଟି ସ୍ଥାନକୁ ଅବରୋଧ କରାଯିବାରୁ ଜଙ୍ଗଲ ବିଭାଗ କର୍ମଚାରୀମାନେ ଭିତରକୁ ଯିବା ସମ୍ଭବ ହେଉନାହିଁ। ଲୋକେ ବିରୋଧ କରୁଥିବାରୁ କେତେକ ସ୍ଥାନରେ ଜଙ୍ଗଲ ବିଭାଗ କର୍ମଚାରୀ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ଭୟ କରୁଛନ୍ତି। ପୂର୍ବରୁ ଲୋକେ ନିଜେ ଜଙ୍ଗଲ ଜଗି କାହାରିକୁ ଗଛ କାଟିବାକୁ ଦେଉ ନଥିଲେ। ଏବେ ସେଇ ଲୋକ ନିଜେ ଗଛ କାଟୁଥିବାରୁ ଜଙ୍ଗଲ ବିଭାଗ କର୍ମଚାରୀ, ପୁଲିସ ଓ ପ୍ରଶାସନ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର