ସୁନ୍ଦରଗଡ଼ : ହାତୀଛୁଆର ମୃତ୍ୟୁ ପରେ ବନରକ୍ଷୀ ନିଲମ୍ବିତ

ଫରେଷ୍ଟର ଓ ରେଞ୍ଜ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌, ତଦନ୍ତ ପାଇଁ ୩ ଟିମ୍‌ ଗଠନ

ରାଉରକେଲା : ସୁନ୍ଦରଗଡ଼ର କୁଆରମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରୁଚକୁପେଡ଼ି ଜଙ୍ଗଲ ନିକଟସ୍ଥ ଭଟାକନା ପୋଖରୀରୁ ହାତୀ ଛୁଆ‌ ଶବ ଉଦ୍ଧାର ପରେ ଜଙ୍ଗଲ ବିଭାଗ ପକ୍ଷରୁ ତନାଘନା ହୋଇଛି। ରାଉରକେଲା ଡିଏଫ୍‌ଓ ଓ ଏସିଏଫ୍‌ଙ୍କ ସମେତ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ବନରକ୍ଷୀ ସଂଘମିତ୍ରା ମହାତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଫରେଷ୍ଟର ବିମତା ବରୁଆ ଓ କୁଆରମୁଣ୍ଡା ଫରେଷ୍ଟ ରେଞ୍ଜ ଅଧିକାରୀ ମନୋଜ ତିଗାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ହାତୀ ଛୁଆର ବେକ ତଳ ପଟୁ କଟି ଯାଇଥିବାରୁ ବାର୍‌ହା ଫାଶରେ ପଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ତେବେ ହାତୀ ଛୁଆଟି ପୋଖରୀ ଭିତରକୁ କିପରି ଆସିଲା ଏବଂ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା ଏହାର ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖନୀୟ ଯେ ରୁଚକୁପେଡ଼ି ଓ ଗୋଟିଧର ନିକଟସ୍ଥ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଣି ପିଇବା ଓ ଗାଧୋଇବା ପାଇଁ ଉଦ୍ଦିଷ୍ଟ ପୋଖରୀରେ ଗତ ୧୧ ତାରିଖ ଦିନ ଏକ ହାତୀଛୁଆର ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ରାଉରକେଲା ଡିଏଫ୍‌ଓ, ଏସିଏଫଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ଗତକାଲି ସେଠାରେ ପହଞ୍ଚି ପଙ୍କ ମିଶା ପାଣି ଭିତରକୁ ହାତୀ ଛୁଆକୁ ଉଦ୍ଧାର କରିଥିଲେ। ବେକର ତଳ ପଟ କଟି ଯାଇଥିବାରୁ ହାତୀ ଛୁଆଟିର ସ୍ବାଭାବିକ ମୃତ୍ୟୁ ଘଟି ନଥିବା ସ୍ପଷ୍ଟ ହୋଇଥିଲା। ଏହାର ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରାଯାଇଥିବା ଏସିଏଫ୍‌ ଦିଲୀପ ସାହୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ୧୫ ସଦସ୍ୟ ବିଶିଷ୍ଟ ହାତୀଦଳରେ ଗୋଟିଏ ପୁରୁଷ, ୩ଟି ଛୁଆ ଏବଂ ଅନ୍ୟ ସବୁ ମାଈ ହାତୀ ଥିବା ବେଳେ ସେମାନଙ୍କ ଭିତରୁ ଏହି ଛୁଆ ହାତୀର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର