ସୋର: ଖରାଦିନ ନଆସୁଣୁ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହୋଇଗଲାଣି କିମ୍ବା ଏଥିନେଇ ଆଶଙ୍କା ଦେଖାଦେଲାଣି। ହେଲେ,ଏହାର ମୁକାବିଲା ପାଇଁ ବନବିଭାଗ କେତେ ପ୍ରସ୍ତୁତ, ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମଙ୍ଗଳପୁର ବିଟ୍‌ ଅଧୀନ ସରଳିଆ ଜଙ୍ଗଲରେ। ନିଅଁା ଲିଭାଉଲିଭାଉ ବିଭାଗର ଏକ ମେସିନ୍‌ରୁ ପେଟ୍ରୋଲ୍‌ ସରିଯାଇଛି। ଫଳ‌ରେ, ନିଆଁ ଆୟତ୍ତ ହେବାବେଳକୁ ପ୍ରାୟ ୧୫ ଏକରରୁ ଅଧିକ ଜଙ୍ଗଲ ପୋଡ଼ିଯାଇଥିବା ଜଣାପଡ଼ିଛି।

Advertisment

କୁଲଡ଼ିହା ଅଭୟାରଣ୍ୟ ପାଦଦେଶରେ ରହିଛି ମଙ୍ଗଳପୁର ବିଟ୍‌ ଅଧୀନ ସରଳିଆ ଜଙ୍ଗଲ। ଆଜି ସକାଳେ କୌଣସି କାରଣରୁ ଏହି ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏସମ୍ପର୍କରେ ଖବର ପାଇ ସ୍ଥାନୀୟ ଗଜ ସାଥୀ କମିଟିର କୋଷାଧ୍ୟକ୍ଷ ସାଗର ସିଂ, ସବୁଜ ବାହିନୀ ସଦସ୍ୟ ହରିହର ବେହେରା, ଶ୍ରୀକାନ୍ତ ଦେଉରୀ ଏବଂ ନିଆଁ ଲିଭା ଦାୟିତ୍ବରେ ଥିବା ବନ କର୍ମଚାରୀ ବସନ୍ତ ସେଠୀ ପ୍ରମୁଖ ପହଞ୍ଚି ଥିଲେ। ସେମାନେ ମେସିନ୍‌ ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଥିଲେ। ତେବେ, ଘଣ୍ଟାଏ ପରେ ମେସିନ୍‌ରୁ ପେଟ୍ରୋଲ୍‌ ସରିଯାଇଥିଲା। ଫଳରେ, ବନ କର୍ମଚାରୀଙ୍କ ଅକଲଗୁଡୁମ୍‌ ହୋଇଯାଇଥିଲା। କିଛି ଉପାୟ ନପାଇ ସେମାନେ ଗଛଡାଳ ସାହାଯ୍ୟରେ ଦୀର୍ଘ ୬ ଘଣ୍ଟା ଧରି ନିଆଁ ଲିଭାଇଥିଲେ। ନିଆଁ ଆୟତ୍ତ ହେବା ବେଳକୁ ପ୍ରାୟ ୧୫ ଏକରରୁ ଅଧିକ ଜଙ୍ଗଲ ପୋଡ଼ିଯାଇଥିବା ଜଣାପଡ଼ିଛି।

ଏନେଇ କୁଲଡ଼ିହା ରେଞ୍ଜର ଅନନ୍ତ ଜେନାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ବ୍ୟସ୍ତ ଅଛନ୍ତି, ପରେ କଥା ହେବେ କହି ଫୋନ୍‌ ସଂଯୋଗ କାଟିଦେଇଥିଲେ।
ଅନ୍ୟପକ୍ଷରେ, ଖରାଦିନ ଆସିଲେ ଜଙ୍ଗଲ ନିଆଁକୁ ନେଇ ଚିନ୍ତା ବଢ଼େ। ନିଆଁ ଆୟତ୍ତ କରିବା ପାଇଁ ବନ ବିଭାଗକୁ ସଜାଗ ରହିବା ପାଇଁ ପଡ଼େ। ନିଆଁ ଲିଭା କାମରେ ବ୍ୟବହୃତ ହେଉଥିବା ଯାନ୍ତ୍ରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ହୁଏ। ତେବେ ବନ ବିଭାଗ ଏନେଇ କେତେ ସଜାଗ, ଏହି ଘଟଣାରୁ ତାହା ସ୍ପଷ୍ଟ ହୋଇଛି। ତେବେ, ଏହି ଘଟଣାରୁ ବନ ବିଭାଗ ଶିକ୍ଷା ନେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି।