ଖୁଣ୍ଟୁଣୀ : ଆଠଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଳଖଳା ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀପଲ ଧୁରୁଷିଆ ପଞ୍ଚାୟତର ବିଭିନ୍ନ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବାଣ ଫୁଟାଇ ଆଜି ହାତୀପଲକୁ ଘଉଡ଼ାଇବା ବେଳେ ଅଘଟଣ ଘଟିଛି। ବାଣ ଫୁଟିବା ବେଳେ ଜଣେ ବନ ବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

Advertisment

ପ୍ରକାଶ ଯେ ଗତକାଲି ଶନିବାର ରାତିରେ ହାତୀ ପଲ ଧୁରୁଷିଆ ପଞ୍ଚାୟତର ଗଜାଆମ୍ବ, କେଉଟପଡ଼ା, ଜେନାପୁର, ଗୋପାଳପ୍ରସାଦ, ଧୁରୁଷିଆ ଆଦି ଗାଁରେ ଫସଲ ନଷ୍ଟ କରି ଜେନାପୁର ନିକଟକୁ ଚାଲି ଆସିଥିଲେ। ସକାଳ ହୋଇଯିବାରୁ ଆଜି ହାତୀପଲ ଜଙ୍ଗଲକୁ ଫେରି ନପାରି ଜେନାପୁର ଶରଡ଼ିଆ ମୁଣ୍ଡିଆରେ ରହିଯାଇଥିଲେ। ଆଠଗଡ଼ ରେଞ୍ଜ ଅଧିକାରୀ ରବୀନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ରାକେଶ ଦଳେଇ, ଲମ୍ବୋଧର ନାୟକ, ଗାର୍ଡ ସୁଶିିଲ ଜେନାଙ୍କ ସମେତ ହାତୀ ଘଉଡ଼ାଳୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ। ହାତୀପଲ ମୁଣ୍ଡିଆ ତଳେ ଥିବା ଟ୍ରେନ୍‌ ଲାଇନକୁ କାଳେ ଚାଲିଆସିବେ ସେଥିପାଇଁ ବନ ବିଭାଗ ସଜାଗ ରହିବା ସହ ଘଣ୍ଟିଖାଲ ଷ୍ଟେସନ ଓ ସର୍ପେଶ୍ୱର ପାସେଞ୍ଜର ହଲ୍‌ଟ୍‌ ମଧ୍ୟରେ ଟ୍ରେନ୍‌ ଚଳାଚଳ ଗତିକୁ ମନ୍ଥର କରିବା ପାଇଁ ଖୋର୍ଦ୍ଧା ଡିଭିଜନ ରେଲେଓ୍ଵ କଂଟ୍ରୋଲ ରୁମ୍‌କୁ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ହାତୀ ପଲକୁ ଦେଖି ସ୍ଥାନୀୟ ଲୋକେ ହୋହଲ୍ଲା କରିବାରୁ ୫ଟି ହାତୀ ଦଳ ଛାଡ଼ି ଖୁଣ୍ଟୁଣୀ ଫରେଷ୍ଟ ରେଂଜ ଅଧୀନ ବୌଦ୍ଧପୁର ଗାଁ ପାର୍ଶ୍ୱକୁ ଚାଲିଯାଇଥିଲେ। ହାତୀ ଗାଁମୁହାଁ ହେବା ଖବର ପାଇ ନିଧିପୁର ଫରେଷ୍ଟର ପାରାଷ୍ଟାଫ ଓ ଏଲିଫ୍ୟାଣ୍ଟ୍‌ ଟ୍ରାକରଙ୍କ ସହିତ ବୌଦ୍ଧପୁର ଗାଁରେ ପହଞ୍ଚି ବାଣଫୁଟାଇ ହାତୀପଲକୁ ଶରଡ଼ିଆ ପାହାଡ଼ମୁହାଁ କରାଇଥିଲେ। ବାଣ ଫୁଟାଇବା ବେଳେ ବନ ବିଭାଗର କର୍ମଚାରୀ ଅନୟ କୁମାର ସାମଲ ଗୁରୁତର ହୋଇଛନ୍ତି। ଅନୟଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଜିମସାର ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।