କୂଅରୁ ବାହାରିଲା, ଫରେଷ୍ଟରଙ୍କୁ ଦଳିଲା

ବାଂଶପାଳ : ରାତିଅଧରେ ଧାନ ଖାଇବାକୁ ଆସି ବିଲରେ ଥିବା କୂଅରେ ଗଳିପଡ଼ିଲେ ଦୁଇ ଦନ୍ତାହାତୀ। ହାତୀ ଗର୍ଜନରେ ସାରାଅଞ୍ଚଳ କମ୍ପିଲା। ସକାଳୁ ଜଙ୍ଗଲ ବିଭାଗ ଟିମ୍‌ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ। ବଡ଼ଦନ୍ତାଟି ସେତେବେଳେ ଛୋଟ ଦନ୍ତାକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିଲା। କିଛି ସମୟ ପରେ ସଫଳ ମଧ୍ୟ ହେଲା। ଛୋଟ ଦନ୍ତାଟି ଉଠି ଜଙ୍ଗଲକୁ ଧାଇଁ ପଳାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀଙ୍କ ଦୀର୍ଘ ୩ ଘଣ୍ଟାର କସରତ ପରେ ବଡ଼ଦନ୍ତାଟି କୂଅରୁ ଉଠିଲା। କିନ୍ତୁ ଫରେଷ୍ଟରଙ୍କୁ ଶୁଣ୍ଢରେ ଫିଙ୍ଗିବା ସହ ଦଳିଦେଇ ଚାଲିଗଲା। ଫଳରେ ସଂପୃକ୍ତ ଫରେଷ୍ଟର ଟିକେଶ୍ୱର ମହାନ୍ତଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଥା ଭୂୟାଁ ଜୁଆଙ୍ଗ ପିଢ଼ (ବିଜେପି) ରେଞ୍ଜ୍‌ ଅଧୀନ ସିଂପୁର ଗ୍ରାମରେ ହାତୀ ଉପଦ୍ରବ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି। ଗତକାଲି ରାତିରେ ହାତୀପଲ ଆସି ଜଙ୍ଗଲ ନିକଟରେ ଥିବା ବିଲରେ ଧାନ ଖାଇଥିଲେ। ସେହି ଧାନବିଲରେ ହିଁ ଏକ କୂଅ ଥିଲା। ଅନ୍ଧାର ରାତିରେ ସେହି କୂଅ ଭିତରେ ଦୁଇ ଦନ୍ତା ପଡ଼ିଯାଇଥିଲେ। ଅନ୍ୟ ହାତୀଗୁଡ଼ିକ ଦୁଇଦନ୍ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇ ଜଙ୍ଗଲକୁ ପଳାଇଥିଲେ। ସକାଳେ ବଡ଼ ଦନ୍ତା ସହାୟତାରେ ଛୋଟ ଦନ୍ତାହାତୀ ବାହାରି ଯାଇଥିଲା, କିନ୍ତୁ ନିଜେ ଉଠିପାରିନଥିଲା।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନାଞ୍ଚଳ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା, ଫରେଷ୍ଟର ଟିକେଶ୍ୱର ମହାନ୍ତଙ୍କ ସମେତ ବନ କର୍ମଚାରୀ ଓ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଦନ୍ତାକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା। ଦନ୍ତା କୂଅରୁ ବାହାରିବା କ୍ଷଣି ସେଠାରେ ଥିବା ଲୋକମାନେ ପ୍ରାଣ ବିକଳରେ ଦୌଡ଼ିଥିଲେ। ମାତ୍ର ଫରେଷ୍ଟର ଟିକେଶ୍ୱର ମହାନ୍ତଙ୍କ ଗୋଡ଼ କାଦୁଅରେ ଫସିଯାଇଥିଲା। ଦନ୍ତାଟି ତାଙ୍କୁ ଶୁଣ୍ଢରେ ଉଠାଇ ପାଣିରେ କଚାଡି ଦେଇଥିଲା ଓ ମାଡ଼ିଦେଇ ଜଙ୍ଗଲକୁ ପଳାଇଥିଲା। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବାଂଶପାଳ ବ୍ଲକର ସିଂପୁର, କାଦଡିହା, କାଳିଆଡିହି ଅଞ୍ଚଳରେ ସାତଦିନ ହେଲା ୧୨ଟି ହାତୀ ଉପଦ୍ରବ କରୁଛନ୍ତି। ଦିନବେଳେ ନିକଟ ଜଙ୍ଗଲରେ ରହୁଛନ୍ତି ଓ ରାତିହେଲେ ଗାଁ ଗାଁରେ ପଶି ବାଡିର ପନିପରିବା, ମକା ଓ ଧାନଫସଲ ଖାଇବା ସହିତ ମାଡିଦଳି ନଷ୍ଟ କରୁଛନ୍ତି। ବନ କର୍ମଚାରୀନେ ହାତୀପଲକୁ ଘଉଡାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ହାତୀ ଉପଦ୍ରବ ଜାରି ରହିଥିବାରୁ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର