ଶିଳ୍ପ ଓ ଖଣି ଯୋଗୁଁ ଉଜୁଡ଼ି ଯାଉଛି ଜଙ୍ଗଲ: ଜଙ୍ଗଲ ଶୂନ୍ୟ ହେବ ଝାରସୁଗୁଡ଼ା ଜିଲ୍ଲା

ପ୍ରଶାନ୍ତ ମିଶ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରୁ ଜଙ୍ଗଲ ହ୍ରାସ ପାଉଛି। ଗୋଟିଏ ପଟେ ଶିଳ୍ପ ଓ ଅନ୍ୟପଟେ ଖଣି ଯୋଗୁଁ ଜିଲ୍ଲାରେ ଜଙ୍ଗଲ ସଂପଦ କ୍ଷୟ ହୋଇସାରିଛି। ବଞ୍ଚିଥିବା ଅବଶିଷ୍ଟ ଜଙ୍ଗଲ ଉପରେ ଏବେ କମ୍ପାନିଗୁଡ଼ିକର ଆଖି। ଖୁବ୍‌ଶୀଘ୍ର ଜିଲ୍ଲାରୁ ଜଙ୍ଗଲ ଲୋପ ପାଇବା ନିଶ୍ଚିତ ପ୍ରାୟ। ଜିଲ୍ଲାର ଏକ ବିରାଟ ଜଙ୍ଗଲ ଏବେ ଏନ୍‌ଏଲ୍‌ସି ଅଧୀନକୁ ଚାଲି ଯାଉଥିବାବେଳେ କାତିକେଲାଠାରେ ଥିବା ଏକ ସଂରକ୍ଷିତ ଜଙ୍ଗଲ ଉପରେ ମଧ୍ୟ କାରଖାନା ଆଖି ପକାଇଥିବା ଜଣାଯାଇଛି। ଏକଦା ସମ୍ବଲପୁର ଉତ୍ତର ବନଖଣ୍ଡ ଥିବା ଏହି ଜଙ୍ଗଲ ପରବର୍ତ୍ତୀ ପର୍ଯ୍ୟାୟରେ ଝାରସୁଗୁଡ଼ା ବନଖଣ୍ଡରେ ପରିଣତ ହୋଇଥିଲା। ୪୩୪.୯୮୨ ବର୍ଗ କିମି ବ୍ୟାପୀ ରହିଛି ଏହି ବନଖଣ୍ଡ। ୫ଟି ରେଞ୍ଜ, ୧୮ଟି ସେକ୍‌ସନ୍‌ ଓ ୬୪ଟି ବିଟ୍‌କୁ ନେଇ ଗଠିତ ଏହି ବନଖଣ୍ଡରେ ଏବେ ଆଉ ଜଙ୍ଗଲ ନାହିଁ। ନିୟମ ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା କଥା, ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ରହିଛି ୧୪ ପ୍ରତିଶତରୁ କମ୍‌ ଜଙ୍ଗଲ। ଏବେ ଏନ୍‌ଏଲ୍‌ସି ଓ ଅନ୍ୟ କାରଖାନା ଯୋଗୁଁ ଜଙ୍ଗଲ ନଷ୍ଟ ହେଲେ ଏହାର ପ୍ରତିଶତ ଆହୁରି ତଳକୁ ଖସିଯିବାର ଆଶଙ୍କା ରହିଛି। ଜିଲ୍ଲାରେ ତୀବ୍ର ପ୍ରଦୂଷଣ ଯୋଗୁଁ ଜୈବ ବିବିଧତା ନଷ୍ଟ ହେଉଛି। ଏ ବାବଦରେ ଅନେକ ରିପୋର୍ଟରେ ପ୍ରକାଶିତ ହୋଇସାରିଛି। ଭାରତର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ମଧ୍ୟ ସ୍ଥାନ ପାଇଛି।

ଜିଲ୍ଲାର ଜଳବାୟୁ  ଦ୍ରୁତ ପ୍ରଦୂଷଣର ଶିକାର ହେବାରେ ଲାଗିଛି।  କାରଖାନା ଓ ଖଣି ଖନନ ବେଳେ ହଜାର ହଜାର ଗଛ  ନଷ୍ଟ ହୋଇଛି। କ୍ଷୟ ଭରଣା ପାଇଁ ଅନ୍ୟସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଇ ପାରିନାହିଁ। ବାରମ୍ବାର ଜଙ୍ଗଲ ଉପରେ ଅତ୍ୟାଚାର ଯୋଗୁଁ  ଜିଲ୍ଲାରେ ଜଙ୍ଗଲ ଉଧାଇ ପାରୁନାହିଁ। ଜଙ୍ଗଲ ନଥିବା କାରଣରୁ  ଜିଲ୍ଲାରେ ବନ୍ୟଜନ୍ତୁ ମଧ୍ୟ ନାହାନ୍ତି। କାତିକେଲା ଜଙ୍ଗଲରେ ଦେଖା ଯାଉଥିବା କିଛି ହରିଣ ବିରାଟ ପାଉଁଶ ପୋଖରୀର ପ୍ରଦୂଷଣ ଯୋଗୁଁ  ଆଉ ଏବେ ଦେଖା ଯାଉନାହାନ୍ତି।

ଏହି ବନଖଣ୍ଡର କୋଲାବିରା ରେଞ୍ଜ୍‌ର ଛତ୍ରିଆରେ ୮୭.୪୧୨ହେକ୍ଟର, ମହୁଲମୁଣ୍ଡାରେ ୪୫୦.୬୧୭, ଲମଡୁଙ୍ଗୁରିରେ ୧୧୭୨.୩୭୪, ବଡ଼ଖଲିଆରେ ୫୩୩.୮୩୩, ବାଗଡିହି ରେଞ୍ଜ୍‌ର ପିତାମାଲରେ ୨୨୬.୬୨୪, ସାରସମାଲ(ବି)ରେ ୨୫.୦୯୧, ଅନ୍ଧାରୀରେ ୭୪୦.୨୫୧, ଚିରଗୁନି(ବି)ରେ ୩୧.୯୭୦, ଧ୍ବଜାମୁରାରେ ୧୮୩.୭୨୭, ସାରସମାଲ(ଏ)ରେ ୧୦୮.୪୫୬, ବନରାଇ(ଏ)ରେ ୩୬୬.୩୨୧, ବୁଢ଼ିକୁଟେନ-ଭାଇବହେନରେ ୯୭୩.୧୮୮. ଗୟଲମୁରାରେ ୬୨.୯୬୯, ବେଲପାହାଡ଼ ରେଞ୍ଜ୍‌ର ଝରଗାଁ(ବି)ରେ ୩୯୨.୭୧୦, ସୁଖାଡିହିରେ ୧୮୬.୦୨୨, ବେଟିଝରନରେ ୨୨୩,୩୮୬, ବୁଢ଼ାପାହାଡ଼‌ରେ ୧୬୨.୬୮୪, ବିକ୍ରମଖୋଲରେ ୧୭୩୬.୯୧୦, ବ୍ରଜରାଜନଗର ରେଞ୍ଜ୍‌ର ରାଜପୁରରେ ୧୦୬୯.୧୮୦ ଓ ଉଲାପରେ ୯୧୦.୫୪୩  ହେକ୍ଟର ମୋଟ ୯୬୪୪.୨୬୮ ହେକ୍ଟର ପି ଆର୍‌ ଏଫ୍‌  ରହିଛି।

ସେହିପରି କୋଲବିରା ରେଞ୍ଜ୍‌ର ଲରିଆପାଲିରେ ୧୧୭୪.୦୪୦ ହେକ୍ଟର, ସୁଡ଼ୁଙ୍ଗ(ଏ)ରେ ୨୧୨.୩୩୫, ସୁଡ଼ୁଙ୍ଗ(ବି)ରେ ୯୯.୦୪୭, ବାଗଡିହି ରେଞ୍ଜ୍‌ର ପାକେଲପଡ଼ାରେ ୪୬.୧୫୮, ଝାରସୁଗୁଡ଼ା ରେଞ୍ଜ୍‌ର ମଲଦାରେ ୮୮୯.୦୦୦, ବେଲପାହାଡ଼ ରେଞ୍ଜ୍‌ର ଝରଗାଁ (ଏ)ରେ ୩୭୧.୫୦୦, ବ୍ରଜରାଜନଗର ରେଞ୍ଜ୍‌ର କନ୍ଦାକୁଡ଼ାରେ ୫୧.୭୩୦ ହେକ୍ଟର ମୋଟ ୨୮୭୧.୬୬୦ ହେକ୍ଟର ଡିପିଏଫ୍‌ ଜଙ୍ଗଲ ରହିଛି। ଝାରସୁଗୁଡ଼ା ବନଖଣ୍ଡର ବେଲପାହାଡ଼ ରେଞ୍ଜ୍‌ର ଆମଖମନ-ସାଗରପାଲିରେ ୫୪୬.୫୭ ହେକ୍ଟର, ସୁନାରିଡୁଙ୍ଗୁରିରେ ୩୯୨.୭୧, ରମ୍ପାଲୁଗା-କେନାପାଲିରେ ୫୮.୨୯, କୁସ୍ରାଲୋଇ(ଏ)ରେ ୩୮୮.୬୬, ବ୍ରଜରାଜନଗର ରେଞ୍ଜ୍‌ର କୁସ୍ରାଲୋଇ(ବି)ରେ ୨୬୮.୩୫, ଦେସର-ତରିଦାରେ ୧୩୮.୧୦, ଝାରସୁଗୁଡ଼ା ରେଞ୍ଜ୍‌ର କାତିକେଲା‌ରେ ୩୭୯.୬, କୋଲାବିରା ରେଞ୍ଜ୍‌ର ବିଞ୍ଜିଡୁଙ୍ଗୁରିରେ ୫୩.୪୨, ବାଗଡିହି ରେଞ୍ଜ୍‌ର ବନରାଇ(ବି)ରେ ୧୭୩.୪୭ ଓ ଘାଗଡୁଙ୍ଗୁରିରେ ୭୫୪.୩୯ ହେକ୍ଟର ମୋଟ ୩୧୫୩.୫୪ ହେକ୍ଟର ରିଜର୍ଭ ଫରେଷ୍ଟ ରହିଛି। ଜଙ୍ଗଲ ସୁରକ୍ଷା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଉପରୋକ୍ତ ରିଜର୍ଭ ଫରେଷ୍ଟ ଗୁଡ଼ିକ ମଧ୍ୟ ନିଶ୍ଚିହ୍ନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର