ରାଉରକେଲା/କୁଆରମୁଣ୍ଡା: ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ବନ କର୍ମଚାରୀ ସମର ଓରାମ (୪୦) ଜଳି ଯାଇଛନ୍ତି। ତାଙ୍କର ଅନ୍ୟ ତିନି ସହଯୋଗୀ ନିଆଁ ପ୍ରକୋପରୁ ବର୍ତ୍ତିଯାଇଛନ୍ତି। ସମରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍) ଓ ପରେ ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୭୦% ଜଳିଯାଇଛି। ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ଜେଠୁଆ ଓ କୁଆରମୁଣ୍ଡା ବନାଞ୍ଚଳ ଅଧିକାରୀ ହସ୍ପିଟାଲରେ ପହଞ୍ଚି ଗୁରୁତର ସମରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କ ସହ
ଆଲୋଚନା କରିଥିଲେ।
ମିଳିଥିବା ସୂଚନା ମୁତାବକ ସୋମବାର ସକାଳେ କୁଆରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବ୍ରାହ୍ମଣୀପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିଲା। ଖବର ପାଇ ସକାଳ ପ୍ରାୟ ୯ଟାରେ ଠିକା ବନ କର୍ମଚାରୀ ସମର ଓରାମ, ବିଶ୍ରା ଓରାମ, ବିପିନ ମିଞ୍ଜ ଏବଂ ଚାମ୍ପା ଓରାମ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମର ମେସିନ୍ ସହାୟତାରେ ନିଆଁ ଲିଭାଉଥିବାବେଳେ ହଠାତ୍ ପବନ ବୋହିଥିଲା। ନିଆଁ ପଛକୁ ବ୍ୟାପିବାରୁ ମେସିନ୍ ସହ ସମର ପୋଡ଼ି ଯାଇଥିଲେ। ସେଠାରେ ଛିଡ଼ା ହୋଇଥିବା ଅନ୍ୟ ତିନି ସହଯୋଗୀ ଦୌଡ଼ି ପଳାଇବାରୁ ବର୍ତ୍ତି ଯାଇଥିଲେ। କୌଣସିମତେ ସମରଙ୍କୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଥିଲା।