ରଜରେ ଗଜହତ୍ୟା ଘଟଣା : ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଶିକାରୀଙ୍କ ପାଖରେ ପହଞ୍ଚି ପାରୁନି ବନ ବିଭାଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାଠାରେ ରଜରେ ଦୁଇ ହାତୀଙ୍କୁ ହତ୍ୟା ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ଯୋଡ଼ା ସେକ୍ସନର ଫରେଷ୍ଟର ପିଅନ ନାଏକ ଓ ଜୁରୁଡ଼ି ବିଟ୍‌ର ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବିତ କରାଯାଇଥିବା କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ଦନ୍ତାକୁ ହତ୍ୟା ପରେ ଦାନ୍ତ ନିଆଯାଇଥିବା ଜଣାପଡ଼ୁଥିଲେ ବି ଏଯାଏ ଶିକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ ବନ ବିଭାଗ।

କେନ୍ଦୁଝର ଜିଲ୍ଲାରେ ଦିନକୁଦିନ ହାତୀ ମୃତ୍ୟୁ ବଢ଼ିଚାଲିଛି। ମାତ୍ର, ଏହାକୁ ‌ରୋକିବା ପାଇଁ ବନବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ। ଏମିତିକି ହାତୀ ଜଗିବା ପାଇଁ ଉଦ୍ଦିଷ୍ଟ ସ୍କ୍ବାଡ୍‌କୁ ବିଭିନ୍ନ ସମୟରେ ବନୀକରଣ କାମରେ ଜଙ୍ଗଲ ବିଭାଗ ଲଗାଉଛି। ଏହାଦ୍ବାରା ସେମାନେ ଠିକ୍‌ ଭାବେ ହାତୀ ସୁରକ୍ଷା କାମରେ ନିୟୋଜିତ ହୋଇପ‌ାରୁନାହାନ୍ତି। ଏପରିସ୍ଥଳେ ପ୍ରତିବର୍ଷ ଏକାଧିକ ହାତୀ ମୃତ୍ୟୁ ପାଇଁ କେନ୍ଦୁଝର ବଦ୍‌ନାମର ବୋଝ ମୁଣ୍ଡାଉଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲା‌ରେ ୫୧ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। କିନ୍ତୁ, ବନବିଭାଗ ଶିକାରୀଙ୍କ ପାଖରେ ପହଞ୍ଚି ନ ପାରିବା ଅତ୍ୟନ୍ତ ଉଦ୍‌ବେଗଜନକ ବୋଲି ପରିବେଶବିତ୍‌ କହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୁଇ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ଏବଂ ନେସ୍କୋ ପରସ୍ପର ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ। ମାତ୍ର ହାତୀ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାରେ ବନ ବିଭାଗ ସକ୍ଷମ ହୋଇନାହିଁ। ଏସବୁ ସତ୍ତ୍ବେ ଆଜି ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର