ବାରହା ଶିକାର କରିବାକୁ ଯାଇ ବନ କର୍ମଚାରୀଙ୍କ ହାତରେ ଧରା ପଡ଼ିଲେ ଜନ୍ତୁ ଶିକାରୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ବାର୍ଲି ସଂରକ୍ଷିତ ଜଙ୍ଗଲରେ ଅବାଧ ବାରାହା ଶିକାର କରିବାକୁ ପ୍ରସ୍ତୁତି ଚଳାଇଥିବା ସମୟରେ ଆଜି ଭୋର ସମୟରେ ପେଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ହାତରେ ଧରା ପଡି ହାଜତକୁ ଯାଇଛନ୍ତି ୪ ଶିକାରୀ । ଅଭିଯୁକ୍ତ ଶିକାରୀ ମାନେ ହେଲେ ଉର୍ଦ୍ଧବ ଜାନି (୪୮) , ସାନ ଜାନି (୫୨), ମଧୁ ଗୌଡ (୩୫) ଓ ସନୁ ଜାନି (୪୫) । ସମସ୍ତ ୪ ଅଭିଯୁକ୍ତଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ବେଳେ ସେମାନଙ୍କ ନିକଟରୁ ସାଢ଼େ ସାତ କିଲୋ ଜିଆଇ ଲୁହା ତାର । ୪ ଟି ଟାଙ୍ଗିଆ ଓ ୮୦ ଟି ଦୁଇ ଫୁଟ ଉଚ୍ଚତା ର ବାଉଁଶ ଖୁଣ୍ଟ ଜବତ କରାଯାଇଛି। ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ମଇଦଲ ପୁର ସେକ୍ସନ ଅନ୍ତର୍ଗତ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବାରହା ଶିକାର କରିବା ନିମନ୍ତେ ଗତକାଲି ସୋମବାର ରାତିରେ ପାପଡାହାଣ୍ଡି ଥାନା ଉପର ମୁଣ୍ଡା ଗ୍ରାମର ଉର୍ଦ୍ଧବ ଜାନି, ସାନ ଜାନି, ମଧୁ ଗୌଡ ଓ ତେନ୍ତୁଳି ଗୁଡ଼ା ଗ୍ରାମର ସନୁ ଜାନି ପ୍ରମୁଖ ଜଙ୍ଗଲ ମଧ୍ୟରେ ଜି ଆଇ ଲୁହା ତାର ବିଛାଇ ଜଗି ରହିଥିଲେ।

ମାତ୍ର ଦୁଇ ଫୁଟ ଉଚ୍ଚତା ମଧ୍ୟରେ ଏହି ଲୁହା ତାର ଜଙ୍ଗଲ ମଧ୍ୟରେ ବିଛା ଯାଇ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ତେବେ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ମଇଦଲ ପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ବାର୍ଲି ସଂରକ୍ଷିତ ଜଙ୍ଗଲ ବନ ରକ୍ଷୀ ସୁବ୍ରତ ବାବାଲି ଓ ଅନ୍ୟ କର୍ମଚାରୀ ମାନେ ଶିକାର ପାଇଁ ଲୁହା ତାର ବିଛା ହୋଇଥିବା ଦେଖି ପାରିଥିଲେ । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଏହି ଚାରି ଜଣ ଶିକାରୀ ଆଜି ଭୋର ୪ ଘଣ୍ଟ ସମୟରେ ତାର ଗୁଡ଼ାଇବା ସମୟରେ ବନ କର୍ମଚାରୀଙ୍କ ହାତରେ ଧରାପଡିଥିଲେ । ସମସ୍ତ ୪ ଜଣ ଅଭିଯୁକ୍ତ ଙ୍କୁ କେଶ୍ ନ ୧୫୨/୨୦୨୦/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର