ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ମାଙ୍କଡ଼କନ୍ଦା ନାଳ ନିକଟରେ ଦନ୍ତା ହାତୀର ଗଳିତ ଶବ ମିଳିବା ଘଟଣାରେ ୨ ଜଣଙ୍କୁ ନିଲମ୍ବନ କରାଯାଇଛି। ଜରପଡ଼ା ଫରେଷ୍ଟର୍‌ ଦିନବନ୍ଧୁ ନାୟକ ଓ ପରା ବିଟ୍‌ର ଦାୟିତ୍ବରେ ଥିବା ଫରେଷ୍ଟ ଗାର୍ଡ ମନୋଜ କୁମାର ନାଏକଙ୍କୁ ଆଜି ନିଲମ୍ବିତ କରାଯାଇଛି। ଡିଏଫ୍‌ଓ ନୀତୀଶ କୁମାର ଏନେଇ ସ୍ପଷ୍ଟ କରିଛନ୍ତି। ଦାୟିତ୍ବରେ ଅବହେଳା ଅଭି‌ଯୋଗରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଶ୍ରୀ କୁମାର ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ଏହି ଘଟଣାରେ ରୋଡ଼ସିଂହାର ରୋହିତ ବେହେରା (୪୧)ଙ୍କୁ ଗିରଫ କରାଯାଇଛି। ତାଙ୍କ ଘରୁ ୨ଟି ଯାକ ହାତୀ ଦାନ୍ତ ଜବତ କରାଯାଇଛି। ତେବେ ରୋହିତ ଫେରାର ହୋଇଯାଇ କୃତିବାସପୁରସ୍ଥିତ ଶ୍ବଶୁରଘରେ ଲୁଚିଥିଲେ। ବନବିଭାଗର ସ୍ବତନ୍ତ୍ର ଟିମ୍‌ ସଦଳବଳେ ସେଠାରେ ଚଢ଼ଉ କରି ଭୋର ସାଢ଼େ ୫ଟାରେ ସେ ଶୋଇଥିବାବେଳେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଦନ୍ତା ହାତୀର ମୃତ୍ୟୁ ସ୍ବାଭାବିକ ହୋଇଥିବା ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରୋହିତ ହାତୀ ଶିକାର କରି ନଥିବା ଜଣାପଡ଼ିଛି। ସେ ଗାଈ ଚରାଇବାକୁ ମାଙ୍କଡ଼କନ୍ଦା ନାଳ ନିକଟକୁ ଯାଇଥିଲାବେଳେ ହାତୀର ମୃତଦେହ ଦେଖିଥିଲେ। ହାତୀଦାନ୍ତ ମୂଲ୍ୟବାନ ହୋଇଥିବାରୁ ତାହାକୁ ବିକିବା ଉଦ୍ଦେଶ୍ୟରେ ସେ ହାତୀର ଗଳିତ ଶବରୁ ଦାନ୍ତ ତାଡ଼ି ଆଣିଥିଲେ। ତେବେ ବନବିଭାଗକୁ ଶବ ମିଳିବା ପରେ ଦ‌ାନ୍ତ ଖୋଜା ଆରମ୍ଭ ହୋଇଥିଲା। ଭୟରେ ରୋହିତ ଉକ୍ତ ଦାନ୍ତକୁ ବାହାରେ ବିକ୍ରି କରି ନ ପାରି ନିଜ ଘରେ ଲୁଚାଇ ରଖିଥି‌ଲେ।

ବନବିଭାଗ କର୍ମଚ‌ାରୀ ଗ୍ରାହକ ସାଜି ରୋହିତକୁ ହାତୀ ଦାନ୍ତ ପାଇଁ ଯୋଗାଯୋଗ କରିଥିଲେ। ଏଥିପାଇଁ ସେମା‌ନେ ଅଗ୍ରୀମ ଟଙ୍କା ମଧ୍ୟ ଦେବାକୁ ରୋହିତକୁ ଡାକିଥିଲେ। ହେଲେ ରୋହିତ ଧରା ନ ଦେଇ ଘରେ ଦାନ୍ତ ରହିଥିବା ଓ ସେମାନେ ଚାହିଁଲେ ଦେଖିପାରିବେ ବୋଲି କହିଥିଲେ। ପରେ ବନବିଭାଗ ଟିମ୍‌ ରୋହିତଙ୍କ ରୋଡ଼ସିଂହାସ୍ଥିତ ଘରେ ଚଢ଼ଉ କରି ୨ଟି ଯାକ ହାତୀ ଦାନ୍ତକୁ ଜବତ କରିଥିଲେ। ରୋହିତ ପୂର୍ବରୁ ହରିଣ ଶିକାର କରିଥିବାବେଳେ ଏହା ଦ୍ବିତୀୟ ବନ୍ୟଜନ୍ତୁ ସମ୍ପର୍କିତ ଅପରାଧ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ୨୮ ତାରିଖ ସକାଳେ ମାଙ୍କଡ଼କନ୍ଦା ନାଳ ପାଖରେ ଦନ୍ତାହାତୀର ଗଳିତ ଶବ ମିଳିବା ପରେ ବନବିଭାଗକୁ ନିନ୍ଦିତ ହେବାକୁ ପଡ଼ିଥିଲା।