ଝାରସୁଗୁଡ଼ା/ଇବ୍ ଥର୍ମାଲ: ଗଛ କାଟିବାକୁ ଅନୁମତି ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସେକ୍ସନର ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ୱାଚ୍ମ୍ୟାନ୍ ସଞ୍ଜୟ ବାରିକ। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଘଟଣା ପରେ ଫରେଷ୍ଟ ଗାର୍ଡ ଶ୍ରୀମତୀ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ବନ୍ଧବାହାଲ ଫରେଷ୍ଟ୍ ସେକ୍ସନ ଅନ୍ତର୍ଗତ ଦଳଗାଁର ଜଣେ ବ୍ୟକ୍ତି ନିଜ ବାଡ଼ିପଟେ ଥିବା ଗଛ କାଟିବାକୁ ବନ ବିଭାଗର ଅନୁମତି ଲୋଡ଼ିଥିଲେ। ତେବେ ୧୫ ହଜାର ଟଙ୍କା ଦେଲେ ହିଁ ଅନୁମତି ଦିଆଯିବ ବୋଲି ଶ୍ରୀମତୀ ସାହୁ କହିବାରୁ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ସୋମବାର ବନ୍ଧବାହାଲରେ ଶ୍ରୀମତୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ୱାଚମ୍ୟାନ୍ ଶ୍ରୀ ବାରିକ ଅଭିଯୋଗକାରୀଙ୍କଠାରୁ ରସାୟନବୋଳା ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ଧରିଥିଲା। ଶ୍ରୀ ବାରିକଙ୍କ ନିକଟରୁ ଟଙ୍କା ଜବତ କରାଯାଇଛି।