ହିନ୍ଦୋଳ/କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଫରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ଓ ତାଙ୍କ ନିଜ ଘର କାମାକ୍ଷାନଗର ବ୍ଲକ୍ ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିସିସିଏଫ୍ଙ୍କୁ ନିର୍ଦ୍ଦେଶ ଦେବା ସହ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଫରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ହିନ୍ଦାଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ କିଛି ଶିକାରୀ ଜନ୍ତୁ ଶିକାର କରୁଥିବା ଖବର ପାଇଥିଲେ। ୧୩ ଜଣ କର୍ମଚାରୀଙ୍କ ସହ ଶ୍ରୀ ପ୍ରଧାନ ସରାସିଂହ ଗାଁ ନିକଟ ଜଙ୍ଗଲରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ୪ଜଣ ଶିକାରୀ ମଶାରି ଟାଙ୍ଗି ଶିକାର କରିଥିବା ଜନ୍ତୁର ମାଂସକୁ ପରସ୍ପର ମଧ୍ୟରେ ଭାଗ କରୁଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ହଠାତ୍ ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ଫରେଷ୍ଟର୍ଙ୍କ ପେଟରେ ବାଜିଥିଲା। ସହଯୋଗୀ କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ୩ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ପରେ ଜଣେ ଫେରାର୍ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଶିକାରୀମାନେ ହେଲେ ହିନ୍ଦୋଳ ଥାନା ଇଲିରିଶିଙ୍ଗା ଗାଁର ଶିବରାମ ପ୍ରଧାନ, ତନ୍ତିଚିରା ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ, ନରସିଂହପୁରର ଲକ୍ଷ୍ମୀଧର ଆରୋକ ଓ କନ୍ଧାଲ ଗ୍ରାମର ସୁନିଲ କୁମାର ଜେନା। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
୪ ଶିକାରୀ ଗିରଫ, ପିସିସିଏଫ୍ଙ୍କୁ ତଦନ୍ତ ନିର୍ଦ୍ଦେଶ
ମୃତକଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲାରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍ଙ୍କ ଜୀବନ ଯିବା ପ୍ରଥମ ଘଟଣା। ତେବେ ୨୦୦୭ରେ କଙ୍କଡ଼ାହାଡ଼ ବ୍ଲକ୍ କଣ୍ଡାର ଜଙ୍ଗଲରେ ମାଓବାଦୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ଜୀବନ ଯାଇଥିଲା। ମାତ୍ର ଏବେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍ଙ୍କ ଜୀବନ ଯିବା ଚିନ୍ତାର ବଷୟ ପାଲଟିଛି। ଫରେଷ୍ଟରଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଲାଗି ସେ ଘୋଷଣା କରିଛନ୍ତି। ଏହା ସହିତ ତଦନ୍ତ ପାଇଁ ପିସିସିଏଫ୍ଙ୍କୁ ଘଟଣାସ୍ଥଳକୁ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ସନ୍ଧ୍ୟାରେ କାମାକ୍ଷାନଗରରେ ମୃତଦେହ ପହଞ୍ଚିଥିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ବରିଷ୍ଠ କଂଗ୍ରେସ ନେତା ବିପ୍ରବର ସାହୁ, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍ପି ଅଭିନବ ସୋନକର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ୱାଇଲ୍ଡ ଲାଇଫ୍) ପ୍ରେମ କୁମାର ଝା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଂଜୟ କୁମାର ସ୍ବାଇଁ, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର, କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି, ଆଠଗଡ଼ ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି, କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାୟକ, ବିଡିଓ ପ୍ରଭୁକଲ୍ୟାଣ ଦାସଙ୍କ ସମେତ ବନବିଭାଗର ବିଭିନ୍ନ ପଦାଧିକାରୀ, କାମାକ୍ଷାନଗର ଓକିଲ ସଂଘ କର୍ମକର୍ତ୍ତା ପ୍ରମୁଖ ପହଞ୍ଚି ସ୍ବର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।